ଭବାନୀପାଟଣା,୨୩/୧୦ : କଳାହାଣ୍ଡି ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା । ଜିଲ୍ଲା ପୁଲିସ ନିକଟରେ ଛତିଶଗଡ ଓ ପରେ ଓଡ଼ିଶା କେକେବିଏନ ମାଓ ସଂଗଠନର ଜଣେ କ୍ୟାଡ଼ର ମହିଳା ମାଓବାଦୀ ଦେବେ ସୋରି ଓରଫ ଗୀତା ଆତ୍ମ ସମର୍ପଣ କରିଛନ୍ତି । ଏ ସମ୍ବନ୍ଧରେ କଳାହାଣ୍ଡି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର ସୂଚନା ଦେଇଛନ୍ତି।
ଡିଆଇଜିଙ୍କ ଦିଆଯାଇଥିବା ସୂଚନା ଅନୁଯାୟୀ, ଛତିଶଗଡ ହିଡ଼ିମା କମାଣ୍ଡର ପିଏଲଜିଏ ବଟାଲିଆନ୍ ୧ରେ ଅନୁପ୍ରାଣିତ ହୋଇ ଛତିଶଗଡ଼ର ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟିର ପାର୍ଟି ସଦସ୍ୟ ଭାବେ ଗୀତା ଯୋଗ ଦେଇଥିଲେ । ସେ ସଙ୍ଗଠନର ଚିତ୍ର ନାଟ୍ୟ ମଣ୍ଡଳରେ ଯୋଗଦେଇ ଛତିଶଗଡର ହେରାମ ଜିପିରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଛତିଶଗଡର କମଲା ଏସିଏମ୍ (କମାଣ୍ଡର ପାମଡ୍ ଏରିଆ କମିଟି)ଙ୍କ ସହ ଯୋଗାଯୋଗ କରିଥିଲେ। ୨୦୧୮ ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନରେ ଯୋଗଦେଇଥିଲେ । ଛତିଶଗଡ ଅଞ୍ଚଳରେ ପ୍ରାୟ ତିନି ବର୍ଷ କାମ କରିବା ପରେ ତାଙ୍କୁ ଜୁଲାଇ ୨୦୨୨ରେ ଓଡିଶାକୁ ସ୍ଥାନାନ୍ତର କରାଯାଇଥିଲା। ପ୍ଲାଟୁନ୍ ନଂ ୨ରେ ପାର୍ଟି ସଦସ୍ୟ ଭାବେ ଯୋଗଦେଇଥିଲେ । ୮ କୋୟର ସଦସ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ବୌଦ୍ଧ ଅଞ୍ଚଳରେ କାର୍ଯ୍ୟ କରୁଥିଲ । ସେ ୫ଟି ପୁଲିସ ଓ ମାଓ ଗୁଳିବିନିମୟରେ ସଂପୃକ୍ତ ଥିଲେ। ନୂଆପଡା ଜିଲ୍ଲା ବୋଡ଼େନ ଥାନା ଅଞ୍ଚଳର ଦୁଇଟି ୨୦୨୨ ଜୁଲାଇ ୮ତାରିଖରେ ଦାଣ୍ଡ୍ରିପାନି ନିକଟରେ ଏବଂ ତାରାଝର ନିକଟରେ ୨୦୨୨ ଅକ୍ଟୋବର ୧୦ ତାରିଖର ଗୁଳି ବିନିମୟରେ ଜଡିତ ଥିଲେ ।
ସେହିପରି ୨୦୨୩ମସିହା ଡିସେମ୍ବର ୧୪ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନାଲିକମ୍ପା ଗ୍ରାମ ନିକଟରେ ଓ ଗତ ଜାନୁଆରୀ ୧୬ ଏବଂ ୨୨ ତାରିଖ ଗଡରମା ନିକଟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ଜଡିତ ଥିଲେ ବୋଲି ଡିଆଇଜି ନିତି ଶେଖର କହିଛନ୍ତି । ଅପରପକ୍ଷେ ମାଓବାଦୀ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିବାର ମୁଖ୍ୟ କାରଣ ହିଂସାତ୍ମକ ମାର୍ଗ ଛାଡି ମୁଖ୍ୟ ସ୍ରୋତ ସମାଜରେ ଯୋଗଦେବା, ବରିଷ୍ଠ ମାଓବାଦୀମାନଙ୍କ ପୂର୍ବ ଆଦର୍ଶ ବର୍ତ୍ତମାନ ନାହିଁ । ତାଙ୍କ ଉପରେ ଯୌନ ଶୋଷଣ ନେଇ ଦୃଷ୍ଟି ପକାଇବା ଦ୍ଵାରା ନିରାଶ ହୋଇଥିବାରୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଓ ସାଧାରଣ ଜୀବନଯାପନ କରିବା ପାଇଁ ସେ ଆତ୍ମସମର୍ପଣ କରିଥିବା ଡିଆଇଜି କହିଛନ୍ତି । ସାମ୍ବାଦିକ ସମ୍ମୀଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜି, ଆଇପିଏସ ରଣେନ୍ଦ୍ର ପ୍ରସାଦ(ପ୍ରୋବେଶନ) ଉପସ୍ଥିତ ଥିଲେ । ସରକାରଙ୍କ ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଦ୍ୱାରା ଉତ୍ସାହିତ ହୋଇ ଗୀତା ମଧ୍ୟ ହିଂସା ମାର୍ଗ ଛାଡି ମୁଖ୍ୟ ସ୍ରୋତରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ ଆଜିର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।