ହରଭଙ୍ଗା, ୩।୩ : ଦଣ୍ଡ ଦେଇଥିବା ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ପୁଣି ସ୍କୁଲରେ ପଡିଲା ତାଲା l ଧାରଣାରେ ବସିଲେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ l ତାଲା ପଡିଥିବାରୁ ମୁଖ୍ୟ ଫାଟକ ବାହାରେ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି l
ସୂଚନା ଅନୁଯାୟୀ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଦଣ୍ଡ ମୁକ୍ତ ଅଂଚଳରେ ଦୁଇ ଜଣ ଛାତ୍ରୀକୁ ଦଣ୍ଡ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଯୋଗର ତଦନ୍ତ କରାଇଥିଲେ । ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା l ଶେଷରେ ଫେବୃଆରୀ ଶେଷ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ମାର୍ଚ୍ଚ ୩ ତାରିଖ ଠାରୁ ବିଦ୍ୟାଳୟ ଫାଟକରେ ତାଲା ପକାଇବେ ବୋଲି ଗ୍ରାମବାସୀ ଓ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପ୍ରଶାସନକୁ ଲିଖିତ ଚେତାବନୀ ଦେଇଥିଲେ । ଫଳରେ ସୋମବାର ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରଧାନ ଶିକ୍ଷକଙ୍କୁ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଥିଲେ l
ଖବର ପାଇ ହରଭଙ୍ଗା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସିଆରସିସି ବିଦ୍ୟାଳୟରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । କୌଣସି ସମାଧାନ ହୋଇ ନପାରିବା ହେତୁ ଶେଷରେ ପ୍ରଧାନ ଶିକ୍ଷକଙ୍କୁ ବିଇଓ କାର୍ଯ୍ୟାଳୟକୁ ବଦଳି କରା ଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ବାମଦେବ ଦାଶଙ୍କୁ ପ୍ରଧାନ ଶିକ୍ଷକ ଭାରପ୍ରାପ୍ତ ଦାୟିତ୍ବ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ଏବଂ ଶିକ୍ଷାଦାନ ପୂର୍ବ ପରି ମଧ୍ୟ ସ୍ବାଭାବିକ ହୋଇଥିଲା l