ସମ୍ବଲପୁର, ୨୮।୫ : ସମ୍ଵଲପୁର ଜିଲ୍ଲା ବଡ଼ରମା ଘାଟିରେ ଦୁର୍ଘଟଣା। ଘାଟି ରାସ୍ତାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସମ୍ବଲପୁରରୁ ଦେବଗଡ଼କୁ ଯାଇଥିବା ୫୩ନଂ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରାୟ ୩ ଘଣ୍ଟା ହେଲା ୨ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି।
ସୂଚନାନୁଯାୟୀ, ବୁଧବାର ଦିନ ୧୦ଟା ବେଳେ ଦେବଗଡ଼ ପଟରୁ ଆସୁଥିବା ଏକ ଟ୍ରକ୍ ବଡ଼ରମା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରକଟି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲା। ଫଳରେ ବଡ଼ରମାରୁ ଜମନକିରା ଓ ଗୌଡ଼ପାଲି ପର୍ଯ୍ୟନ୍ତ ୨ ପଟ ରାସ୍ତାରେ ଗାଡ଼ି ଜାମ୍ ହୋଇରହିଛି। ପ୍ରାୟ ୩ ଘଣ୍ଟା ହେଲା ୨ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି। ଏମିତିକି କିଛି ଆମ୍ଵୁଲାନ୍ସ ଅଟକି ରହିଛନ୍ତି। ଘଟଣା ସ୍ଥଳରେ ଜମନକିରା ଥାନା ପୁଲିସ ଉପସ୍ଥିତ ଅଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ରାସ୍ତାରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଟୋଲ ଟିକସ ସଂଗ୍ରହ କରାଯାଉଛି। କିନ୍ତୁ ଦୁର୍ଘଟଣା ହେବା ପରେ ଗାଡ଼ି ସ୍ଥାନାନ୍ତର ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଘଣ୍ଟାଘଣ୍ଟା ଧରି ରାସ୍ତା ଜାମ୍ ରହୁଛି। ଏମିତି କି, ଟୋଲ୍ ଗେଟ୍ କ୍ରେନ୍ ରହିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏହାକୁ ପାଳନ କରାଯାଉନଥିବା ଅଭିଯୋଗ ହୋଇଛି।
ବଡ଼ରମା ଘାଟିରେ ନିୟମିତ ଦୁର୍ଘଟଣା ଘଟି ରାସ୍ତା ଜାମ୍ ରହୁଛି। ସମ୍ବଲପୁରରୁ ଦେବଗଡ଼କୁ ଯାଇଥିବା ଏହି ୫୩ ନଂ ଜାତୀୟ ରାଜପଥ ପ୍ରାୟ ୨୮ କିଲୋମିଟର ରାସ୍ତା ଦୋହରୀକରଣ ହୋଇନି। ଗୌଡ଼ପାଲିରୁ ଜମନକିରା ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାସ୍ତା ପାଇଁ ବଡ଼ରମା(ଉଷାକୋଠି) ଅଭୟାରଣ୍ୟ ବାଧକ ସାଜିଛି।