ଭଦ୍ରକ, ୨୭/୦୫ : ୨୫ ତାରିଖରେ ଅଲଟ୍ରାସାଉଣ୍ଡ୍ ରିପୋର୍ଟରେ ଶିଶୁ ଜୀବିତ । ୨୬ରେ ଜନ୍ମହେଲା ମଲା ଛୁଆ। ଆଶା ଭାଙ୍ଗିଦେଲା ଭୁଲ୍ ଅଲଟ୍ରାସାଉଣ୍ଡ୍ ରିପୋର୍ଟ। ଏବେ କ୍ଲିନିକ୍ ସମ୍ମୁଖରେ ଧାରଣା ବସିଛନ୍ତି ପରିବାର । ଭଦ୍ରକ ସହର ବାଇପାସ୍ ସ୍ଥିତ ଏକ ଘରୋଇ କ୍ଲିନିକ୍ ତ୍ରୁଟିପୂର୍ଣ୍ଣ ଅଲଟ୍ରାସାଉଣ୍ଡ୍ ରିପୋର୍ଟ ଦେଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁକୁ ଧରି କ୍ଲିନିକ୍ ସମ୍ମୁଖରେ ପରିବାର ଲୋକେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି । ଖବର ପାଇ ଭଦ୍ରକ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧିନସ୍ଥ ଦୋଳସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ସ୍ତ୍ରୀ ଡେଲିଭରି ପାଇଁ ୨୫ ତାରିଖରେ ସମ୍ପୃକ୍ତ କ୍ଲିନିକ୍କୁ ଅଲଟ୍ରାସାଉଣ୍ଡ୍ କରିବାକୁ ଆସିଥିଲେ। ସେତେବେଳେ ପିଲାଟି ସୁସ୍ଥ ଥିବା କହିବା ସହ ଡାକ୍ତର ରିପୋର୍ଟ ଦେଇଥିଲେ। ହେଲେ ୨୬ ତାରିଖ ଦିନ ହଠାତ୍ ପ୍ରଫୁଲଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଡାକ୍ତର ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ କହିଥିଲେ। ଏହାପରେ ପ୍ରଫୁଲ୍ଲ ତାଙ୍କ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଏକ ମୃତ ଶିଶୁ ଜନ୍ମ ହୋଇଥିଲା। ପିଲାଟି ପୂର୍ବରୁ ମା' ପେଟ ଭିତରେ ମରିଯାଇଥିବା କଥା ଡାକ୍ତର କହିଥିଲେ। ତେବେ ପିଲାଟି ଯଦି ମା ପେଟ ଭିତରେ ମରିଯାଇଥିଲା ତାହେଲେ ଅଲଟ୍ରାସାଉଣ୍ଡ୍ ରିପୋର୍ଟରେ ଜୀବିତ କେମିତି ଆସିଲା ବୋଲି ପ୍ରଫୁଲ ପ୍ରଶ୍ନ କରିଛନ୍ତି। ପ୍ରଫୁଲଙ୍କ ପରିବାର ଲୋକେ ଗତକାଲି ବିଳମ୍ବିତ ରାତିରୁ ମୃତ ଶିଶୁକୁ ଧରି ବାଇପାସ୍ ସ୍ଥିତ କ୍ଲିନିକ୍ ସମ୍ମୁଖରେ ଧାରଣା ଦେଇଛନ୍ତି।
ଆଜି ଭଦ୍ରକ-ଚାନ୍ଦବାଲି ରାଜପଥ ବାଇପାସ୍ ଠାରେ ରାସ୍ତା ଅବରୋଧ କରାଯାଇଛି। ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ବାରମ୍ବାର ଏଭଳି ତ୍ରୁଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଟାଉନ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।