ଭୁବନେଶ୍ୱର, ୨୯/୧୦: ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନତେରସ୍ ଧନ୍ତେରାସ । ଗ୍ରାହକଙ୍କୁ ସ୍ୱାଗତ କରିବାକୁ ଗହଣା ସୋ’ରୁମ୍ ପ୍ରସ୍ତୁତ । ଧନ୍ତେରାସରେ ସୁନା ଓ ରୁପା ଭଳି ଧାତୁ କିଣିଲେ ଘରକୁ ସମୃଦ୍ଧି ଆସିଥାଏ ବୋଲି କେଉଁ କାଳରୁ ବିଶ୍ୱାସ ରହିଆସିଛି । ବର୍ଷକରେ ସବୁଠାରୁ ଅଧିକ ସୁନା ଏହି ପର୍ବରେ ବିକ୍ରି ହୋଇଥାଏ । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ସୋ’ରୁମ୍ଗୁଡ଼ିକ ଆଣିଥାନ୍ତି ସୁନା ଓ ରୁପା ଗହଣାର ଭଳିକି ଭଳି ଡିଜାଇନ୍ । ବିଭିନ୍ନ ଓଜନଯୁକ୍ତ ସୁନା ଓ ରୁପା ବିସ୍କୁଟ ଆଉ କଏନ୍ । ଏ ବର୍ଷ ମଧ୍ୟ ଗହଣା ସୋ’ରୁମ୍ଗୁଡ଼ିକ ଗ୍ରାହକଙ୍କୁ ଟାଣିବା ପାଇଁ ମନପ୍ରାଣ ଉଦ୍ୟମ ଲଗାଇ ଦେଇଛନ୍ତି । ଆକର୍ଷଣୀୟ ତଥା ଟ୍ରେଣ୍ଡି କଲେକ୍ସନ ସହିତ ଆଣିଛନ୍ତି ମନଲୋଭ ସ୍କିମ୍ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଚଢ଼ା ଦର ସୁନା ବିକ୍ରିକୁ ପ୍ରଭାବିତ କରିବନି ବୋଲି ବିଶ୍ୱାସ ରଖିଛନ୍ତି ବ୍ୟବସାୟୀ ।
ଧନ୍ତେରାସ୍ ଉପଲକ୍ଷେ ସୋ’ରୁମ୍ଗୁଡ଼ିକ ହାଲୁକାଠାରୁ ଆରମ୍ଭ କରି ଭାରୀ ଗହଣା ବର୍ଗରେ ଆଣିଛନ୍ତି ବ୍ୟାପକ ସମ୍ଭାର । ପୂର୍ବ ବର୍ଷ ତୁଳନାରେ ଏଥର ଭଲ କାରବାର ହେବ ବୋଲି ଆଶା ରଖିଛନ୍ତି ଗହଣା ବ୍ୟବସାୟୀ । ଆଗକୁ ବିବାହ ଋତୁ ଥିବାବେଳେ ଧନ୍ତେରସ୍-ଦୀପାବଳି ଅଫର୍ରେ ଗହଣା କିଣିବା ପାଇଁ ଗ୍ରାହକ ଆସୁଥିବା ଜଣାପଡ଼ିଛି । ଏହାଛଡ଼ା ବର୍ଷକୁ ବର୍ଷ ସୁନା ଭଲ ରିଟର୍ଣ୍ଣ ଦେଉଛି । ପୂର୍ବବର୍ଷ ଧନ୍ତେରାସ୍ ତୁଳନାରେ ଏଥର ପ୍ରାୟ ୩୦% ବଢ଼ିଛି ସୁନା ଦର । ଏଣୁ ଗ୍ରାହକ ଲାଭବାନ ହୋଇଛନ୍ତି । ଅଧିକ ରିଟର୍ଣ୍ଣ ପାଇବା ଆଶାରେ ବି ସୁନାରେ ନିବେଶ ବଢୁଛି ।
ରାଜ୍ୟର ପ୍ରତିଷ୍ଠିତ ଗହଣା ସୋ’ରୁମ୍ ଖିମ୍ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍ଜୀ କୁହନ୍ତି ପୂର୍ବବର୍ଷ ଧନ୍ତେରାସ୍ ବେଳେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ଥିଲା ୫୭,୦୦୦ ଟଙ୍କା । ଏବେ ଏହା ୭୩,୦୦୦ ଟଙ୍କା ଉପରେ । ବର୍ଷକରେ ୩୦% ରିଟର୍ଣ୍ଣ ଦେଇଛି ସୁନା । ବର୍ଷକୁ ବର୍ଷ ଭଲ ଲାଭ ଦେଇଚାଲିଛି ଏହି ଧାତୁ । ସୁନା ଦର ଯେଉଁ ହାରରେ ବଢୁଛି ଭଲ ରିଟର୍ଣ୍ଣ ପାଇବା ପାଇଁ ଲୋକେ ଏଥିରେ ବଡ଼ ମାତ୍ରାରେ ନିବେଶ କରୁଛନ୍ତି । ଧନ୍ତେରାସ ଏବଂ ଦୀପାବଳି ହେଉଛି ଆକର୍ଷଣୀୟ ଅଫର୍ର ଲାଭ ଉଠାଇବାର ସମୟ । ତେଣୁ ଗ୍ରାହକ ଏଭଳି ସୁଯୋଗକୁ ହାତଛଡ଼ା କରୁନାହାନ୍ତି । ଆମ ସୋ’ରୁମ୍ଗୁଡ଼ିକରେ ଲୋକଙ୍କ ଭିଡ଼ ରହୁଛି । ରବିବାରଠାରୁ ଗ୍ରାହକଙ୍କ ଆଗମନ ବଡ଼ ଆକାରରେ ବଢ଼ିଛି ବୋଲି ଶ୍ରୀ ଖିମ୍ଜୀ କହିଛନ୍ତି ।
ଶ୍ରୀ ଖିମ୍ଜୀ ଆହୁରି କହିଛନ୍ତି ଯେ, ଆଗାମୀ ଡିସେମ୍ବର ସୁଦ୍ଧା ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୮୦,୦୦୦ ଟଙ୍କା ପାର୍ କରିପାରେ । ତେଣୁ ଲୋକେ ଏବେ ଏଥିରେ ନିବେଶ କରି ଭଲ ରିଟର୍ଣ୍ଣ ଆଶା କରିପାରିବେ । ବର୍ତ୍ତମାନ ଆମ ସୋ’ରୁମ୍ଗୁଡ଼ିକରେ ହାଲୁକାଠାରୁ ଆରମ୍ଭ କରି ଭାରୀ ପର୍ଯ୍ୟନ୍ତ ସବୁ ପ୍ରକାର ଗହଣାର ଚାହିଦା ରହିଛି । ସୁନା, ରୁପା ଏବଂ ହୀରାର ଆକର୍ଷଣୀୟ କଲେକ୍ସନ ରହିଛି । କର୍ପୋରେଟ୍ ଗିଫ୍ଟିଂ ପାଇଁ ବ୍ୟାପକ ସମ୍ଭାର ଅଛି । ଚଳିତ ଦୀପାବଳିରେ ଖିମ୍ଜୀ ଜୁଏଲର୍ସ ସୁନା ଗହଣା ଗଢା ମଜୁରି ଉପରେ ଫ୍ଲାଟ ୫୦% ରିହାତି, ହୀରା ଗହଣା ଗଢା ମଜୁରି ଉପରେ ଫ୍ଲାଟ ୨୦% ରିହାତି, ରୁପା ଅଳଙ୍କାର ଗଢା ମଜୁରି ଉପରେ ଆକର୍ଷଣୀୟ ଫ୍ଲାଟ ୨୫% ଛାଡ଼ ଏବଂ ରୁପା ସାମଗ୍ରୀର ଏମ୍ଆର୍ପି ଉପରେ ଫ୍ଲାଟ ୧୫% ଛାଡ଼ ପ୍ରଦାନ କରୁଛି । ଫ୍ୟାଶନ ଅଳଙ୍କାରର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ଫ୍ଲାଟ ୨୦% ଛାଡ଼ ଏବଂ ୧୮କେ ସିଜେଡ ଅଳଙ୍କାରର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ଫ୍ଲାଟ ୧୦% ରିହାତି ପ୍ରଦାନ କରାଯାଉଛି । ଲକ୍ଜ୍ୟୁରୀ ଘଡି ବର୍ଗରେ ଏହି ଜୁଏଲାରୀ ୭୦% ପର୍ଯ୍ୟନ୍ତ ବିଶାଳ ଅଫର ଘୋଷଣା କରିଛି ।
ତନିସ୍କର ସର୍କଲ ମ୍ୟାନେଜର ଅରିନ୍ଦମ ପ୍ରମାଣିକ କହିଛନ୍ତି, ଏବେ ଲୋକଙ୍କ ମଧ୍ୟରେ ସୁନା କ୍ରୟ ପ୍ରତି ଆଗ୍ରହ ବଢ଼ିଛି । ଦର ବଢ଼ୁଥିବାରୁ ଏହା ନିବେଶର ବିକଳ୍ପ ଭାବେ ମଧ୍ୟ ଉଭା ହୋଇଛି । ସୁନା ପ୍ରତି ଲୋକଙ୍କ ଭରସା ବଢ଼ିଛି । ଚଳିତ ତ୍ରୈମାସ ଏବଂ ଆସନ୍ତା ତ୍ରୈମାସରେ ମଧ୍ୟ ବିବାହ ରହିଛି । ଫଳରେ ଭଲ ବିକ୍ରି ଆଶା ରହିଛି । ଲୋକେ ଧନତେରାସ ସହ ବିବାହ ଲାଗି ଆଗୁଆ ଗହଣା କିଣୁଛନ୍ତି । ଏବେ କାନଫୁଲ, ଦୈନନ୍ଦିନ ବ୍ୟବହାର ହେଉଥିବା ଗହଣା, ଚେନ୍, ପୁରୁଷଙ୍କ ଚେନ୍ ବିକ୍ରି ଭଲ ରହିଛି । ଏହାବାଦ କାନଫୁଲ, ମୁଦି, ଚୁଡ଼ି ବିକ୍ରି ଭଲ ରହିଛି । ଏକାଧିକ ଡିଜାଇନ ଯୁକ୍ତ ଗହଣା ଲୋକେ ନିଜ ପାଖରେ ରଖିବା ସହ ଏହାକୁ ବିଭିନ୍ନ ଅବସରରେ ପିନ୍ଧୁଛନ୍ତି । ଏବେ ଚେନ୍କୁ ଫ୍ୟାସନ ଭାବେ ଗ୍ରହଣ କରାଯାଇଛି । ପୁରୁଷଙ୍କ ମଧ୍ୟରେ ଚେନ୍ ପିନ୍ଧିବା ଟ୍ରେଣ୍ଡ ପୁଣି ଫେରିଛି । ସେହିଭଳି ଗ୍ରାହକଙ୍କ ଲାଗି ବିଭିନ୍ନ ଅଫର ରହୁଛି । ଯାହା ସେମାନଙ୍କୁ ଗହଣା କ୍ରୟ ଲାଗି ଉତ୍ସାହିତ କରୁଛି । ଏବେ ପାଗ ଭଲ ଥିବାରୁ ଲୋକେ ସୋ’ରୁମ ଆସି ଗହଣା କିଣୁଛନ୍ତି ।
ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ଚଳିତ ବର୍ଷ ୨ ଦିନ ଧନତେରାସ ଲାଗି ସୋ’ରୁମରେ ବିଶେଷ ବ୍ୟବସ୍ଥା ରହିଛି । ଏହି ସମୟରେ ସୋ’ରୁମ ସକାଳ ୮.୩୦ରେ ଖୋଲିବ । ଭିଡ଼ ଏଡାଇବା ଲାଗି କ୍ୟାସ୍, ଗୋଲ୍ଡ କଏନ, ଅଗ୍ରିମ ବୁକିଂ ପାଇଁ ଭିନ୍ନ ଭିନ୍ନ କାଉଣ୍ଟର ସହ ପାର୍କିଂର ବ୍ୟବସ୍ଥା କରାଯାଇଛି । ୨ ଦିନରେ ଭଲ କାରବାର ଆଶା ରହିଛି । ଆଗକୁ ବିହାହ ଋତୁ ରହିଛି । ଲୋକେ ସେଥିପାଇଁ ବି ଗହଣା କିଣୁଛନ୍ତି । ଗଢ଼ା ମଜୁରି ଏବଂ କାର୍ଡ ଉପରେ ଆକର୍ଷଣୀୟ ରିହାତି ରହିଛି । ଗତ ସପ୍ତାହେ ହେବ ଗ୍ରାହକଙ୍କ ଆଗମନ ବେଶ୍ ଭଲ ରହିଛି । ଗତ ବର୍ଷ ଅପେକ୍ଷା ଭଲ ବେପାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ଧନତେରାସରେ ଲୋକମାନେ କେବଳ ସୁନା ଗହଣା କିଣାକୁ ପ୍ରାଥମିକତା ଦେଉଥିଲେ । ଏବେ ହୀରା ଗହଣା ପ୍ରତି ଲୋକଙ୍କ ଫୋକସ ବଢ଼ିଛି । ଡିଜାଇନ ଏବଂ ରତ୍ନପଥର ଗହଣାର ଚାହିଦା ମଧ୍ୟ ଭଲ ରହିଛି ।