ପ୍ରମୂଖ ଖବର

ବିଚାରପତିଙ୍କ ବଙ୍ଗଳାରେ ଲାଗିଲା ନିଆଁ, ମିଳିଲା ଟଙ୍କାର ପାହାଡ଼, ନ୍ୟାୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

Published By : Rasmita Pradhan | March 21, 2025 10:06 AM

ନୂଆଦିଲ୍ଲୀ, ୨୧/୦୩ : ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ବଙ୍ଗଳାରେ ଲାଗିଲା ନିଆଁ। ମିଳିଲା ଟଙ୍କାର ପାହାଡ଼। ବିଡ଼ା ବିଡ଼ା ଟଙ୍କା ଦେଖି ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ତାଜୁବ। ସ୍ଥିତି ଏମିତି ହେଲା ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲେ ସୁପ୍ରିମକୋର୍ଟ। ଅନ୍ୟ ହାଇକୋର୍ଟକୁ ଟ୍ରାନ୍ସଫର ହେଲେ ସମ୍ପୃକ୍ତ ଜଜ୍‌। ନ୍ୟାୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ। ଜୋର୍ ଧରିଲା ସମ୍ପୃକ୍ତ ଜଜ୍‌ଙ୍କ ଇସ୍ତଫା ଦାବି। 

ସୂଚନାନୁଯାୟୀ, ବୁଧବାର ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ଏହି ସମୟରେ ଜଷ୍ଟିସ୍ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ଟଙ୍କା ମିଳିଥିଲା। ଏତେ ମାତ୍ରାରେ ନଗଦ ଟଙ୍କା ଦେଖି ପୋଲିସ ଏବଂ ଅଗ୍ନିଶମ ବାହିନୀ ତାଜୁବ୍ ହୋଇଯାଇଥିଲେ। ଏନେଇ ତୁରନ୍ତ ସିଜେଇ ସଞ୍ଜିବ ଖନ୍ନାଙ୍କୁ ସୂଚନା ଦିଆଯାଇଥିଲା। ସିଜେଇ ମାମଲାକୁ ଗୁରୁତ୍ଵ ଦେଇ ତୁରନ୍ତ କଲେଜିୟମ୍ ବୈଠକ ଡାକିଥିଲେ। କଲେଜିୟମର ନିଷ୍ପତ୍ତି ଅନୁସାରେ ଜଷ୍ଟିସ୍ ବର୍ମାଙ୍କୁ ତୁରନ୍ତ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। 

ନିଆଁ ଲାଗିବା ବେଳେ ଜଷ୍ଟିସ୍ ଯଶୱନ୍ତ ବର୍ମା ସହରରେ ନଥିଲେ। ତାଙ୍କ ଅନୁପସ୍ଥିତିରେ ଏହି ଘଟଣା ଘଟିଛି। ଅନ୍ୟ ପକ୍ଷରେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ନ୍ୟାୟପାଳିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ସମ୍ପୃକ୍ତ ଜଜ୍‌ଙ୍କ ଇସ୍ତଫା ଦାବି ଜୋର୍ ଧରିଛି। ସେ ଯଦି ଇସ୍ତଫା ନଦିଅନ୍ତି ତେବେ ଇନ-ହାଉସ୍ ଯାଞ୍ଚ ପାଇଁ ଦାବି କରାଯାଇଛି। ତେବେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ନ୍ୟାୟ ବ୍ୟବସ୍ଥା ଉପରକୁ ଲୋକଙ୍କୁ ବିଶ୍ଵାସ ତୁଟିଯିବ ବୋଲି ବହୁ ଜଜ୍ କହିଛନ୍ତି।  

ଇନ-ହାଉସ୍ ଯାଞ୍ଚ ପ୍ରକ୍ରିୟା କଣ ?

୧୯୯୯ରେ ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ, ଯଦି କୌଣସି ଜଜ୍‌ଙ୍କ ବିରୋଧରେ ଭ୍ରଷ୍ଟାଚାର, ଅସଦାଚରଣ, ଅନୁଶାସନହୀନତାର ଅଭିଯୋଗ ଆସେ ତେବେ ସିଜେଆଇ ଉକ୍ତ ଜଜ୍‌ଙ୍କୁ ଜବାବ ତଲବ କରନ୍ତି। ସନ୍ତୋଷଜନକ ଉତ୍ତର ନମିଳିଲେ ପ୍ୟାନେଲ ଗଠନ କରାଯାଏ। ଏହି ପ୍ୟାନେଲରେ ଜଣେ ସୁପ୍ରିମକୋର୍ଟ ଜଜ୍ ଏବଂ ୨ଜଣ ହାଇକୋର୍ଟ ଜଜ୍‌ଙ୍କୁ ସାମିଲ କରାଯାଏ।  




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.