ନୂଆଦିଲ୍ଲୀ : ୟୁଏଇରେ ମୃତ୍ୟୁଦଣ୍ଡର ସାମ୍ନା କରୁଥିବା ଉତ୍ତର ପ୍ରଦେଶର ମହିଳା ଶହଜାଦୀ ଖାନଙ୍କ ପିତା , ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିତା ଶବୀର ଖାନଙ୍କ ଏହି ଆବେଦନରେ ବିଦେଶ ମନ୍ତ୍ରଣାଳୟ ତାଙ୍କ ଝିଅର ଆଇନ ସ୍ଥିତି ସ୍ପଷ୍ଟ କରିବା ଓ ନ୍ୟାୟ ଦେବାକୁ ଅପିଲ କରାଯାଇଛି।
୩୩ ବର୍ଷିୟ ଶହଜାଦୀ ଖାନଙ୍କୁ ଅବୁଧାବୀର ଅଲ ବଥବା ଜେଲ୍ରେ ବନ୍ଦୀ କରାଯାଇଛି। ସେ ନିଯୁକ୍ତିଦାତାଙ୍କ ନବଜାତ ଶିଶୁର ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଓକିଲ ଅଲୀ ଏମଡି ମାଜଙ୍କ ମାଧ୍ୟମରେ ଦାଏର ଆବେଦନରେ କୁହାଯାଇଛି ଯେ, ଡିସେମ୍ୱର ୨୦୨୧ରେ ଶହଜାଦୀ ଭିସା ନେଇ ଅବୁଧାବୀ ଯାତ୍ରା କରିଥିଲେ। ଅଗଷ୍ଟ ୨୦୨୨ରେ ତାଙ୍କୁ ନିଯୁକ୍ତିଦାତାଙ୍କ ଶିଶୁପୁତ୍ରର ଦେଖାଶୁଣା ପାଇଁ ନିଯୁକ୍ତ କରାଯାଇ ଥିଲା। ୭ ଡିସେମ୍ୱର ୨୦୨୨ରେ ଶିଶୁକୁ ଟିକା ଦିଆଯାଇ ଥିଲା ଏବଂ ସେହି ଦିନ ତାର ମୃତ୍ୟୁ ହୋଇ ଥିଲା।
ପୋଷ୍ଟମର୍ଟମର ସୁପାରିଶ ସତ୍ତ୍ୱେ ମାତା ପିତା ମନା କରି ଦେଲେ ଏବଂ ଯାଞ୍ଚ ରୋକିବାକୁ ସହମତି ପତ୍ରରେ ଦସ୍ତକ୍ଷତ କରିଥିଲେ। ଫେବ୍ରୁଆରୀ ୨୦୨୩ରେ ଏକ ଭିଡ଼ିଓ ରେକର୍ଡିଂରେ ଅଭିଯୋଗ ମୁତାବକ ଶହଜାଦୀଙ୍କୁ ହତ୍ୟା ସ୍ୱୀକାର କରିଥିବାର ଦେଖାଯାଇ ଥିଲା। କିନ୍ତୁ ତାଙ୍କର ଦାବି କି, ଏହି ସ୍ୱୀକାରୋକ୍ତି ନିଯୁକ୍ତିଦାତା ଦ୍ୱାରା ନିର୍ଯାତନା ଓ ଚାପରେ ନିଆ ଯାଇଛି। ୧୦ ଫେବ୍ରୁଆରୀ ୨୦୨୩ରେ ଶହଜାଦୀଙ୍କୁ ପୁଲିସକୁ ପ୍ରଦାନ କରାଯାଇ ଥିଲା ଏବଂ ୩୧ ଜୁଲାଇ ୨୦୨୩ରେ ମୃତ୍ୟୁଦଣ୍ଡ ଶୁଣାଯାଇଛି।
ଭାରତୀୟ ଦୂତାବାସ ଆଇନଗତ ପରାମର୍ଶ ଦେଇଛି , କିନ୍ତୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳି ନାହିଁ। ସେପ୍ଟେମ୍ୱର ୨୦୨୩ରେ ଅପିଲ ଖାରଜ କରି ଦିଆ ଯାଇଛି ଏବଂ ୨୮ ଫେବ୍ରୁଆରୀ ୨୦୨୪ରେ ସଜା ବଜାୟ ରହି ଥିଲା। ଶବୀର ଖାନ ଦୟା ଆବେଦନ ଦାଏର କରିଥିଲେ , କିନ୍ତୁ କୌଣସି ସକାରାତ୍ମକ ଜବାବ ମିଳି ନାହିଁ। ୧୪ ଫେବ୍ରୁଆରୀ ୨୦୨୫ରେ ଜେଲ୍ରୁ ଆସିଥିବା ଏକ କଲ୍ରେ ଆସନ୍ନ ଫାଶୀର ସୂଚନା ଦିଆ ଯାଇଛି, ଯାହାପରେ ୨୦ ଫେବ୍ରୁଆରୀ ୨୦୨୫ରେ ବିଦେଶ ମନ୍ତ୍ରଣାଳୟରୁ ସାହାଯ୍ୟ ମଗାଯାଇ ଥିଲା , କିନ୍ତୁ କୌଣସି ଜବାବ ଆସି ନାହିଁ । ଏବେ ଶବୀର ଖାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ସରକାରଙ୍କୁ ଝିଅର ସୁରକ୍ଷା ସୁନିଶ୍ଚିତ କରିବାକୁ ଅପିଲ କରିଛନ୍ତି।