ଭୁବନେଶ୍ୱର: ଭାରତୀୟ ସମ୍ବିଧାନ ଧାରା-୪୭ ଲିଖିତ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି (ଡି.ପି.ଏସ.ପି.) ଅନୁଯାୟୀ ମଦ୍ୟ ବିକ୍ରି ଓ ସେବନ ନିଷେଧାଜ୍ଞା କେବଳ ରାଜ୍ୟମାନଙ୍କୁ ନ୍ୟସ୍ତ କରାଯାଇଥିବା ବେଳେ³ ମଦଶୁଷ୍କ ରାଜ୍ୟଭାବେ ଗୁଜରାଟ, ବିହାର, ନାଗାଲାଣ୍ଡ ଓ ମିଜୋରାମ ଜଣାଶୁଣା । ହେଲେ, ଓଡ଼ିଶାରେ ବହୁଳ ମଦ କାରବାର ହେତୁ ନୂତନ ସରକାରଙ୍କ ଉପରେ ଏକ ନିଷେଧାଦେଶ ଆଣିବା ପାଇଁ ପ୍ରବଳ ଜନମତ ସୃଷ୍ଟି ହେଉଅଛି । ଓଡ଼ିଶାରେ ମଦ ତିଆରି, ବିକ୍ରି କିମ୍ବା ସେବନ ନିଷେଧ ଉଦ୍ଦେଶ୍ୟରେ ଏକ ଆଇନ ୧୯୫୬ ମସିହାରେ ହୋଇଥିଲେ ମଧ୍ୟ ଏହା ପ୍ରଣୋଦିତ ହୋଇପାରିନଥିଲା ।
ରାଜ୍ୟରେ ମଦ ନିଷେଧ ନିଷ୍ପତ୍ତି ସରକାରୀ ସ୍ତରରେ ଆର୍ଥିକ କଠିନତା ଭଳି ଆହ୍ୱାନକୁ ସାମ୍ନା କରିବାକୁ ପଡ଼ିବ । ଅବକାରୀ ରାଜସ୍ୱ ଆଦାୟ ପରିମାଣ ୮୬୮୦କୋଟି ଟଙ୍କା ୨୦୨୫ ସୁଦ୍ଧା ପହଞ୍ଚିବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହା ରାଜ୍ୟ ରାଜସ୍ୱ ଆୟର ଶତକଡା ୧୪.୭ ଭାଗ କୁହାଯାଏ । ୨୦୧୨-୧୩ ମସିହାରେ ମଦ ରାଜସ୍ୱ ୧୩୭୯.୯୧ କୋଟି ଥିବାବେଳେ ଏହା ୨୦୨୨-୨୩ ବେଳକୁ ଆଶ୍ଚର୍ଯ୍ୟଜନକ ଭାବେ ୩୬୭% ବୃଦ୍ଧିପାଇ ୬୪୫୫ କୋଟିରେ ପହଞ୍ଚିଥିଲା ।
ବର୍ତ୍ତମାନ ରାଜସ୍ୱ ବୃଦ୍ଧି ଆଶାତୀତ ହେଉଥିବା ସରକାରୀ ସ୍ତରରେ ଖୁସିର ବିଷୟ ହୋଇଥିବା ବେଳେ, ସାମାଜିକ ସ୍ତରରେ ବର୍ତ୍ତମାନ ଆବାଳବୃଦ୍ଧବନିତାଙ୍କୁ ମଦ ଗ୍ରାସ କରିବା ପରିତାପର ବିଷୟ । ବର୍ତ୍ତମାନ ପରିସ୍ଥିତିରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ପାଖରେ ଦୈନନ୍ଦିନ ପର୍ବପର୍ବାଣି ପରି ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହିତ ତାର ପାରିପାଶ୍ୱର୍ିକ ଅବସ୍ଥା ମଦ୍ୟପଙ୍କ ଦ୍ୱାରା କଳୁଷିତ ହୋଇଉଠୁଛି। କୋଭିଡ ସମୟରେ ମଦ ବନ୍ଦ ପରବର୍ତ୍ତୀ ଅବସ୍ଥାରେ ଦୋକାନ ଖୋଲିବା କ୍ଷଣି ମାଇଲ ମାଇଲ ଲମ୍ବା ଲାଇନରେ ଜନସାଧାରଣ ମଦ ସଂଗ୍ରହ କରିବା, ମଦ ପ୍ରତି ଅହେତୁକ ଦୁର୍ବଳତା ଏବଂ କୌତୁହଳର କାରଣ ନିଶ୍ଚୟ । ପରିସ୍ଥିତି ଏପରି ଯେ, କୌଣସି ଅସାଧ୍ୟ କାମ ସାଧନ କରିବା ପାଇଁ "ବୋତଲ ସାଙ୍ଗ’ ମିଳିଗଲେ ସବୁ ସହଜ ହୋଇଯାଏ । ସାମାଜିକ କର୍ମୀ ତଥା ବୟସ୍କ ଗୋଷ୍ଠୀ ମଦ ନିଷେଧ କରିବାକୁ ଦାବି କରିବା ପଛରେ ଅନେକ କାରଣ ରହିଅଛି । କୌଣସି ପାର୍କ କିମ୍ବା ମନୋରଞ୍ଜନ ସ୍ଥଳରେ ମଦ୍ୟପଙ୍କ ଆଡ୍ଡା ଜମୁଥିବା ଦେଖାଯାଏ କିମ୍ବା ଖାଲି ମଦ ବୋତଲ ଗଡୁଥିବା ଲକ୍ଷ୍ୟ ହୁଏ ।
ଏପରି ସ୍ଥଳକୁ ପରିବାର ସହିତ ଭ୍ରମଣ ଆଜି ଅସମ୍ଭବ । ସ୍କୁଲ, କଲେଜ ଛାତ୍ର ଓ ଛାତ୍ରୀମାନେ ଏହାର ବିଶେଷ କବଳିତ । ଶିକ୍ଷାନୁଷ୍ଠାନ ନିକଟ ପରିଧିରେ ମଦ ବିକ୍ର ହେବା ଦ୍ୱାରା ଛାତ୍ରଛାତ୍ରୀ ନିଶାସକ୍ତ ହୋଇ ଅନୁଷ୍ଠାନର ପବିତ୍ରତାକୁ କଳୁଷିତ କରିବା ସହ ନିଜ ଭବିଷ୍ୟତ ନଷ୍ଟ କରୁଛନ୍ତି । ନିଶା କବଳିତ ଆଧୁନିକ ଓଡ଼ିଶାରେ ମଦ୍ୟପଙ୍କ ପ୍ରାଦୁର୍ଭାବରେ ଝିଅ ବୋହୂ ସ୍ପଷ୍ଟ ଦିବାଲୋକରେ ଭ୍ରମଣ କରିବା ନିରାପଦ ମଣନ୍ତି ନାହିଁ । ଅବକାରୀ ଓ ଗୃହ ବିଭାଗ ନିଷ୍କ୍ରିୟତା ତଥା ଅନେକ ଲୁକ୍କାୟିତ କାରଣ ଯୋଗୁଁ ଆଜି ଓଡ଼ିଶାରେ ଗଳିକନ୍ଦିରେ ମଦ ସହିତ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସହଜେ ଉପଲବ୍ଧ³ ଯଦ୍ୱାରା ଛାତ୍ର ଓ ଯୁବଗୋଷ୍ଠୀ ବିଶେଷ ପଥଭ୍ରଷ୍ଟ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ. ଏଫ.ଏଚ.ଏସ.) ଅନୁଯାୟୀ ଓଡ଼ିଶାରେ ୧୫ବର୍ଷରୁ ଅଧିକ ମହିଳା ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳର ୧୫ ବର୍ଷରୁ ଅଧିକ ବୟସର ପୁରୁଷ ଓ ମହିଳା ସହରାଞ୍ଚଳ ଅପେକ୍ଷା ଅଧିକ ମଦ୍ୟପାନରେ ଲିପ୍ତ । ସେହିପରି ଶତକଡା ୩୦.୨ ପ୍ରତିଶତ ଗ୍ରାମାଞ୍ଚଳର ପୁରୁଷ ମଦ୍ୟପାନ କରୁଥିବା ବେଳେ ସହରାଞ୍ଚଳରେ ଏହା ୨୨.୭ ପ୍ରତିଶତରେ ସୀମିତ । ଦେଖାଯାଏ, କୌଣସି ବିବାହ ବା ମାଙ୍ଗଳିକ କାର୍ଯ୍ୟକ୍ରମରେ ମଦ ପରିବେଷଣ ଯୁବଗୋଷ୍ଠୀଙ୍କ ନିମନ୍ତେ ନିତାନ୍ତ ଆବଶ୍ୟକ ହୋଇପଡ଼ିଛି ।
ମଦ୍ୟପାନ ଯେପରି ଏକ ଆଭିଜାତ୍ୟ ତନ୍ତ୍ରର ପରିଚୟ ଭାବେ ଏକ ଛଦ୍ମ ଭ୍ରମଜାଲ ସୃଷ୍ଟି କରିଛି । କୌଣସି ସଫଳତାର ଉତ୍ସବ ପାଳନ ମଦ ପରିବେଷଣ ବିନା ଅସମ୍ଭବ ପ୍ରାୟ । ୧୯୯୨ ମସିହା କଟକ ଲୋମହର୍ଷଣକାରୀ ଘଟଣାରେ ୨୦୦ରୁ ଅଧିକ ମଦମୃତ୍ୟୁ ତତ୍କାଳୀନ ଜନତା ଦଳ ସରକାରକୁ ଦୋହଲାଇ ଦେଇଥିଲା । ପରେ, ୨୦୦୬ ଓ ୨୦୦୯ ମସିହାରେ ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପୁନଶ୍ଚ ଅନୁରୂପ ଅଘଟଣ ସାମ୍ନାକୁ ଆସିଥିଲା, ଯେଉଁଥିରେ ଯଥାକ୍ରମେ ୨୬ ଓ ୩୦ଜଣ ପ୍ରାଣ ହରାଇଥିଲେ । ଏବେ ମଧ୍ୟ ବଡ଼ ଆକାର ନହେଲେ ମଧ୍ୟ ମଦମୃତ୍ୟୁ ସମ୍ବାଦ ସ୍ଥାୟୀ ଅନ୍ତରରେ ଖବରକାଗଜ ପୃଷ୍ଠାରେ ଦେଖିବାକୁ ମିଳେ । ମଦ ଯେ ବିଭିନ୍ନ ପ୍ରକାର ହିଂସା ଓ ଅପରାଧର କାରଣ ତାହା ପ୍ରମାଣିତ । ବିଜ୍ଞାନ କହେ- ଅତ୍ୟଧିକ ମଦ୍ୟପାନ ଦ୍ୱାରା ନିରପେକ୍ଷତା, ଭଲ-ମନ୍ଦ ବିଚାର କ୍ଷମତା ହ୍ରାସ ହେବା ସହିତ ଉଗ୍ରତା ମଣିଷ ଶରୀରରେ ବୃଦ୍ଧିପାଏ । ଏହାଦ୍ୱାରା ସାମୟିକ ଅନ୍ଧ ପାଲଟି ସାଧାରଣ ମଣିଷ ବିଭିନ୍ନ ଅପରାଧ କରିବା ଯୋଗୁଁ ଆଜି ସମଗ୍ର ଓଡ଼ିଶାରେ କାହିଁକି³ ଦେଶରେ ଅପରାଧ ସୂଚକାଙ୍କ ବୃଦ୍ଧିପାଉଛି ।
ବର୍ତ୍ତମାନ ବିଚାର କରିବା ଯେ, ମଦ ଉପରେ ନିଷେଧାଦେଶ ଆଣିବା କ’ଣ ପାଇଁ ଆବଶ୍ୟକ? ମଦ ନିଷେଧ ହେବାଦ୍ୱାରା ମଣିଷର ମାନସିକ ଶାନ୍ତି ସହିତ ସମାଜରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇପାରିବ, ଯେଉଁଠାରେ ମଣିଷ ତାର ସାଥୀ ମଣିଷକୁ ଅଧିକରୁ ଅଧିକ ବିଶ୍ୱାସ କରିପାରିବ । ମାନସିକ ଅବସ୍ଥା ସୁଦୃଢ଼ ହେବା ଫଳରେ ମଣିଷ ବିବେକହୀନ କୌଣସି କାର୍ଯ୍ୟ କରିବାକୁ ପଛଘୁଞ୍ଚା ନିଶ୍ଚୟ ଦେବ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବା ସହିତ ନିଜର ପରିବାର ଭରଣ ପୋଷଣ ହେବାଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇପାରିବ ।
ମଦ୍ୟପାନ ଦ୍ୱାରା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟହାନି, ଗର୍ଭବତୀର କ୍ଷତି ସହିତ ପୁରୁଷମାନଙ୍କର ଶୁକ୍ରାଣୁ କ୍ଷୟ କରାଇଥାଏ । ବିଶେଷଭାବେ ସ୍ତନ, ଯକୃତ କର୍କଟ ସହିତ ହୃଦ୍ ସମସ୍ୟାର କାରକ ମଦ ନିଜର ପାରିବାରିକ ସମ୍ପର୍କ ଭଙ୍ଗୁର କରିଥାଏ । ଆର୍ଥିକ ଭାବେ ସ୍ୱଚ୍ଛଳ ଲୋକମାନେ ଅତ୍ୟଧିକ ମଦ୍ୟପାନ ଦ୍ୱାରା ନିଜର ଅମାପ ସମ୍ପତ୍ତିକୁ ବିକ୍ରି କରି ସର୍ବସ୍ୱାନ୍ତ ହେବା ସହିତ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଧା ପକାଇବା ବିଚିତ୍ର ନୁହେଁ । ମଦ୍ୟପମାନେ ରାସ୍ତାଘାଟରେ ନିଶାସକ୍ତ ଅବସ୍ଥାରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଦ୍ୱାରା ନିଜର ଇଜ୍ଜତ ଯିବା ସହିତ ପରିବାର ମନସ୍ତାପରେ ରହେ । ମଦପିଇ ବେପରୁଆ ଗାଡ଼ିଚାଳନା ଚାଳକର ଜୀବନହାନି କରିବା ସହିତ ନିରୀହ ଲୋକଙ୍କୁ ମୃତ୍ୟୁମୁଖୀ କିମ୍ବା ପଙ୍ଗୁ କରାଏ । ନୂତନ ସରକାର ଓଡ଼ିଶା ଜନସାଧାରଣ ପାଇଁ ନୂତନ ଆଶାର କିରଣ ଆଣିଥିବା ବେଳେ ମଦ ନିଷେଧାଜ୍ଞା ପ୍ରସଙ୍ଗ ହିମାଳୟ ସଦୃଶ ବାଟ ଓଗାଳିବା ନିଶ୍ଚିତ ।
ଏହାର କାରଣ ହେଲା, ପ୍ରାୟ ୯୦୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ । ଏତେ ବଡ଼ ପରିମାଣ ଅନାଦେୟ ହେଲେ ସରକାର କିପରି ବିକାଶମୁଖୀ କାର୍ଯ୍ୟ ସମ୍ପାଦନ କରିବେ, ବିତ୍ତ ଅଧିକାରୀମାନଙ୍କ ମୁଣ୍ଡବିନ୍ଧାର କାରଣ ନିଶ୍ଚୟ ହେବ । ହେଲେ, ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାରଙ୍କ ଦାୟିତ୍ୱ ହେଲା ଜନସାଧାରଣଙ୍କ କୁଶଳ ଓ ନିରାମୟ ଜୀବନ ଯାପନ ସହିତ ଏକ ଭୟମୁକ୍ତ, ସ୍ୱାଚ୍ଛନ୍ଦ୍ୟଭରା ସମାଜ ଗଠନ । ମଣିଷ ସୁସ୍ଥ ଓ ପରିଷ୍କାର ପରିବେଶରେ ରହିଲେ ହିଁ ଦେଶର ଜି.ଡି.ପି. ବୃଦ୍ଧିରେ ସହାୟକ ହୋଇପାରିବ । କିନ୍ତୁ ରୁଗ୍ଣ ହେଲେ ନୁହେଁ । ବିହାର ସରକାର ୨୦୧୫-୧୬ ଆର୍ଥିକ ବର୍ଷରେ ୩୧୪୬ କୋଟି ମଦ ରାଜସ୍ୱ ପାଉଥିବା ବେଳେ³ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୂର୍ଣ୍ଣ ମଦ ବନ୍ଦ ଘୋଷଣା କରିଥିଲେ । ଫଳରେ ୨୦୧୬- ୧୭ରେ ତାହା ୨୯କୋଟିକୁ ଖସି ଆସିଥିଲା । ତଥାପି ସରକାର ଜନତାଙ୍କ ପ୍ରତି ପ୍ରତିବଦ୍ଧତା ଦେଖାଇ ନିଜ ନିଷେଧାଜ୍ଞାରେ କାଏମ ରହିଛନ୍ତି ।
କୌଣସି ନିଷେଧ ନୀତି ପ୍ରଣୟନ ହେବା ସମୟରେ ସରକାର ନିଶ୍ଚିତ ଧ୍ୟାନ ଦେବା ଉଚିତ ଯେ, କେଉଁ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ମଦ ଯୋଗାଇ ଦିଆଯିବା ଉଚିତ । ୨୧ବର୍ଷରୁ କମ୍ ବୟସ୍କଙ୍କୁ ମଦ ନିହାତିପକ୍ଷେ ନିଷେଧ କରିବା ସହିତ ସେମାନଙ୍କ ପାଇଁ ନିଶା ସେବନ ଧର୍ତ୍ତବ୍ୟ ଅପରାଧ ଆଖ୍ୟା ଦିଆଯିବା ବିଧେୟ । ମଦ ସମ୍ପୂର୍ଣ୍ଣ ବାରଣ କରିବା ବୋଧେ ସରକାରୀ ଭାବେ ସମ୍ଭବ ନୁହେଁ, କିନ୍ତୁ ମଦ୍ୟପଙ୍କୁ ନିରୁତ୍ସାହିତ କରିବା ପାଇଁ ସଶକ୍ତ ଦଣ୍ଡବିଧାନ ସହିତ ଆକାଶଛୁଆଁ ଟିକସ ଦେଲେ ହୁଏତ ଆର୍ଥିକ ଦୁର୍ବଳ ଗୋଷ୍ଠୀ ଏଥିରୁ ବିରତ ହୋଇପାରନ୍ତି । କଠିନ ପଦକ୍ଷେପ ନିଆଯାଇ ଯଦି ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଏ, ତେବେ ସୁବ୍ୟବସ୍ଥିତ ପଦ୍ଧତି ମାଧ୍ୟମରେ ବଣ୍ଟନ କାର୍ଡ ଦ୍ୱାରା ଅନ୍ଲାଇନ ହିସାବ ରଖି ବିକ୍ରି କରାଗଲେ ଉଦ୍ଦେଶ୍ୟ ଚରିତାର୍ଥ ହେବ ।
ମୁଖ୍ୟତଃ, ଘରୋଇ ହିଂସାର ଶିକାର ହୋଇ ବିବାହ ବିଚ୍ଛେଦ ଓ ନିର୍ଯାତନାର ସର୍ବାଧିକ ଅଭିଜ୍ଞ ନାରୀଶକ୍ତିକୁ ମଦ ବିକ୍ରି ନିୟନ୍ତ୍ରଣରେ ନିୟୋଜିତ କଲେ ସ୍ଥିତିରେ ସୁଧାର ମିଳିବା ଆଶା । ଆର୍ଥିକ ସବଳ ଗୋଷ୍ଠୀ ଟଙ୍କା ଖର୍ଚ୍ଚ କରି ଯେକୌଣସି ଉପାୟରେ ଦାମୀ ମଦ ସେବନ କରିପାରିବେ, ହେଲେ ଦୁର୍ବଳ ଗୋଷ୍ଠୀ ମଦ ସହଜରେ ନମିଳିଲେ ନିଶା ମେଣ୍ଟାଇବାକୁ ଯାଇ ଶସ୍ତା ଓ ନକଲି ପ୍ରତି ଆକୃଷ୍ଟ ହୋଇ ଜୀବନ ହାରିବା ବିପଦକୁ ଅସ୍ୱୀକାର କରାଯାଇନପାରେ ।
ସେଥିପ୍ରତି ସଜାଗ ରହିବା ସହିତ ଚୋରା ମଦ କାରବାର ବୃଦ୍ଧି ପାଇବାକୁ ସମପରିମାଣରେ ଅବକାରୀ ବିଭାଗ ପ୍ରତିରୋଧ କରିବାକୁ ସୁଚିନ୍ତିତ ପ୍ରୟାସ ଆବଶ୍ୟକ । ଛତୁ ଫୁଟିଲା ଭଳି ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ଉପରେ ଅଙ୍କୁଶ ଲାଗିବା ସହିତ ପରିଚୟ ଓ ବୟସ ପ୍ରମାଣପତ୍ର ଦେଖାଇ ମଦ ବିକ୍ରୟ କରିବା ଭଳି ଆଇନ ଜରୁରି । ସାମାଜିକ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅବକାରୀ ଓ ପୋଲିସ ବିଭାଗ ତ୍ୱରିତ ଓ ବିହିତ କଠୋର କାର୍ଯ୍ୟାନୁଷ୍ଠାନ ନେବା ନିହାତି ସମୟୋପଯାଗୀ । ବର୍ତ୍ତମାନ, ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ।