ବରଗଡ଼,୭/୬ : ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି । ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି । ଏପରି ଏକ ପରିସ୍ଥିତି ଦେଖିବାକୁ ମିଳିଛି ଅତାବିରା ମଣ୍ଡିରେ l ଚାଷୀ ସମସ୍ୟାର ପ୍ରତିବାଦରେ ଶନିବାର ଚାଷୀମାନେ ଅତାବିରା ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାନ ପକାଇବା ସହ ମଣ୍ଡିରେ ତାଲା ପକାଇ ଦେଇଛନ୍ତି । ଧାନ ବିକ୍ରିରେ ଦେଖା ଦେଇଥିବା ଅଚଳାବସ୍ଥା ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି l
ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ବଢ଼ିବାରେ ଲାଗିଛି l ଲକ୍ଷାଧିକ ପ୍ୟାକେଟ ଧାନ ବିଭିନ୍ନ ମାର୍କେଟ ୟାର୍ଡ଼ରେ ପଡ଼ି ରହିଛି l କ୍ରୟ ସଂସ୍ଥା ମଣ୍ଡିରୁ ଧାନ ଉଠାଉ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି l ଯାହା ଆଗରୁ ଅନୁମାନ କରାଯାଉଥିଲା ଆଜି ତାହା ଘଟିଛି l ଅସନ୍ତୁଷ୍ଟ ଚାଷୀ ଅତାବିରା ମଣ୍ଡି କାର୍ଯ୍ୟାଳୟରେ ଶହ ଶହ ବସ୍ତା ଧାନ ପକାଇ ତାଲା ମାରି ଆନ୍ଦୋଳନ କରିଥିଲେ l ଖବରପାଇ ବରଗଡ଼ ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ ଘଟଣାସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l ତେବେ ଚାଷୀ ଧାନ ଉଠାଇବାକୁ ଜିଦ ଧରିଥିଲେ l ଖବରପାଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଅତାବିରା ମଣ୍ଡିକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l ପରେ ପ୍ରଶାସନିକ ଅଧିକାରୀ, ଚାଷୀ ଓ ବିଧାୟକ ତ୍ରୀପାକ୍ଷିକ ଆଲୋଚନା କରି ଧାନ ଉଠାଣକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ l
୭ଟି ଟ୍ରକରେ କ୍ରୟ ସଂସ୍ଥା ଧାନ ଉଠାଇବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀ ଶାନ୍ତ ହୋଇଛନ୍ତି l ତେବେ ଧାନ ଉଠାଣରେ ମନ୍ଥରତା ଦେଖା ଦେଲେ ପୁଣି ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚାଷୀ ରୋକ୍ ଠୋକ୍ ଶୁଣାଇଛନ୍ତି l