ତିରୁବନନ୍ତପୁରମ ୦୨/୦୩: ଯୌନ ଅପରାଧ ସହିତ ଅପରାଧୀକ ମାମଲାରେ ଏହା ଅନୁମାନ ଲଗାଯାଇପାରିବ ନାହିଁ ଯେ ଆବେଦନକାରୀ ମହିଳା ହୋଇଥିବାରୁ ତାଙ୍କର ସବୁ କଥା ସତ । କାହିଁକି ନା ଆଜିକାଲି ଏଭଳି ଅନେକ ଅଭିଯୋଗ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ଲାଗି ଆସୁଛି । ଯୌନ ଉତ୍ପୀଡନ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ଅବସରରେ ବିଚାରପତି ପି.ଭି କୁହ୍ନିକୃଷ୍ଣନ ଏହା କହିଛନ୍ତି ।
ହାଇକୋର୍ଟ କହିଛନ୍ତି ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆର ଆଧାରରେ ଏକତରଫା ଭାବେ ଯାଞ୍ଚ କରାଯାଇପାରିବ ନାହିଁ । ପୁଲିସକୁ ଉଭୟ ପକ୍ଷର ବୟାନ ଶୁଣିବାକୁ ହେବ । ସେହି ଆଧାରରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ପଡିବ । ମିଥ୍ୟା ଅଭିଯୋଗ ଯୋଗୁ ଜଣଙ୍କର ହେଉଥିବା କ୍ଷତିକୁ ଟଙ୍କା ଦେଇ ଭରଣା କରାଯାଇପାରିବ ନାହିଁ । ମିଥ୍ୟା ଅଭିଯୋଗ ଯୋଗୁ ଅଭିଯୁକ୍ତଙ୍କ ମାନ, ସମ୍ମାନ ଓ ପ୍ରତିଷ୍ଠା ସବୁ ଚାଲିଯାଏ ।
ଗତ ଫେବ୍ରୁଆରୀ ୨୪ରେ ହାଇକୋର୍ଟ ଦେଇଥିବା ରାୟରେ କହିଛନ୍ତି ଯେ ଆଜିକାଲି ଯୌନ ଅପରାଧ ଭଳି ଗମ୍ଭୀର ଅଭିଯୋଗରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବାର ପ୍ରବୃତ୍ତି ବଢ଼ିଚାଲିଛି । ଯଦି ପୁଲିସକୁ ଲାଗେ କି ମହିଳାଙ୍କ ଅଭିଯୋଗର ସତ୍ୟତା ନାହିଁ, ତେବେ ଅଭିଯୋଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଆଇନରେ ପୁଲିସକୁଏଭଳି କ୍ଷମତା ଦିଆଯାଇଛି । ତଦନ୍ତ ସମୟରେ ଅପରାଧୀକ ମାମଲାରେ କେତେ ସତ ଓ କେତେ ମିଛ ରହିଛି ତାକୁ ପୁଲିସ ଭଲ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ । ସେଥିପାଇଁ ଅପରାଧୀକ ମାମଲାରେ ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଧାନରୁ ଅଗାଡି ବାହାର କରିବା କାମ ହେଉଛି ପୁଲିସର ।
ପୁରା ମାମଲା ଏକ କମ୍ପାନିର ଦୁଇ କର୍ମଚାରୀଙ୍କ ସହ ଯୋଡିହୋଇଛି । ପୀଡିତା ମହିଳା ଯେଉଁ କମ୍ପାନିରେ କାମ କରୁଥିଲେ ଅଭିଯୁକ୍ତ ଯୁବକ ତାର ମ୍ୟାନେଜର ଥିଲେ । ପୀଡିତା ଅଭିଯୋଗ କରିଥିଲେ କି ଯୌନ ଆକାଂକ୍ଷା ରଖି ଅଭିଯୁକ୍ତ ମ୍ୟାନେଜର ତାଙ୍କ ହାତକୁ ଧରିଥିଲେ । ହେଲେ ଅଭିଯୁକ୍ତ ଏହାକୁ ଖଣ୍ଡନ କରିଥିଲେ । ଏଥିସହ ସେ ପୀଡିତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ । ସେମାନଙ୍କ କଥାବାର୍ତ୍ତାକୁ ଅଭିଯୁକ୍ତ ରେକର୍ଡିଂ କରିଥିଲେ ଏବଂ ତାକୁ ପେନ୍ଡ୍ରାଇଭରେ ଆଣି ପୁଲିସକୁ ଦେଇଥିଲେ । ହାଇକୋର୍ଟ କହିଛନ୍ତି ଏଭଳି କ୍ଷେତ୍ରରେ ଅଭିଯୁକ୍ତଙ୍କ ଅଭିଯୋଗର ତଦନ୍ତ ମଧ୍ୟ ପୁଲିସକୁ କରିବା ଉଚିତ । ଏଥିସହ ହାଇକୋର୍ଟ ଏହି ମାମଲାର ଅଭିଯୁକ୍ତଙ୍କୁ ବେଲ୍ବଣ୍ଡ ସହ ଜାମିନ ପ୍ରଦାନ କରିଛନ୍ତି।