ଭୁବନେଶ୍ଵର, ୨୬/୦୮ : ରାଜ୍ୟ ଶେଷ ହେଲା ଖରିଫ୍ ଧାନ ପଞ୍ଜୀକରଣ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଜୁଲାଇ ୧୯ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୫ ତାରିଖରେ ଏହା ଶେଷ ହୋଇଛି। ନଭେମ୍ବର ପହିଲାରୁ ଧାନ କିଣା ଆରମ୍ଭ ହେବ।
ଗତ ବର୍ଷ ଖରିଫ୍ ଋତୁରେ ୧୭ ଲକ୍ଷ ୫୦ ହଜାର ୪୬୨ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ସେହିପରି ମିଡିଲ ମ୍ୟାନ୍ ଫାଇଦା ନନେବା ପାଇଁ ଇ-କେୱାଇସି ଲାଗୁ କରାଯାଇଛି । ଏହାଦ୍ୱାରା କିନ୍ତୁ ପରେ କିଛି ସମସ୍ୟା ଉପୁଜିବାରୁ ସ୍ୱ-ଘୋଷିତ(ସେଲ୍ଫ ଡିକ୍ଲାରେସନ୍) ବ୍ୟବସ୍ଥା କରାଯାଇଥିଲା । ଗତବର୍ଷ ଠାରୁ ଧାନର ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୩୧ ଶହ ଟଙ୍କାକୁ ବଢ଼ିଥିବାରୁ ଏବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିବାକୁ ଆଗ୍ରହୀ ଥିଲେ । ମାତ୍ର ଉତ୍ତରାଧିକାରୀ ପ୍ରମାଣପତ୍ର ଭାବେ ବଂଶାବଳି ପ୍ରମାଣପତ୍ର ଓ ଅନୁମତିପତ୍ରର ଗୋଲକଧନ୍ଧା ଭିତରେ ଚାଷୀ ନୟାନ୍ତ ହୋଇପଡ଼ିଥିଲେ । ଆରଆଇଙ୍କ ଠାରୁ ବଂଶାବଳୀ ପ୍ରମାଣପତ୍ର ଆଣିବା ଓ ଭାଇ ଭାଇ ବିବାଦରେ ଅନୁମତିପତ୍ର ଆଣିବା ଜଟିଳ ବ୍ୟବସ୍ଥା ଭିତରେ ଚାଷୀ ହନ୍ତସନ୍ତ ହୋଇଥିଲେ । ଅନେକ ଚାଷୀ ଏହି ସମସ୍ୟା କାରଣରୁ ପଞ୍ଜୀକରଣ କରିପାରିନଥିଲେ । ଅସନ୍ତୋଷ ବଢ଼ିବା ପରେ ଅନୁମତି ଆବଶ୍ୟକ ନାହିଁ ‘ସ୍ୱ-ଘୋଷଣାପତ୍ର’ ଦେଇ ପଞ୍ଜୀକରଣ ହୋଇପାରିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଥିଲେ । ମାତ୍ର ବିଭାଗୀୟ ଚିଠି ନହେବାରୁ ‘ସ୍ୱ-ଘୋଷଣାପତ୍ର’ ଘୋଷଣା କେବଳ ଘୋଷଣାରେ ରହିଯାଇଥିଲା । ପଞ୍ଜୀକରଣ ବହୁ ପଛରେ ରହିଥିଲା । ୨୦ ତାରିଖରେ ଶେଷ ତାରିଖ ଥିବା ବେଳେ ୧୦ ତାରିଖ ସୁଦ୍ଧା ମାତ୍ର ୨୨ ହଜାର ୧୮୯ ଚାଷୀ ପଞ୍ଜୀକରଣ କରିଥିଲେ । ଯାହା ଗତବର୍ଷ ତୁଳନାରେ ୫୦ ପ୍ରତିଶତ ହୋଇଥିଲା । ଶେଷବେଳକୁ ସରକାର ପୁଣି ପଞ୍ଜୀକରଣର ଅବଧି ଆଉ ୫ ଦିନ ଅର୍ଥାତ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ସହ ‘ସ୍ୱ-ଘୋଷଣାପତ୍ର’ ନେଇ ଚିଠି ପ୍ରକାଶ ପାଇଥିଲା । ଏହାପରଠାରୁ ପଞ୍ଜୀକରଣ ଦ୍ରୁତଗତିରେ ବଢ଼ିଚାଲିଲା । ଚାଷୀ ‘ସ୍ୱ-ଘୋଷଣାପତ୍ର’ ଦେଇ ପଞ୍ଜୀକରଣ କଲେ । ଶେଷ ବେଳକୁ ଏତେ ବଢ଼ିଲା ଯେ, ସଂଖ୍ୟା ଗତ ବର୍ଷକୁ ବି ଟପି ଯାଇଛି ।