ମନମୁଣ୍ଡା,୨୮/୫ : ବୌଦ୍ଧ ଜିଲ୍ଲାରେ ରବି ଧାନ କ୍ରୟ ଆଜି ଶୁଭାରମ୍ଭ ହୋଇଛି । ନିୟନ୍ତ୍ରିତ ବଜାର କମିଟି ସୌଜନ୍ୟତାରେ ମନମୁଣ୍ଡା ବଜାର ପ୍ରାଙ୍ଗଣରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସମ୍ମାନିତ ଅତିଥିଭାବେ ଏଡିଏମ୍ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସି ଏସ ଓ ଶ୍ରୀନାଥ ହାଁସଦା, ଆର.ଏମ.ସି. ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଡି.ଆର.ସି.ଏସ. ହାଡ଼ିବନ୍ଧୁ ମହାକୁଡ଼, ସିଡିଏ ଓ ବୌଦ୍ଧ ଭେଙ୍କଟ ରମନ ରାଓ, ମନମୁଣ୍ଡା ସେବା ସମବାୟ ସମିତି ସଭାପତି ଗିରିଜା ନନ୍ଦନ ଦାନୀ, ମିଲର୍ସ ସଂଘ ସଭାପତି ଅଶୋକ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ।
ମନମୁଣ୍ଡା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ମଣ୍ଡି ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ରହିଛି । ଆଲୋକିକରଣ, ଗୋଦାମ ଗୃହ, ବିରାଟ ଧାନ ମଣ୍ଡପ, ଚାଷୀ ବିଶ୍ରାମ ସ୍ଥଳୀ, ପିଇବା ପାଣି, ଶୌଚାଳୟ ଇତ୍ୟାଦି ସମସ୍ତ ପ୍ରକାର ସୁବିଧା ରହିଛି ଓ ଶାନ୍ତି ଶୃଙ୍ଖଳା ସହ ଏଠାରେ ମଣ୍ଡି ଚାଲିବାର ନଜିର ମଧ୍ୟ ରହିଛି । ଜିଲ୍ଲାର ଏହା ଏକ ଆଦର୍ଶ ମଣ୍ଡି ଭାବେ ସୁଖ୍ୟାତି ରହିଥିବା ଅତିଥିଗଣ ମତବ୍ୟକ୍ତ କରିଥିଲେ । ଚାଷୀମାନେ କିପରି ସୁରୁଖୁରୁରେ ଧାନ ବିକ୍ରୟ କରିପାରିବେ ପ୍ରଶାସନ ସେ ଦିଗରେ ସମ୍ପୂର୍ଣ୍ଣ ସଚେତନତା ସହ ସଜାଗ ରହିଛି । ଚାଷୀମାନେ କିପରି କୌଣସି ଅସୁବିଧା ର ସମ୍ମୁଖୀନ ନ ହେବେ ପ୍ରଶାସନ ଯତ୍ନବାନ ରହିଛି । ଚାଷୀମାନେ ଉନ୍ନତ ମାନର ଧାନ ଆଣି ଠିକ୍ ପ୍ରାପ୍ୟ ନେବାକୁ ଏବଂ ମଣ୍ଡି ଅଧିକାରୀଙ୍କ ସହ ସହଯୋଗ କରିବାକୁ ଚାଷୀମାନଙ୍କୁ ଜିଲ୍ଲାପାଳ ଏବଂ ମୁଖ୍ୟ ଅତିଥି ଅନୁରୋଧ କରିଥିଲେ।
ମିଲ ମାଲିକ ମଣ୍ଡି ସମ୍ପାଦକଙ୍କ ଜରିଆରେ ଅଖା ବସ୍ତା ଚାଷୀମାନଙ୍କୁ ଯୋଗାଇ ଦେବାକୁ ଓ କଟନି ଛଟନି ନିୟମ ନ ଥିବାବେଳେ ତଥାପି ପୂର୍ବପରି ୩କେଜି ବଦଳରେ ୧କେଜି କାଟିବାକୁ ଚାଷୀ ଗଣେଶ୍ୱର ପାତ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଚାଷୀମାନଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ମିଲର୍ସ ସଂଘ ସଭାପତି ଶ୍ରୀ ଅଗ୍ରୱାଲଙ୍କୁ ଜିଲ୍ଲାପାଳ କହିଥିଲେ। କିନ୍ତୁ ଖରିଫ ଋତୁରେ ଯେପରି ଚାଲିଥିଲା ସେହି ଅନୁସାରେ ଚାଲିବ ଏବଂ ଏଫ୍ ଏକ୍ୟୁ ମାନର ଧାନ ଆଣି ଠିକ୍ ପ୍ରାପ୍ୟ ନେବାକୁ ଚାଷୀମାନଙ୍କୁ ମିଲର୍ସ ସଂଘ ସଭାପତି କହିଥିବା ଜାଣିବାକୁ ମିଳିଛି। ଡିଆରସିଏସ ହାଡ଼ିବନ୍ଧୁ ମହାକୁଡ଼ ସଭା ପରିଚାଳନା ଏବଂ ମନମୁଣ୍ଡା ଏସସିଏସ ସଭାପତି ଗିରିଜା ନନ୍ଦନ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ।
ମନମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ଅଧିକାରୀ ସୁକୁମାର ପ୍ରଧାନ, କର୍ମଚାରୀ ରଶ୍ମି ରଞ୍ଜନ କୁଦେଇ, ଶଶି ରଣା, ବିଷ୍ଣୁ ଚରଣ ପ୍ରଧାନ, ରମେଶ ବାଘ କାର୍ଯ୍ୟକ୍ରମ ଆୟୋଜନ ଏବଂ ମନମୁଣ୍ଡା ମଣ୍ଡି ସମ୍ପାଦକ ମୃତ୍ୟୁଞ୍ଜୟ ହୋତା, ଡିଇଓ ରୋହିତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଆଜି ଦୁଇ ଜଣ ଚାଷୀ କୃତିବାସ ମହଲା ୪୨.୪୮କୁଇଣ୍ଟାଲ ଏବଂ ହରି ବାରିକ ୪୧.୭୬କୁଇଣ୍ଟାଲ ଧାନ ମଣ୍ଡିରେ ଗଦା ରଖିଥିବାବେଳେ ଟାର୍ଗେଟ ଅଭାବରୁ ମିଲର୍ସ ଗାଡ଼ି ପଠାଇ ନ ଥିବାରୁ ଧାନ ଉଠାଯାଇ ପାରି ନ ଥିବା ମଣ୍ଡି ସମ୍ପାଦକ ମୃତ୍ୟୁଞ୍ଜୟ ହୋତାଙ୍କ ଠାରୁ ଜାଣିବାକୁ ମିଳିଛି।