କଣ୍ଟାବାଞ୍ଜି, ୨୬/୦୮ : ବନ୍ଧୁ ସାଜିଲା ବଇରୀ। ସାଙ୍ଗକୁ ପିଟିପିଟି ହତ୍ୟା କଲା ସାଙ୍ଗ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁଡ଼କାନୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ମୁଡକାନୀ ଗାଁର କିଶୋର ପରାଭୁଏ ବୋଲି ଜଣାପଡିଛି। ଅଭିଯୁକ୍ତ ସାଙ୍ଗକୁ ପୁଲିସ ଅଟକ ରଖି ତଦନ୍ତ କରୁଛି।
ସୂଚନାନୁଯାୟୀ, ତୁରେକେଲା ଥାନା ମୁଡକାନୀ ଗାଁର କିଶୋର ପରାଭୁଏ ଓ ଶ୍ରୀଧର ଶବର ଦୁଇ ଜଣ ଭଲ ସାଙ୍ଗ। ସୋମବାର ସନ୍ଧ୍ୟାରେ ଗାଁରେ ଥିବା ପ୍ରହରୀ ମଣ୍ଡପ ନିକଟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଶ୍ରୀଧର ଶବର କିଶୋରକୁ ଆକ୍ରମଣ କରିଥିଲା। ଏହି ସମୟରେ କିଶୋର ଅଚେତ ହୋଇ ତଳେ ପଡିଯାଇଥିଲା। ପରିବାର ଲୋକେ କିଶୋର ପରାଭୁଏଙ୍କୁ ଖଡ଼ିଆଳ ମିଶନ ଡାକ୍ତରଖାନାକୁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ କିଶୋରଙ୍କ ପରିବାର ତୁରେକେଲା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସାଙ୍ଗ ଶ୍ରୀଧର ଶବରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।