ଭୁବନେଶ୍ୱର, ୫।୧: କଇଁଛ ରୋଷେଇ କରି ଖାଇଲେ ଓ ରୋଷେଇର ଭିଡିଓ କଲେ । ଭିଡିଓକୁ ଅପଲୋଡ୍ କରିବା ପରେ ସୋସିଆଲ ମିଡିଆରେ ହେଉଛି ଭାଇରାଲ l ବିବେକ ବୋଲି ଜଣେ ଓଡ଼ିଆ ଯୁବକଙ୍କ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଇଣ୍ଡିଆନ ଫ୍ଲାପ୍ ସେଲ କଇଁଛକୁ ରାନ୍ଧି ଖାଇବା ଭିଡିଓ ଅପଲୋଡ୍ କରିଛନ୍ତି । ଭିଡିଓଟି ଗତ ବର୍ଷ ଡିସେମ୍ବର ୨୭ରେ ଅପଲୋଡ୍ ହୋଇଥିଲା । ଯୁବକ ଜଣକ କଇଁଛଟିକୁ ଛୁରୀ ଧରି କାଟିବା ସହ ଏହାକୁ ମସଲା ଦେଇ ରାନ୍ଧୁଛନ୍ତି । ଶେଷରେ କଇଁଛ ମାଂସ ଖାଇ ଭିଡିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ହେଲେ ଏସବୁ ବନବିଭାଗ ଆଖିରେ ପଡ଼ୁନାହିଁ ।
କହିରଖୁ କୁ, କଇଁଛଟି ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍, ୧୯୭୨ରେ ସିଡ୍ୟୁଲ୍-୧ ସରୀସୃପ ଭାବରେ ସଂରକ୍ଷିତ ଏବଂ ଏହାକୁ ଶିକାର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧ ଲକ୍ଷ ଡଲାର ଟଙ୍କା ଜୋରିମାନା କିମ୍ବା ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ପାଇଁ ଯୁବକ ଜଣକ ଗିରଫ ହେବା ସୁନିଶ୍ଚିତ । ଏହି ଭିଡିଓଟିରେ ସମ୍ବଲପୁରୀ ଭାଷାରେ ଲେଖା ଯାଇଛି ଏବଂ ଭିଡିଓରେ ଓଡ଼ିଆ ଗୀତ ବ୍ୟବହାର ହୋଇଥିବାରୁ ସେ ଜଣେ ଓଡ଼ିଆ ବୋଲି ଅନୁମାନ କରାଯାଉଛି । ଯୁବକଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଇମେଲ୍ ମାଧ୍ୟମରେ ଜଣାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅନୁରୋଧ କରିଛନ୍ତି । ଶୁଭେନ୍ଦୁ ଉଭୟ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ୍ ହୋଇଥିବା ଭିଡିଓକୁ ଡାଉନ୍ ଲୋଡ୍ କରି ଭିଡିଓର ସ୍କ୍ରିନ ସଟ୍ ପ୍ରମାଣ ମଧ୍ୟ ଇମେଲରେ ପଠାଇଛନ୍ତି ।
ବେଆଇନ ଭାବେ ଟଙ୍କା ରୋଜଗାର କରିବା ପାଇଁ ବନ୍ୟପ୍ରାଣୀଙ୍କୁ ରଖି ଖାଇବାକୁ ଦେଇ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ପୋଷ୍ଟ କରାଯାଉଛି ବୋଲି ଶୁଭେନ୍ଦୁ ଅଭିଯୋଗ କରିଛନ୍ତି । ରାଜ୍ୟରେ ଯେ କୌଣସି ବ୍ୟକ୍ତି ବନ୍ୟପ୍ରାଣୀଙ୍କୁ ଶିକାର କରିବା, ଏହାକୁ ଧରି ଭିଡିଓ କିମ୍ୱା ଫୋଟୋ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶୁଭେନ୍ଦୁ ମଲ୍ଲିକ ନିଜ ଇମେଲରେ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଅନୁରୋଧ କରିଛନ୍ତି ।