ରୁଷ୍-ୟୁକ୍ରେନ୍ ସଂଘର୍ଷ ଯୋଗୁ ସାରା ବିଶ୍ୱରେ ଅସ୍ଥିରତା ଜାରି ଥିବାବେଳେ ୨୦୨୪ରେ ଯୁଦ୍ଧ ଅଧିକ କାୟା ବିସ୍ତାର କରିଛି । ବର୍ଷସାରା ଅଶାନ୍ତ ରହିଛି ମଧ୍ୟପ୍ରାଚ୍ୟ, ବର୍ଷିଛି ମିସାଇଲ । ଧ୍ୱଂସାବଶେଷ ପାଲଟିଛି ଗାଜା, ଚାରିଆଡ଼େ ବାରୁଦ ଗଦା । ଦିଶାହୀନ ହୋଇଛି ହମାସ୍ । ଥରିଛି ଲେବାନନ । ଇସ୍ରାଏଲର ରୌଦ୍ରରୂପରେ ହାତ ଟେକିଛି ହିଜ୍ବୁଲ୍ଲା । ବିଦାୟୀ ବର୍ଷରେ ବିଶ୍ୱବାସୀଙ୍କୁ ଭୟଭୀତ କରିଥିଲା ଇରାନ-ଇସ୍ରାଏଲ ମଧ୍ୟରେ ପ୍ରତ୍ୟକ୍ଷ ଲଢ଼େଇ । ନେତନ୍ୟାହୁଙ୍କୁ ଅପରାଧୀ ଆଖ୍ୟା ଦେଇଥିଲେ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ । ସିରିଆରେ ବଶର ଅଲ୍-ଅସଦ ସରକାର ବିରୋଧରେ ଦୀର୍ଘ ୧୪ ବର୍ଷ ଧରି ଗୃହଯୁଦ୍ଧର ପରିଣାମ ଦେଖିଛି ବିଶ୍ୱ । ଯାଇଛି ଅସଦଙ୍କ କ୍ଷମତା, ସିରିଆକୁ କବ୍ଜା କରିଛନ୍ତି ବିଦ୍ରୋହୀ । ସେପଟେ ଆମେରିକୀୟ ମିସାଇଲ ଛାଡ଼ି ରୁଷ୍କୁ ଅଧିକ ଚିଡ଼ାଇଛି ୟୁକ୍ରେନ । ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତି କରିଛି ରୁଷ୍ । ତିକ୍ତତା, ବିବାଦ, ସଂଘର୍ଷ, ରକ୍ତପାତରେ ୨୦୨୪ରେ ଯୁଦ୍ଧର ଭୟାବହତାକୁ ଅତି ପାଖରୁ ଦେଖିଛନ୍ତି ବିଶ୍ୱବାସୀ । ବର୍ଷ ଶେଷ ହେବାକୁ ବସିଥିଲେ ହେଁ ଏସବୁରେ ପୂର୍ଣ୍ଣଚ୍ଛେଦ ନ ପଡ଼ିବା ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ପ୍ରତି ମୁହୂର୍ତ୍ତରେ ବଢ଼ାଇଛି । କେବଳ ସାଧାରଣ ନାଗରିକ ନୁହଁନ୍ତି, ଶକ୍ତିଶାଳୀ ସାମରିକ ମେଣ୍ଟ ନାଟୋ ଦେଶଗୁଡ଼ିକ ମଧ୍ୟ ନିଜର ଜନତାଙ୍କୁ ଏବେଠାରୁ ପ୍ରସ୍ତୁତ ରହିବା ଲାଗି ଚେତାଇଲେଣି ।
ଉପସ୍ଥାପନା: ରଞ୍ଜନ ସାହୁ, ହେମନ୍ତ ପରିଡ଼ା, ମାନସୀ ଶୁକ୍ଳା, ଭାଗ୍ୟଶ୍ରୀ ସାହୁ
ଅଳଙ୍କରଣ: ସନ୍ତୋଷ ବିନ୍ଧାଣୀ
ଇରାନ-ଇସ୍ରାଏଲ ମୁହାଁମୁହିଁ
ଲେବାନନ୍ରେ ହିଜ୍ବୁଲ୍ଲା ଆତଙ୍କୀ ଗୋଷ୍ଠୀର କାର୍ଯ୍ୟାଳୟ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଯୋଗୁ ହିଜ୍ବୁଲ୍ଲା ମୁଖ୍ୟ ହସନ୍ ନସରଲ୍ଲାହ ସମେତ ଇରାନର ଜଣେ ଆର୍ମି ଅଫିସରଙ୍କ ମୃତ୍ୟୁରେ ପ୍ରତିଶୋଧ ମୁହାଁ ହୋଇଥିଲା ଇରାନ । ଜବାବରେ ଅକ୍ଟୋବର ୧ ରାତିରେ ଇରାନ ପକ୍ଷରୁ ଇସ୍ରାଏଲ୍ ଉପରେ ୪୦୦ରୁ ଅଧିକ ମିସାଇଲ୍ ମାଡ଼ କରାଯାଇଥିଲା । ଆକ୍ରମଣର ୨୫ ଦିନ ପରେ ଇରାନ ଉପରେ ଏହାର ପ୍ରତିଶୋଧ ନେଇଥିଲା ଇସ୍ରାଏଲ । ୩ ଘଣ୍ଟାରେ ଇରାନର ୨୦ ସେନା ଆଡ୍ଡାକୁ ୧୦୦ରୁ ଅଧିକ ମିସାଇଲ ମାଡ଼ କରିଥିଲା । ଇସ୍ରାଏଲ ୧୦୦ରୁ ଅଧିକ ଯୁଦ୍ଧ ବିମାନ ବ୍ୟବହାର କରିଥିଲା । ଇସ୍ରାଏଲୀ ବାୟୁସେନା ଏଫ୍-୩୫ ଦ୍ୱାରା ବି ଆକ୍ରମଣ କରିଥିଲା । ଏଥିରେ ମିସାଇଲ ଫ୍ୟାକ୍ଟ୍ରି, ସୈନ୍ୟ ଆଡ୍ଡା ଏବଂ କିଛି ଅସ୍ତ୍ରାଗାର ନଷ୍ଟ ହେବା ସହ ଇରାନର ୨ ସୈନିକ ମଧ୍ୟ ପ୍ରାଣ ହରାଇଥିଲେ । ଇରାନ-ଇସ୍ରାଏଲ ଏଭଳି ପ୍ରତ୍ୟକ୍ଷ ଭାବେ ଯୁଦ୍ଧକୁ ଓହ୍ଲାଇବା ପରେ ସାରା ବିଶ୍ୱରେ ଯୁଦ୍ଧର ଭୟ ଖେଳିଯାଇଥିଲା । ଦୁଇ ପାରମ୍ପରିକ ମହାଶକ୍ତି ରୁଷ୍-ଆମେରିକା ମଧ୍ୟ ଇସ୍ରାଏଲ ଏବଂ ଇରାନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।
ପରମାଣୁ ଭୟ ଦେଲେ ପୁଟିନ୍
ଆମେରିକା ଏବଂ ବ୍ରିଟେନ୍ ନିର୍ମିତ ଦୂର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ମିସାଇଲକୁ ୟୁକ୍ରେନ୍ ରୁଷ୍ ଉପରେ ଛାଡ଼ିଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଥିପାଇଁ ୟୁକ୍ରେନ୍କୁ ଅନୁମତି ଦେଇଥିଲେ । ଆମେରିକୀୟ ମିସାଇଲ ରୁଷ୍ରେ ପଡ଼ିବାକୁ ନେଇ ଅଧିକ ଚିଡ଼ି ଯାଇଥିଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଫଳରେ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତି ଲାଗି ପରମାଣୁ ଅସ୍ତ୍ରର ବ୍ୟବହାର ପାଇଁ ଥିବା ଏକ ନିୟମକୁ ବଦଳାଇବା ପାଇଁ ପୁଟିନ ଅନୁମତି ଦେଇଥିଲେ । ଯଦି କୌଣସି ଦେଶ କୌଣସି ପରମାଣୁ ଶକ୍ତିସମ୍ପନ୍ନ ଦେଶ ସହ ମିଶି ରୁଷ୍ ଉପରେ ଆକ୍ରମଣ କରେ ତେବେ ଏପରି ସ୍ଥିତିରେ ମସ୍କୋ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିପାରିବ ବୋଲି ପୁଟିନ୍ କହିଥିଲେ । ୟୁକ୍ରେନ୍କୁ ଆମେରିକୀୟ ମିସାଇଲ ବ୍ୟବହାର ଅନୁମତି ଦିଆଗଲେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନାଟୋ ଯୁଦ୍ଧକୁ ଓହ୍ଲାଉଥିବା ରୁଷ୍ ବିବେଚନା କରିବ ବୋଲି ଏହା ପୂର୍ବରୁ ପୁଟିନ୍ କହିଥିଲେ । ରୁଷ୍ର ଏହି ପଦକ୍ଷେପ ପରମାଣୁ ଆକ୍ରମଣ ସମେତ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ବଢ଼ାଇଛି ।
ଅସଦ୍ ଛୁ
ଦୀର୍ଘବର୍ଷ ଧରି ଗୃହଯୁଦ୍ଧରେ ମାତିଥିବା ସିରିଆରେ ବିଦାୟୀ ବର୍ଷରେ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଛି । ସୁନ୍ନି ବିଦ୍ରୋହୀ ହୟାତ ତହରିର ଅଲ୍-ଶାମ୍(ଏଚ୍ଟିଏସ୍)ର କବ୍ଜାକୁ ଆସିବା ପରେ ଇସ୍ତଫା ଦେଇ ରୁଷ୍କୁ ପଳାୟନ କରିଥିଲେ ରାଷ୍ଟ୍ରପତି ବଶର ଅଲ୍-ଅସଦ । ଲଗାତର ୧୧ ଦିନ ଧରି ବିଦ୍ରୋହୀ ଗୋଷ୍ଠୀ ଓ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ରୁଷ୍ ବିଦ୍ରୋହୀଙ୍କ ଆଡ୍ଡାରେ ଆକ୍ରମଣ କରି ଅସଦଙ୍କ ଗାଦି ରଖିବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇପାରି ନ ଥିଲା । ଆମେରିକା ଷଡ଼ଯନ୍ତ୍ର କରି ଅସଦ ସରକାରର ପତନ ଘଟାଇଥିବା ଇରାନ କହିଥିଲା । ସେହିପରି ବିଦ୍ରୋହୀ ଗୋଷ୍ଠୀକୁ ଆମେରିକା, ଇସ୍ରାଏଲ ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ବେଶ୍ ସମର୍ଥନ ଏବଂ ସହଯୋଗ ମିଳିଥିଲା । ରାଷ୍ଟ୍ରପତି ପଦ ଯିବା ପରେ ଅସଦଙ୍କ ଦୀର୍ଘ ୨୪ ବର୍ଷର ଶାସନର ଅନ୍ତ ଘଟିଛି । ଏଥିସହ ସିରିଆରେ ଅସଦ ପରିବାରର ଦୀର୍ଘ ୫୩ ବର୍ଷର ଶାସନରେ ବି ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅସଦଙ୍କ ପିତା ହାଫିଜ୍ ଅଲ୍-ଅସଦ ୧୯୭୧ରେ ସିରିଆର ରାଷ୍ଟ୍ରପତି ହୋଇ ୨୯ ବର୍ଷ ଧରି ଶାସନ କରିଥିଲେ । ସିରିଆରେ ଅସଦ ସରକାରଙ୍କ ପତନକୁ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁକ୍ରେନ୍ ଆଦି ୟୁରୋପୀୟ ଦେଶ ସମେତ ଆମେରିକା, ଇସ୍ରାଏଲ ମଧ୍ୟ ଅନ୍ୟ ୟୁରୋପୀୟ ରାଷ୍ଟ୍ର ସ୍ୱାଗତ କରିଥିଲେ । ଅସଦଙ୍କ ପଳାୟନ ପରେ ବିଦ୍ରୋହୀ ସିରିଆରେ ସରକାର ଗଢ଼ିଛନ୍ତି । ତେବେ ବିଦ୍ରୋହୀଙ୍କ ସରକାର ସିରିଆ ସ୍ଥିତିରେ ଉନ୍ନତି ଆଣିବାରେ କେତେ ସକ୍ଷମ ହୋଇପାରିବେ ତାହା ଅସ୍ପଷ୍ଟ ।
ନସ୍ରଲ୍ଲାହ ନିପାତ
ଲେବାନନ୍ର ରାଜଧାନୀ ବିରୁଟ୍ରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ନିପାତ ହୋଇଥିଲା ହିଜ୍ବୁଲ୍ଲାର ମୁଖ୍ୟ ହସନ୍ ନସ୍ରଲ୍ଲାହ । ଆତଙ୍କୀ ସଙ୍ଗଠନ ହିଜ୍ବୁଲ୍ଲାର ମୁଖ୍ୟାଳୟକୁ ଇସ୍ରାଏଲ୍ ୮୦ ଟନ୍ ବୋମା ଦ୍ୱାରା ଟାର୍ଗେଟ୍ କରିଥିଲା । ଏହି ଅପରେସନର ନାଁ ଥିଲା ‘ନ୍ୟୁ ଅର୍ଡର’ । ଆକ୍ରମଣରେ ହିଜ୍ବୁଲ୍ଲା ମୁଖ୍ୟାଳୟ ନିକଟରେ ଥିବା ୬ଟି ଅଟ୍ଟାଳିକା ବି ଧ୍ୱଂସ ହୋଇଯାଇଥିଲା । ହିଜ୍ବୁଲ୍ଲାର ଗୁଇନ୍ଦା ୟୁନିଟ୍ ମୁଖ୍ୟ ହସନ୍ ଖଲିଲ୍ ୟାସିନ୍ର ମଧ୍ୟ ଏଥିରେ ମୃତ୍ୟୁ ଘଟିଥିଲା । ଇସ୍ରାଏଲୀ ହମ୍ଲାରେ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍ଜିସି)ର ଡେପୁଟି ଜେନେରାଲ୍ ଆକ୍ରାସ୍ ନିଲ୍ଫୋରୁସାନ୍ ପ୍ରାଣ ହରାଇଥିଲେ । ନସ୍ରଲ୍ଲାହ ନିପାତ ହେବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଅଧିକ ବ୍ୟାପିବା ନେଇ ଆଶଙ୍କା ଉପୁଜିଥିଲା । ଇରାନ୍ର ସୁପ୍ରିମ ଲିଡର ଆୟାତୁଲ୍ଲା ଅଲ୍ଲୀ ଖାମେନେଇ ଲେବାନନ୍ ଓ ହିଜ୍ବୁଲ୍ଲାର ସାଥ୍ ଦେବା ପାଇଁ ସମସ୍ତ ମୁସ୍ଲିମ୍ ରାଷ୍ଟ୍ରକୁ ଆହ୍ୱାନ ଦେଇଥିଲେ ।
ଲେବାନନ୍ବାସୀଙ୍କ ଘରବାହୁଡ଼ା
ହିଜ୍ବୁଲ୍ଲା-ଇସ୍ରାଏଲ ଭିତରେ ଅସ୍ତ୍ରବିରତି ଘୋଷଣା ହେବା କ୍ଷଣି ଉତ୍ତର ଲେବାନନ୍ରୁ ପଳାୟନ କରିଥିବା ତଥା ବିସ୍ଥାପିତ ହୋଇଥିବା ଲେବାନନ୍ବାସୀ ନିଜ ଘର ମୁହାଁ ହୋଇଥିଲେ । ୨୦୨୪ ସେପ୍ଟେମ୍ବର ୨୩ରେ ଇସ୍ରାଏଲର ଘାତକ ମିସାଇଲ ମାଡ଼ ପରେ ହଜାର ହଜାର ସଂଖ୍ୟାରେ ପରିବାର ଘର ଛାଡ଼ି ଦକ୍ଷିଣ ଲେବାନନ୍କୁ ଶରଣ ନେବାକୁ ପଳାୟନ କରିଥିଲେ । ଲେବାନନ୍ରେ ଇସ୍ରାଏଲ ଆକ୍ରମଣରେ ୪ ହଜାରରୁ ଊଦ୍ଧ୍ୱର୍ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷାଧିକ ଘର ଧ୍ୱଂସ ହୋଇଥିଲା । ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୯ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ପଳାୟନ କରିଥିଲେ । ହେଲେ ଘରକୁ ଫେରିବା ପରେ ଅନେକଙ୍କ ଘର ସେଠାରେ ନ ଥିଲା । ମିସାଇଲ ମାଡ଼ରେ ତାହା ଧ୍ୱଂସସ୍ତୂପ ପାଲଟିଥିବା ସେମାନେ ଦେଖିବାକୁ ପାଇଥିଲେ । ସେହି ଆବର୍ଜନା ଭିତରୁ ସେମାନେ ନିଜ ଜିନିଷ ଖୋଜୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କଷ୍ଟ ଉପାର୍ଜିତ ଧନ, ବହୁ ପରିଶ୍ରମରେ ନିର୍ମାଣ କରିଥିବା ନିଜ ଘରର ଏଭଳି ଦୃଶ୍ୟ ଦେଖି ନିଜ କୋହ ସମ୍ଭାଳିପାରି ନ ଥିଲେ।
ନାଟୋରେ ଛନକା
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ଲାଗି ଦେଶର ପରମାଣୁ ଯୁଦ୍ଧ ନିୟମ ବଦଳାଇବାକୁ ନିଷ୍ପତ୍ତି ନେବା ପରେ ନାଟୋ ଦେଶଗୁଡ଼ିକ ମଧ୍ୟରେ ଛନକା ପଶିଥିଲା । ଆଗକୁ ଭୟଙ୍କର ଯୁଦ୍ଧର ମୁକାବିଲା ପାଇଁ ନାଟୋ ଦେଶଗୁଡ଼ିକ ନିଜ ଲୋକଙ୍କୁ ସଚେତନ ରହିବାକୁ କହିଥିଲେ । ଖାଦ୍ୟ, ପାନୀୟ ଭଳି ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଥିଲେ । ସୁଇଡେନ୍ ପାମ୍ପ୍ଲେଟ୍ ମାଧ୍ୟମରେ ଘରେ ଘରେ ସଚେତନ କରାଇଥିଲା । ନରୱେ ମଧ୍ୟ ଏହାର ନାଗରିକଙ୍କୁ ଏମର୍ଜେନ୍ସି ବାର୍ତ୍ତା ବାଣ୍ଟିଥିଲା ।
ବାରୁଦ ଗଦା ଗାଜା
୨୦୨୩ ଅକ୍ଟୋବର ୭ର ଆତଙ୍କବାଦୀ ହମାସ୍ ଆକ୍ରମଣ କରି ୧,୨୦୦ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିଥିଲେ । ଏଥିସହ ୨୫୦ ନାଗରିକଙ୍କୁ ଅପହରଣ କରି ନେଇଥିଲେ । ଏହାର ଜବାବରେ ଇସ୍ରାଏଲ ଗାଜାରେ ରଚିଚାଲିଛି ଧ୍ୱଂସଲୀଳା । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜାରେ ୬୦ ପ୍ରତିଶତରୁ ଊଦ୍ଧ୍ୱର୍ କୋଠା ଧ୍ୱଂସସ୍ତୂପ ପାଲଟିଛି । ପାଲେଷ୍ଟିନୀୟଙ୍କ ତାଜା ସ୍ମୃତିର ଖରାପ ଅଧ୍ୟାୟରେ ପରିଣତ ହୋଇଛି ଗାଜା । ପ୍ରାୟ ୪୫ ହଜାର ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି । ଏବେ ବି ଗାଜାରୁ ହମାସ୍ର ମୂଳୋତ୍ପାଟନ ଲକ୍ଷ୍ୟରେ ଇସ୍ରାଏଲ ଜାରି ରଖିଛି ଆକ୍ରମଣ । ଏହି ଯୁଦ୍ଧ ପୂରା ମଧ୍ୟପ୍ରାଚ୍ୟକୁ ବ୍ୟାପିବା ସହ ସାରା ବିଶ୍ୱରେ ଭୂରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । କେବଳ ଗାଜା ନୁହେଁ ଲେବାନନ, ସିରିଆ, ଇରାକ, ୟେମେନ ଆଦିରେ ଥିବା ଶତ୍ରୁଙ୍କ ସହ ମଧ୍ୟ ଇସ୍ରାଏଲ ଲଢ଼ିଛି । ଯୁଦ୍ଧ ଯୋଗୁ ବିସ୍ଥାପିତ ଏବଂ ଶରଣାର୍ଥୀ ସମସ୍ୟା ଗମ୍ଭୀର ହୋଇଛି । ଗାଜାରେ ଭୟଙ୍କର ଖାଦ୍ୟ, ପାନୀୟ ଔଷଧ ସଙ୍କଟ, ଚିକିତ୍ସା ସେବା ଅଭାବ ଉପୁଜିଛି । ଯୁଦ୍ଧବିରତି ପାଇଁ ଜାତିସଂଘ, ଆମେରିକା ଏବଂ ଅନ୍ୟ ମଧ୍ୟସ୍ଥି ଦେଶଗୁଡ଼ିକର ଉଦ୍ୟମ ବିଫଳ ହୋଇଛି । ସେପଟେ ଶତାଧିକ ଇସ୍ରାଏଲ ନାଗରିକ ଏବେ ବି ହମାସ୍ କବ୍ଜାରେ ଅଛନ୍ତି । ଅନେକଙ୍କର ମୃତ୍ୟୁ ଘଟିଛି ।
ହାତ ଟେକିଲା ହିଜ୍ବୁଲ୍ଲା
୨୦୨୩ ଅକ୍ଟୋବର ୭ରେ ହମାସ୍ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ପରଠାରୁ ଗାଜାରେ ପ୍ରତିଶୋଧ ପରାୟଣ ହୋଇଥିଲା ଇସ୍ରାଏଲ । ହମାସ୍ ଉପରେ କରିଥିଲା ପ୍ରଚଣ୍ଡ ଆକ୍ରମଣ । ହମାସ୍କୁ ସହଯୋଗ ଏବଂ ଇସ୍ରାଏଲକୁ ରୋକିବା ପାଇଁ ଲେବାନନ୍ରୁ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଥିଲା ଇରାନ ସମର୍ôଥତ ହିଜ୍ବୁଲ୍ଲା । ପ୍ରାୟ ୧୩ ମାସ ଧରି ଇସ୍ରାଏଲ ସହ ଲଢ଼େଇ କରି ଶେଷରେ ହାତ ଟେକିଥିଲା ଏହି ଆତଙ୍କବାଦୀ ସଙ୍ଗଠନ । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ହିଜ୍ବୁଲ୍ଲା ଏହାର ମୁଖିଆଙ୍କ ସମେତ ବହୁ ପ୍ରମୁଖ ଲିଡରଙ୍କୁ ହରାଇ ଦୁର୍ବଳ ହୋଇପଡ଼ିଥିଲା । ଉପାୟ ନ ପାଇ ହିଜ୍ବୁଲ୍ଲା ଯୁଦ୍ଧବିରତି ପାଇଁ ଆଗକୁ ଆସିଥିଲା । ଫଳରେ ୬୦ ଦିନର ଯୁଦ୍ଧବିରତିକୁ ଇସ୍ରାଏଲ ୱାର କ୍ୟାବିନେଟ ମଞ୍ଜୁରି ଦେଇଥିଲା । ସର୍ତ୍ତ ଥିଲା, ୬୦ ଦିନ ଭିତରେ ହିଜବୁଲ୍ଲା ନିଜ ଲଢ଼ୁଆ ଏବଂ ଅସ୍ତ୍ରଶସ୍ତ୍ରକୁ ବ୍ଲୁ ଲାଇନ୍ ମଧ୍ୟରୁ ହଟାଇବ । ବ୍ଲୁ ଲାଇନ ହେଉଛି ଇସ୍ରାଏଲ ଏବଂ ଲେବାନନ୍ ଭିତରେ ଥିବା ଅନୌପଚାରିକ ସୀମା । ଏହି ଅଞ୍ଚଳରେ ହିଜ୍ବୁଲ୍ଲା ବଦଳରେ ଲେବାନନ ସୈନିକ ମୁତୟନ ହେବେ । ସେହିପରି ୬୦ ଦିନ ଭିତରେ ଇସ୍ରାଏଲ ସେଠାରୁ ସେନା ପ୍ରତ୍ୟାହାର କରିବ । ଇସ୍ରାଏଲ ଆକ୍ରମଣରେ ହିଜ୍ବୁଲ୍ଲା ଏହାର ପ୍ରାୟ ସମସ୍ତ ଟପ୍ କମାଣ୍ଡରଙ୍କୁ ହରାଇଥିଲା । ସେହିପରି ଇସ୍ରାଏଲର ୪୦ ନାଗରିକ ଏବଂ ୮୦ ସୈନିକ ନିହତ ହୋଇଥିଲେ । ହିଜ୍ବୁଲ୍ଲା ସହ ଯୁଦ୍ଧରେ ଇସ୍ରାଏଲର ପ୍ରାୟ ୨୭୩ ନିୟୁତ ଡଲାର ସମ୍ପତ୍ତି ନଷ୍ଟ ହୋଇଥିଲା ।
ସିନୱାର, ହାନିୟେଙ୍କୁ ହରାଇଲା ହମାସ୍
ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ କରିବା ପରେ ଇସ୍ରାଏଲ ହମାସ୍ର ଅନେକ ପ୍ରମୁଖ ସଦସ୍ୟଙ୍କୁ ନିପାତ କରିଛି । ସେମାନଙ୍କ ମଧ୍ୟରେ ହମାସ୍ ପଲିଟିକାଲ ମୁଖ୍ୟ ଇସ୍ମାଇଲ ହାନିୟେ, ମିଲିଟାରୀ ମୁଖ୍ୟ ମହମ୍ମଦ ଦାଇଫ, ହମାସ ମୁଖ୍ୟ ୟାହ୍ୟା ସିନୱାର, ଗାଜାରେ ହମାସ୍ ସରକାର ମୁଖ୍ୟ ରାହ୍ୱି ମୁସ୍ତାହ ପ୍ରମୁଖ ରହିଛନ୍ତି । ତେବେ ଦାଇଫ୍ର ମୃତ୍ୟୁ ବାବଦରେ ଇସ୍ରାଏଲ ଦାବି କରିଥିଲେ ହେଁ ହମାସ୍ ଏହାକୁ ଅସ୍ୱୀକାର କରିଥିଲା । ସେଣ୍ଟ୍ରାଲ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ପରେ ଖାନ୍ ୟୁନିସ୍ର କଂସେଇ ସିନୱାରର ମୃତଦେହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ୨୦୨୪ ଜୁଲାଇ ୩୧ରେ ଇରାନରେ ଇସ୍ରାଏଲ ଆକ୍ରମଣରେ ହାନିୟେର ମୃତ୍ୟୁ ଘଟିବା ପରେ ସିନୱାରକୁ ସଙ୍ଗଠନର ମୁଖ୍ୟ ବନାଯାଇଥିଲା । ଦାଇଫ୍ ଏବଂ ହାନିୟେର ମୃତ୍ୟୁ ପରେ ସିନୱାର ହିଁ ହମାସ୍ର ଜଣେ ପ୍ରମୁଖ ବରିଷ୍ଠ ନେତୃତ୍ୱ ଥିଲା । ହମାସ୍ ସରକାରର ମୁଖ୍ୟ ଥିବା ମୁସ୍ତହା ସମେତ ହମାସ୍ର ଆଉ ୨ ଶୀର୍ଷ କମାଣ୍ଡର ସାମେହ ସିରାଜ ଏବଂ ସାମେହ ଔଦେହ ମଧ୍ୟ ନିପାତ ହୋଇଥିଲେ ।
ଲେବାନନ୍ରେ ପେଜର ଧମାକା
ସଭିଁଙ୍କୁ ଚକିତ କରି ଅଭିନବ ଟେକ୍ନୋଲୋଜି ବ୍ୟବହାରରେ ଲେବାନନ୍ରେ ପେଜର (ୱେୟାରଲେସ୍ ଯୋଗାଯୋଗ ଉପକରଣ) ବିସ୍ଫୋରଣ କରିଥିଲା ଇସ୍ରାଏଲ । ଆତଙ୍କୀ ସଙ୍ଗଠନ ହିଜ୍ବୁଲ୍ଲା ବ୍ୟବହାର କରୁଥିବା ହଜାର ହଜାର ପେଜର ସିରିଜ୍ ବିସ୍ଫୋରଣ ହୋଇଥିଲା । ପ୍ରାୟ ୫ ହଜାର ପେଜରରେ ବେଶ୍ ଚତୁରତାର ସହ ବିସ୍ଫୋରକ ଫିଟ୍ କରାଯାଇଥିଲା । ଏହାର ଦିନକ ପରେ ଲେବାନନରେ ୱାକିଟକି ବିସ୍ଫୋରଣ କରାଇଥିଲା ଏହି ଇହୁଦୀ ରାଷ୍ଟ୍ର । ବିସ୍ଫୋରଣରେ ୧୦ରୁ ଊଦ୍ଧ୍ୱର୍ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା । ପେଜରଗୁଡ଼ିକୁ ଲେବାନନ୍ରେ ଥିବା ହିଜ୍ବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ତାଇୱାନର ଏକ କମ୍ପାନୀଠାରୁ ମଗାଇଥିଲା । ହିଜ୍ବୁଲ୍ଲା ଆତଙ୍କବାଦୀ ଇସ୍ରାଏଲ ନଜରରୁ ବର୍ତ୍ତିବା ପାଇଁ ପେଜର ବ୍ୟବହାର କରୁଥିଲେ । କେବଳ ଲେବାନନ୍ ନୁହେଁ ସିରିଆରେ ମଧ୍ୟ ଆତଙ୍କୀଙ୍କ ପେଜର ବିସ୍ଫୋରଣ ହୋଇଥିଲା । ଇରାନ ଏହାକୁ ‘ନରସଂହାର’ ଆଖ୍ୟା ଦେଇଥିଲା ।
ତାଇୱାନକୁ ଚୀନ୍ର ନାଲିଆଖି
ବିଦାୟୀ ବର୍ଷରେ ତାଇୱାନର ନୂଆ ରାଷ୍ଟ୍ରପତି ୱିଲିୟମ ଲାଇ ଜିଙ୍ଗ୍ ତେ ଶପଥ ନେବା ପରେ ତାଇୱାନ ଉପରେ ଆକ୍ରମଣ ଧମକ ଦେଇଥିଲା ଚୀନ୍ । ଯେ ପର୍ଯ୍ୟନ୍ତ ତାଇୱାନ ଚୀନ୍ର ଅଂଶ ନ ହୋଇଛି ସେ ପର୍ଯ୍ୟନ୍ତ ଚୀନ୍ ତାଇୱାନ ଉପରେ ସାମରିକ କାର୍ଯ୍ୟକଳାପ ଜାରି ରଖିବ ବୋଲି କହିଥିଲା ବେଜିଂ । ଏଥିସହ ବାରମ୍ବାର ତାଇୱାନ ଆକାଶ ସୀମା ଟପି ଚୀନ୍ ଯୁଦ୍ଧାଭ୍ୟାସ କରିଛି । ଏପରି କରି ତାଇୱାନକୁ ଡରାଇବାକୁ ବାରମ୍ବାର ଉଦ୍ୟମ କରିଛି ଡ୍ରାଗନ୍ ସେନା । ଯୁଦ୍ଧାଭ୍ୟାସରେ ସ୍ଥଳ, ବାୟୁ ଏବଂ ନୌସେନାକୁ ଚୀନ୍ ସାମିଲ କରିଛି । ଏପରିକି ଚୀନ୍ ତାଇୱାନ ବିରୋଧରେ ବଡ଼ ଧରଣର ପ୍ରସ୍ତୁତିରେ ଲାଗିଥିବା ବିଶେଷଜ୍ଞଙ୍କ ମତ । ଚୀନ୍ ପାଖରେ ପର୍ଯ୍ୟାପ୍ତ ଆମ୍ଫିବିୟସ୍ ଲ୍ୟାଣ୍ଡିଂ କ୍ରାଫ୍ଟ ନ ଥିବାରୁ ନିଜ ସୈନିକଙ୍କୁ ତାଇୱାନ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ଡ୍ରାଗନ୍ ସେନା ବିକଳ୍ପ ଯୋଜନାରେ ଲାଗିଛି ।
ଏଲ୍ଏସିରେ ଶାନ୍ତି ବିରାଜିଲା
ଭାରତ-ଚୀନ୍ ମଧ୍ୟରେ ୨୦୨୦ରେ ଗଲୱାନ ସଂଘର୍ଷ ପରଠୁ ଲାଗି ରହିଥିବା ବିବାଦରେ ସୁଧାର ଆସିଛି । ୨ ବର୍ଷର ଲମ୍ବା ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବୁଝାମଣା ଚୂଡ଼ାନ୍ତ ହୋଇଥିଲା । ଫଳରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଦୁଇ ବିବାଦୀୟ ପଏଣ୍ଟ ଡେମଚୋକ୍ ଏବଂ ଦେପସାଙ୍ଗ୍ରୁ ଉଭୟ ଦେଶର ସେନା ପଛକୁ ହଟିଛନ୍ତି । ବିଦାୟୀ ବର୍ଷର ଅକ୍ଟୋବରରେ ଏହି ଦୁଇ ସ୍ଥାନରୁ ଦୁଇ ଦେଶ ନିଜ ସେନା ପ୍ରତ୍ୟାହାର କରିବା ସହ ସେନା ନିଜ ନିଜର ଅସ୍ଥାୟୀ ଶେଡ୍ ଏବଂ ଟେଣ୍ଟ ବି ହଟାଇଛନ୍ତି । ଗାଡ଼ି ଏବଂ ସେନା ଉପକରଣକୁ ସେଠାରୁ ହଟାଯାଇଛି । ସେଠାରେ ପାଟ୍ରୋଲିଂ ପାଇଁ ସୀମିତ ସଂଖ୍ୟାରେ ସୈନିକଙ୍କୁ ମୁତୟନ କରାଯାଉଛି । ଉଭୟ ଭାରତ ଏବଂ ଚୀନ୍ର ସୈନ୍ୟ ୨୦୨୦ ଏପ୍ରିଲ ପୂର୍ବରୁ ଯେଉଁ ସ୍ଥାନରେ ଥିଲେ ସେଠାକୁ ଫେରିଛନ୍ତି । ଗଲୱାନ ଭଳି ସ୍ଥିତି ଯେପରି ନ ଉପୁଜେ ତାହାକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିଲା । ସୀମା ସ୍ଥିତି ଶାନ୍ତ ପଡ଼ିବା ପରେ ଦୀପାବଳି ଅବସରରେ ଦୁଇ ଦେଶର ସେନା ପରସ୍ପରକୁ ମିଠା ଖୁଆଇଥିଲେ ।