ନୂଆଦିଲ୍ଲୀ ୦୮/୧୦: ଚନ୍ଦ୍ରକୁ ମାନବ ମିଶନର ଜୋରଦାର ପ୍ରସ୍ତୁତି ଚାଲିଛି । ନିକଟରେ ଜର୍ମାନ ମହାକାଶ ଏଜେନ୍ସି (ଡିଏଲ୍ଆର) ଓ ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ପୃଥିବୀରେ ଚନ୍ଦ୍ର ଭଳି ସ୍ଥିତି ନିର୍ମାଣ କରିଛନ୍ତି । ଏଭଳି ସୁବିଧା ଲଞ୍ଚ୍ କରିଛନ୍ତି, ଯେଉଁଠି ମହାକାଶଚାରୀ ପୃଥିବୀରେ ରହି ଚନ୍ଦ୍ର ଭଳି ସ୍ଥିତିର ଅନୁଭବ ପାଇବେ ।
ପୃଥିବୀରେ ଚନ୍ଦ୍ରର ସ୍ଥିତି ନିର୍ମାଣ ଲାଗି ୩ଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଆବଶ୍ୟକ । ପ୍ରଥମତଃ, ରିଗୋଲିଥ୍ (ଚନ୍ଦ୍ର ମୃତ୍ତିକା) ଭଳି ଏକ ରାସାୟନିକ ମିଶ୍ରଣବିଶିଷ୍ଟ ବାଲିପୂର୍ଣ୍ଣ ଉପାଦାନ । ୨ୟତଃ, ସୂର୍ଯ୍ୟର କୋଣର ନକଲ ଲାଗି ଖାସ୍ ଆଲୋକ ବ୍ୟବସ୍ଥା ଓ ଚନ୍ଦ୍ରର ମାଧ୍ୟାକର୍ଷଣ ଅନୁକରଣ, ଯାହା ପୃଥିବୀରେ ଚନ୍ଦ୍ରର ମାଧ୍ୟାକର୍ଷଣ ଭଳି ପ୍ରଭାବ ଦେବ । ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିବୀ ମାଧ୍ୟାକର୍ଷଣର ଏକ ୬ଷ୍ଠମାଂଶ । ଏ ସବୁ ପାଇଁ ଏକ ବିଶାଳ ଧାତୁ ହ୍ୟାଙ୍ଗର ଭଳି ବିଶାଳ କଣ୍ଟେନର ଆବଶ୍ୟକ ।
ଜର୍ମାନ ଓ ୟୁରୋପୀୟ ମହାକାଶ ଏଜେନ୍ସି ୨୦୨୪, ସେପ୍ଟେମ୍ବର ଶେଷରେ ଚନ୍ଦ୍ର ଭଳି ସୁବିଧାଯୁକ୍ତ ଲୁନା ଆନାଲଗ୍ ଫାସିଲିଟିର ଉନ୍ମୋଚନ କଲେ । ସେମାନେ ଚନ୍ଦ୍ରର ଅଦ୍ଭୁତ ଭୂଖଣ୍ଡକୁ ପ୍ରତିନିଧିତ୍ୱ କରିବାର ଦୁଇ ତୃତୀୟାଂଶ ମାର୍ଗ ପାଇଲେ । ଗୋଟିଏ ଜଟିଳ ଉପାଦାନ ନ ଥିଲା । ସ୍ପେସ୍ସୁଟ୍ରେ ପିନ୍ଧିଥିବା ଦୁଇଜଣ ମହାକାଶଚାରୀଙ୍କ ଉପରେ ସ୍ପଟ୍ଲାଇଟ୍ ପଡ଼ିବା ଦ୍ୱାରା ଘନ ଅନ୍ଧକାର ଦୂରେଇଗଲା।
ସେହି ଦୁଇ ମହାକାଶଚାରୀ ଥିଲେ ଜର୍ମାନୀର ମାଥିଆସ ମରର୍ ଓ ଫ୍ରାନ୍ସର ଥୋମାସ୍ ପେସ୍କେ୍ୱଟ୍ । ଉଭୟ ସ୍ପେସ୍ ସୁଟ୍ ପିନ୍ଧି ହ୍ୟାଙ୍ଗର୍ ଭିତରେ ବିସ୍ତୃତ ୭୦୦ ବର୍ଗ ମିଟର (୭,୫୦୦ ବର୍ଗ ଫୁଟ) ର କୃତ୍ରିମ ରିଗୋଲିଥ୍ (ଚନ୍ଦ୍ର ମାଟି)ରେ ଚାଲିଥିଲେ । ଏହାକୁ ଇଟାଲିର ମାଉଣ୍ଟ୍ ଏଟନା, ଜର୍ମାନୀର ଆଇଫେଲ କ୍ଷେତ୍ର ଓ ନରୱେର ଆଗ୍ନେୟଗିରି ମାଟିରୁ ପ୍ରସ୍ତୁତ କରାଯାଇଥିଲା ।
ଲମ୍ବା ହ୍ୟାଣ୍ଡେଲ ଥିବା ସ୍କୁପ୍ଯୁକ୍ତ ଏକ ନମୁନା ଟ୍ରଲି ଓ ରୋବୋଟିକ୍ କୁକୁର ପ୍ରାୟ ୧୦୦ ବୈଜ୍ଞାନିକଙ୍କ ସାମ୍ନାରେ ନକଲି ଚନ୍ଦ୍ର ପୃଷ୍ଠରେ ଚାଲିଥିଲେ । ସେମାନେ ଯେତେବେଳେ ଚାଲିଲେ, ମହାକାଶଚାରୀ ଚନ୍ଦ୍ରକୁ ଗଲେ ତାଙ୍କ ଦୃଷ୍ଟିଶକ୍ତିରେ ସୂର୍ଯ୍ୟ କିଭଳି ବାଧକ ସାଜେ, ତାହା ଅନୁକରଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ କୋଣରୁ ସେମାନଙ୍କ ଉପରେ ଆଲୋକ ପଡ଼ିଲା । କିନ୍ତୁ ୧୯୬୯ ମସିହା ଆପୋଲୋ ୧୧ ମିଶନର ଦୃଶ୍ୟ ଭଳି ସେମାନେ ନ ଡେଇଁ ଚାଲିଲେ । କାରଣ ଲୁନା ଆନାଲଗ୍ ଫାସିଲିଟିର ଚନ୍ଦ୍ର ମାଧ୍ୟାକର୍ଷଣ ନାହିଁ ।
ଲୁନା ଆନାଲଗ୍ ଫାସିଲିଟିର ବିକାଶ ଗତ ୧୨ ବର୍ଷ ହେଲା ଚାଲିଛି । ମହାକାଶରେ ୧୭୭ ଦିନ ବିତାଇଥିବା ମରର୍ ଆରମ୍ଭରୁ ଏହି ବିଚାରକୁ ଆଗକୁ ବଢ଼ାଇଛନ୍ତି । ସେ କହିଛନ୍ତି, ଏହି ସୁବିଧା ମାଧ୍ୟାକର୍ଷଣ ଅଫ୍ଲୋଡ୍ ସିଷ୍ଟମ୍ ବିନା ମଧ୍ୟ ଚନ୍ଦ୍ରର ବାସ୍ତବିକତାକୁ ଧରି ରଖିଛି । ଲୁନା ସମଗ୍ର ବିଶ୍ୱର ମିଶନ ନିୟନ୍ତ୍ରଣ କେନ୍ଦ୍ରମାନଙ୍କ ସହ ଯୋଡ଼ି ହୋଇପାରେ । କୋଲନ୍ ସ୍ଥିତ ଡିଏଲ୍ଆର ଓ ମ୍ୟୁନିଚ୍ ସ୍ଥିତ ଜର୍ମାନ ସ୍ପେସ୍ ଅପରେସନ୍ସ ସେଣ୍ଟର୍ (ଜିଏସ୍ଓସି)ରୁ ଆମେରିକାର ନାସା ଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପର୍ଯ୍ୟନ୍ତ । ଏହାର ଅର୍ଥ ସିମୁଲେସନ୍କୁ ଦୂରରେ ଥାଇ ପରିଚାଳନା କରାଯାଇପାରେ । ଚନ୍ଦ୍ରର ରିଗୋଲିଥ୍ ଅନ୍ୟତମ ବଡ଼ କାରକ ।
ମରର୍ କହନ୍ତି, ଏହା ଏକ ବଡ଼ ବୈଷୟିକ ବାଧକ । ଏହା ସମସ୍ତ ବିଦ୍ୟୁତ୍ ଉପକରଣକୁ ଖରାପ କରିଦେଉଛି । ରିଗୋଲିଥ୍ରେ ଗତି କରୁଥିବା ଅଂଶଗୁଡ଼ିକରେ ଏହା ଫସିଯାଉଛି । ଏହା ମହାକାଶ ସୁଟ୍ ଭିତରେ ବି ପଶିଯାଉଛି । ଏହାର ପରୀକ୍ଷଣ ଏଠାରେ କରାଯାଇପାରିବ। ଚନ୍ଦ୍ର ଆଲୋକର ମହାକାଶଚାରୀଙ୍କ ଉପରେ ପଡୁଥିବା ପ୍ରଭାବକୁ ବୈଜ୍ଞାନିକମାନେ ଅଧ୍ୟୟନ କରିପାରିବେ । ତେବେ ଲୁନାରେ ଚନ୍ଦ୍ର ମାଧ୍ୟାକର୍ଷଣ ନାହିଁ । ସେଥିପାଇଁ ଏହା ପୃଥିବୀ ଭଳି ଅନୁଭବ ପ୍ରଦାନ କରୁଛି ।