ବରଗଡ଼, ୦୭/୦୮ (ଲଲାଟେନ୍ଦୁ ଦାଶ): କୃଷି ପ୍ରଧାନ ବରଗଡ଼ ଜିଲ୍ଲାରେ ଧାନଚାଷ ଆୟର ମୁଖ୍ୟସ୍ରୋତ ଥିବା ବେଳେ ବସ୍ତ୍ର ବୟନ ଦ୍ୱିତୀୟ ସର୍ବାଧିକ ଆୟର ସୂତ୍ର ରହିଆସିଛି । ବସ୍ତ୍ର ବୟନ କ୍ଷେତ୍ରରେ ପରିଶ୍ରମ କରୁଥିବା ଏଠିକାର ୧୨୫୦୯ଟି ପରିବାରର ଅବଦାନରୁ ଏହା ସୁସ୍ପଷ୍ଟ। ଉପରୋକ୍ତ ୧୨୫୦୯ଟି ପରିବାରର ୪୫ ହଜାର ବୁଣାକାର ବସ୍ତ୍ର ବୟନ ଜରିଆରେ ପେଟପାଟଣା କରିବା ସହ ସୁଲଭ ଦରରେ ହାତବୁଣା ଲୁଗା ଯୋଗାଇବାରେ ସକ୍ଷମ ହୋଇଛନ୍ତି । ଏମାନଙ୍କ ପାଇଁ ଜିଲ୍ଲାରେ ୪୭୫ଟି ଟାଇ ଏଣ୍ଡ ଡ଼ାଇ ୟୁନିଟ କାର୍ଯ୍ୟକ୍ଷମ ଥିବା ସମୟରେ ୧୨୦୯୦ଟି ଲୁମସ୍ ରହିଛି । ୫୧ଟି ପ୍ରାଥମିକ ତନ୍ତୁବାୟ ସମିତି ଏମାନଙ୍କ ସେବାରେ ଲାଗିଛି । ସେହିଭଳି ୯୮ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି । ବସ୍ତ୍ରର ମାନବୃଦ୍ଧି ସହିତ ଉନ୍ନତ ଡ଼ିଜାଇନ ପାଇଁ ତାଲିମ ସହିତ ଅନେକ ଯୋଜନା ହାତକୁ ନିଆଯାଇଛି ।
ସେହିଭଳି ଜିଲ୍ଲାରେ ୩୦୦ରୁ ଅଧିକ ମାଷ୍ଟର ଟ୍ରେନର କାର୍ଯ୍ୟରତ ଥିବା ବେଳେ କ୍ୟାମ୍ପ ମାଧ୍ୟମରେ ବୁଣାକାରଙ୍କୁ ତାଲିମ ଦେଇ ଉତ୍ପାଦନ ବୃଦ୍ଧି ସହ ଗୁଣବତ୍ତା ବଜାୟ ରଖିବା ପାଇଁ ଚେଷ୍ଟା ଜାରି ରହିଛି । ଫଳ ସ୍ୱରୂପ ଜିଲ୍ଲାରେ କୁଶଳୀ କାରିଗରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଯୁବପିଢି ମଧ୍ୟ ଧିରେ ଧିରେ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ବିଭାଗୀୟ ପରିସଂଖ୍ୟାନରୁ ଜିଲ୍ଲାରେ ଦୁଇଜଣ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର ରହିଥିବା ସମୟରେ ୬୦ରୁ ଅଧିକ ଜାତୀୟ ପୁରସ୍କାର ପାଇ ସାରିଛନ୍ତି । ସେହିଭଳି ୩୪ ଜଣ ରାଜ୍ୟ ପୁରସ୍କାରପ୍ରାପ୍ତ ବୁଣାକାର ଓ ୧୨ ଜଣ ସନ୍ଥ କବୀର ପୁରସ୍କାର ପାଇ ବରଗଡ଼କୁ ବିଶ୍ୱ ଦରବାରରେ ପରଚିତ କରାଇବାରେ ସହାୟକ ହୋଇଛନ୍ତି ।
ହସ୍ତତନ୍ତ କ୍ଷେତ୍ରରେ ବରଗଡ଼ ଜିଲ୍ଲା ଆଜି ଓଡ଼ିଶାର ପରିଚୟ ପାଲଟିଛି । ‘ସମ୍ବଲପୁରୀ ବସ୍ତ୍ରାଳୟ’ ଏହାକୁ ଦେଶ ବିଦେଶରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅଞ୍ଚଳର ଭୁଲିଆ, କୋଷ୍ଟା, କୁଲି ଓ ଗଣ୍ଡା ଜାତିର ବୁଣାକାର ଆବାହମାନ କାଳରୁ ମୋଟା କପଡ଼ା ବୁଣାବୁଣି କରୁଥିବା ବେଳେ ‘ସମ୍ବଲପୁରୀ ବସ୍ତ୍ରାଳୟ’ ପ୍ରଚେଷ୍ଟାରୁ ଆଜି ୧୨୦, ୧୪୦ ଭଳି ଅତି ସରୁ ସୂତାରେ ବସ୍ତ୍ର ବୁଣି ନିଜେ ଆର୍ଥିକ ଅଗ୍ରସର ହେବା ସହ ବିଶ୍ୱବାସୀଙ୍କ ଦେହରେ ସମ୍ବଲପୁରୀ ବାନ୍ଧକଳା ଚଢ଼ାଇବାରେ ସମର୍ଥ ହୋଇଥିବାରୁ ହସ୍ତତନ୍ତ କ୍ଷେତ୍ରରେ ସମ୍ବଲପୁରୀ ବସ୍ତ୍ରାଳୟର ଭୂମିକା ବେଶ କଳନୀୟ । ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ପ୍ରୟାସ ଓ ପଞ୍ଚସଖା କୃଷ୍ଣଚନ୍ଦ୍ର ପ୍ରଧାନ, ଶିବଶଙ୍କର ଆଚାର୍ଯ୍ୟ, ଗୌରଚନ୍ଦ୍ର ଦାଶ ଓ ବଳିଷ୍ଠ ପ୍ରଧାନଙ୍କ ସହଯୋଗରେ ୧୯୫୪ରେ ପ୍ରତିଷ୍ଠା ପାଇଥିବା ସମ୍ବଲପୁରୀ ବସ୍ତ୍ରାଳୟ ଆଜି ବିଶ୍ୱସ୍ତରକୁ ଛୁଇଁ ପାରିଛି । ୫୦୪ ସହଯୋଗୀଙ୍କୁ ନେଇ ଆରମ୍ଭ ଏହି ସଂସ୍ଥାଟିର ସଭ୍ୟସଂଖ୍ୟା ୧୫ ହଜାରରେ ପହଞ୍ଚିଛି । ୨୦୦ ଟଙ୍କା ମୂଳଧନରୁ ବ୍ୟବସାୟ ପ୍ରାରମ୍ଭ କରିଥିବା ସଂସ୍ଥାଟି ୯୦ଟି ବୁଣାକାର ସମବାୟ ସମିତିର ପରିଶ୍ରମରୁ ଆଜି ୧୦୦ କୋଟି ମୂଳଧନ ଅତିକ୍ରମ କରିଛି ।
୩୬ଟି ଲୁଗାବୁଣା କେନ୍ଦ୍ର ମାଧ୍ୟମରେ ସମ୍ବଲପୁରୀ ବସ୍ତ୍ରାଳୟ ପଞ୍ଜିକୃତ ୫୧୮୧ଟି ଡିଜାଇନରୁ ଏବେ ଆହୁରି ଅନେକ ନୂଆ ଜ୍ଞାନ କୌଶଳ ଛୁଇଁ ପାରିଥିବା ବେଳେ ୪୦ରୁ ଅଧିକ ବିକ୍ରି କେନ୍ଦ୍ର ଏବଂ ୪୪ଟି ସହଯୋଗୀ ପ୍ରାଥମିକ ତନ୍ତୁବାୟ ସମିତି ମାଧ୍ୟମରେ ଏହାକୁ ବିକ୍ରି କରି ଆର୍ଥିକ ସ୍ୱଚ୍ଛଳତା ହାସଲ କରିପାରିଛି । ‘ସମ୍ବଲପୁରୀ ବସ୍ତ୍ରାଳୟ’ ବରଗଡ଼ ମୁଖ୍ୟାଳୟରୁ ପରିଚାଳିତ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୩୮ଟି ବିକ୍ରୟ କେନ୍ଦ୍ର ସମେତ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଥିବା ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିଗତ ପାଞ୍ଚ ଦଶନ୍ଧି ଧରି ‘ସପ୍ଟାପର’, ‘ତଅପୋଇ’, ‘ଅର୍ଚ୍ଚନା’, ‘ଅନୁରାଧା’, ‘ଚିତ୍ରୋତ୍ପଳା’, ‘ଚନ୍ଦ୍ରିକା’, ‘ହିମାଦ୍ରୀ’, ‘ଲାବଣ୍ୟବତୀ’, ‘ପଞ୍ଚବଟୀ’, ‘ଦାନ୍ତୀବୁଟା’, ‘ସୂର୍ଯ୍ୟକାନ୍ତୀ’, ‘ସ୍ୱର୍ଣ୍ଣରେଖା’, ‘ସନ୍ଧ୍ୟାତାରା’, ‘ତରଙ୍ଗିଣୀ’, ‘ଇନ୍ଦୁମତୀ’, ‘କଳିଙ୍ଗ ସୁନ୍ଦରୀ’, ‘ବିଚିତ୍ରାପୁରୀ’, ‘ବିଜୟପୁରୀ’, ‘ସଚୀପର’, ‘ତଅପୋଇ’, ‘ବାଘାମ୍ବରୀ’, ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’, ‘ପଟ୍ଟନାୟକପର’ ଆଦି ଆକର୍ଷଣୀୟ ଡ଼ିଜାଇନର ଶାଢ଼ି ବିକ୍ରି ଆସୁଥିବାରୁ ବସ୍ତ୍ରାଳୟର ଚାହିଦା ବେଶ କଳନୀୟ ।
ପ୍ରଚ୍ଛଦପଟ ନାୟିକା ରଙ୍ଗଘର
‘ସମ୍ବଲପୁରୀ ବସ୍ତ୍ରାଳୟ’ ତରଫରୁ ବିକ୍ରି କରାଯାଉଥିବା ଲୁଗା ଉପରେ ରହିଥିବା ଲୋକଙ୍କ ବିଶ୍ୱାସ ହିଁ ସଫଳତାର ଚାବିକାଠି । ମାତ୍ର ବସ୍ତ୍ରାଳୟ ପଛରେ ଯେ ରଙ୍ଗଘରର ଅବଦାନ ରହିଛି, ଏଥିରେ ଦ୍ୱିମତ ନାହିଁ । ଜାତୀୟ ହସ୍ତତନ୍ତ ବିକାଶ ନିଗମ (ଏନ୍ଏଚ୍ଡିସି) ସହାୟତାରେ ବସ୍ତ୍ରାଳୟ କୋଇମ୍ବାଟୁର, ମଦୁରାଇ ସହ ଦକ୍ଷିଣର ଆଉ କେତେକ ସ୍ଥାନରୁ ଉତ୍କୃଷ୍ଟମାନର ସୁତା କିଣୁଥିବା ବେଳେ ବସ୍ତ୍ରାଳୟ ମୁଖ୍ୟାଳୟ ପଛପଟେ ଥିବା ରଙ୍ଗଘରରେ ଏହାକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ସହବନ୍ଧିତ ବୁଣାକାରଙ୍କୁ ଦିଆଯାଏ । ବୁଣାକାର ବସ୍ତ୍ରାଳୟ ଦେଇଥିବା ଡ଼ିଜାଇନରେ ବୁଣି ସଂସ୍ଥାକୁ ଫେରାଇବା ପରେ ତାର ଗୁଣବତ୍ତା ଯାଞ୍ଚ କରାଯାଇ ଷ୍ଟକରେ ଚଢ଼ାଯାଇ ବିଭିନ୍ନ ଷ୍ଟୋରକୁ ବିକ୍ରି ପାଇଁ ପଠାଯାଏ । ପୂର୍ବରୁ ହାତରେ ସୂତାକୁ ରଙ୍ଗ କରାଯାଉଥିବା ସମୟରେ ଏବେ କେବିନେଟ ଡ଼ାଇ ମେସିନରେ ଆଧୁନିକ ପଦ୍ଧତିରେ ସମ୍ପାଦନ କରାଯାଉଛି । ସେହିଭଳି ଆଜୋ ଫ୍ରି ଡାଇ ଭଳି ବୈଷୟିକ ସହାୟତାରେ ରାସାୟନିକ ରଙ୍ଗ ବ୍ୟବହାର କରି ସୂତାକୁ ରଙ୍ଗ କରାଯାଉଥିଲେ ମଧ୍ୟ ବସ୍ତ୍ର ବା ଏହାକୁ ପରିଧାନ କରୁଥିବା ଲୋକର କୌଣସି କ୍ଷତିସାଧନ ହୁଏନାହିଁ କି ଭବିଷ୍ୟତରେ ରଙ୍ଗ ମଧ୍ୟ ଫିକା ପଡ଼ୁନାହିଁ । ସେହିଭଳି ଗ୍ରାହକଙ୍କ ଇଚ୍ଛା ଓ ଚାହିଦାକୁ ଦେଖି ବୁଣାକାରମାନେ ପ୍ରାକୃତିକ ରଙ୍ଗରେ ଏବେ ମଧ୍ୟ ବସ୍ତ୍ର ବୁଣି ଆସୁଛନ୍ତି । ଏହା ସମୟ ସାପେକ୍ଷ ଓ ଖର୍ଚ୍ଚ ବହୁଳ ଥିଲେବି ଖାସ୍ ଗ୍ରାହକଙ୍କ ପାଇଁ ତିଆରି ଜାରି ରଖିଛନ୍ତି ।
ଗେଣ୍ଡୁ ଫୁଲରୁ ହଳଦିଆ ରଙ୍ଗ ପ୍ରସ୍ତୁତ କରୁଥିବା ବୁଣାକାର ଆଲଗଛର ଫଳରୁ ମେରୁନ, ନୀଳଗଛରୁ ଇଣ୍ଡିଗୋ, ଲାଖରୁ ଲାଲ, ହରିଡ଼ା ଓ ଅନ୍ୟ ଏକ ଗୁଣ୍ଡକୁ ମିଶାଇ କଳା, ପିଆଜ ଛାଲିରୁ ଇଷତ ମହେନ୍ଦୀ, ହରିଡ଼ା ଓ ହୀରାକସକୁ ମିଶାଇ ପାଉଁଶିଆ, ଅର୍ଜୁନ ଗଛର ଛାଲିରୁ ଗେରୁଆ, ଡ଼ାଳିମ୍ବରୁ ଅଲିଭ ଗ୍ରୀନ, ଆଲଜାରୀନ ବା ବେଞ୍ଜାଟି ଚେରରୁ ଗାଢ଼ ଲାଲ ରଙ୍ଗ ପ୍ରସ୍ତୁତ କରନ୍ତି । ପ୍ରାକୃତିକ ରଙ୍ଗରେ ତିଆରି ଲୁଗାର ଦାମ ଦୁଇଗୁଣକୁ ବଢ଼ିଯାଉଥିଲେବି ଆଦର କମିନଥିବାରୁ ଏବେବି ବସ୍ତ୍ରାଳୟ ଏହି ଧାରା ଜାରି ରଖିଛି । ଆଧୁନିକ ଆବଶ୍ୟକତା ତୁଳାଇବା ପାଇଁ ବସ୍ତ୍ରାଳୟ ତରଫରୁ ଏବେ ଷ୍ଟିଚିଂ ୟୁନିଟ ସ୍ଥାପନ କରାଯାଇ ରେଡିମେଡ଼ ଡ୍ରେସ ତିଆରି କରୁଥିବା ବେଳେ ଏଠୁ ବାହାରୁଥିବା ଲେଡ଼ିଜ ସୁଟ, ଜାକେଟ, ବିଭିନ୍ନ ଶାର୍ଟିଂ, ପଞ୍ଜାବୀ, ବ୍ଲେଜର, କୋର୍ଟ, ଲେଡ଼ିଜ ଓଭରକୋଟର ଦେଶ ବିଦେଶ ବଜାରରେ ଚାହିଦା ରହିଛି । ସେହିଭଳି ଇଣ୍ଡିଆ ହ୍ୟାଣ୍ଡ୍ଲୁମ ବ୍ରାଣ୍ଡ୍, ବ୍ରାଣ୍ଡ୍ ଅଫ୍ ଇଣ୍ଡିଆ ତରଫରୁ ସ୍ୱୀକୃତି ପାଇଥିବା ବସ୍ତ୍ରାଳୟ ଏବେ ଇ-ମାର୍କେଟିଂ ଜରିଆରେ ବିଶ୍ୱବାସୀଙ୍କ ହାତ ପହଞ୍ଚକୁ ଆସିପାରିଛି । ନକଲି ପ୍ରିଣ୍ଟ୍, ରଙ୍ଗ ଓ ସୁତା ଉପରେ ଜିଏସ୍ଟି ବୁଣାକାରଙ୍କ ପେଟକୁ ମାଡ଼ ହେବା ସତ୍ୱେ ବୁଣାକାର ପରିବାର ଦିନରାତି ଏକ କରି ବରଗଡ଼ର ଗର୍ବ ଓ ଗୌରବ ‘ସମ୍ବଲପୁରୀ ବସ୍ତ୍ରାଳୟ’କୁ ବଞ୍ଚାଇ ରଖିଛନ୍ତି ।