ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କଟକ ବାଲିଯାତ୍ରାରେ ଏଥରର ଆକର୍ଷଣ ସାଜିବ ଡ୍ରୋନ୍‌ ସୋ’, ମଞ୍ଚ ଦୁଲକାଇବେ ସୋନୁ ନିଗମ୍‌, ସୁରେଶ ୱାଡେକର୍‌

କଟକ,୧୭/୧୦: ମହାନଦୀ ବକ୍ଷରେ  ହେବ ଡ୍ରୋନ୍‌ ସୋ’ ଲେଜର୍‌ ଲାଇଟ୍‌ ସୋ’ ।  ସୋନୁ ନିଗମ୍‌, ସୁରେଶ ୱାଡେକର୍‌, ପୀୟୂଷ  ମିଶ୍ରଙ୍କ ଭଳି ବଲିଉଡ୍‌ର ଷ୍ଟାର୍‌ ସିଙ୍ଗର୍‌ଙ୍କୁ ମଞ୍ଚରେ  ଦେଖିବେ, ଗୀତ ଶୁଣିବେ ଦର୍ଶକ । ବାଲିଯାତ୍ରା  ପଡ଼ିଆରେ ପ୍ରଥମଥର ପୁସ୍ତକ ମେଳାର ଆନନ୍ଦ ଉଠାଇବେ ବହିପ୍ରେମୀ । ଓଡ଼ିଆ ସିନେମାର  କ୍ରମବିକାଶର ଝଲକ୍‌ର ପ୍ରତିଛବି ଦେଖିବାକୁ  ମିଳିବ ‘କଟକ୍‌ ଇନ୍‌ କଟକ’ରେ । କେବଳ କିଣାବିକା ନୁହେଁ, ମନୋରଂଜନର ଅନେକ ନୂଆ  ଆକର୍ଷଣ ଆଣିବ ଏଥରର କଟକ ବାଲିଯାତ୍ରା ।  ବାଲିଯାତ୍ରାକୁ ଆକର୍ଷଣୀୟ ମହୋତ୍ସବରେ ପରିଣତ କରିବା ପାଇଁ ଏମିତିକା ନକ୍ସା ପ୍ରସ୍ତୁତ  କରି ଅଣ୍ଟା ଭିଡ଼ିଛି କଟକ ଜିଲ୍ଲା ପ୍ରଶାସନ । 

ନଭେମ୍ବର ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା  ସନ୍ଧ୍ୟାରୁ ବାରବାଟୀ କିଲ୍ଲା ପଡ଼ିଆ ଓ ମହାନଦୀ  ପଠାରେ ଆରମ୍ଭ ହେବ ଦେଶର ଅନ୍ୟତମ  ବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ‘ବାଲିଯାତ୍ରା’ ।  ଏହି ରାଜ୍ୟସ୍ତରୀୟ ମହୋତ୍ସବକୁ ସଫଳତାର  ସହ ଆୟୋଜନ କରିବାକୁ ପ୍ରଶାସନ ତରଫରୁ ଦୁଇ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।  ଆଜିକୁ ଠିକ୍‌ ମାସେ ପରେ ବାଲିଯାତ୍ରା ହେଉଥିବା  ବେଳେ ଆୟୋଜନ ସଂପର୍କରେ ବୁଧବାର ବିସ୍ତୃତ ସୂଚନା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ ।  ପାଖାପାଖି ୪୫ ଏକରରୁ ଅଧିକ ଜମିରେ  ବାଲିଯାତ୍ରା ଆୟୋଜନ କରାଯାଉଥିବା ବେଳେ ସେଥିରୁ ମହାନଦୀ ପଠା ତଳ ପଡ଼ିଆର ୨୫  ଏକର ଓ ଉପର କିଲ୍ଲା ପଡ଼ିଆରେ ୬ଏକର  ଜମିରେ ୧୨ ଶହରୁ ଅଧିକ ଷ୍ଟଲ୍‌ ରହିବ ।  ପ୍ଲଟ୍‌ ବୁକିଂ ପ୍ରକ୍ରିୟା ଏବେ ଜାରି ରହିଛି ।  

ସରକାରୀ ସଂସ୍ଥା, ପ୍ରମୁଖ ପ୍ରାୟୋଜକ ଓ  ସାଧାରଣ ବ୍ୟବସାୟୀ- ଏଭଳି ତିନିଟି ବର୍ଗରେ  ପ୍ଲଟ୍‌ ଆବଣ୍ଟନ କରାଯାଉଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାର ପରିଚାଳନା ଭାର  ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଉପରେ ରହିଛି ।  ଚଳିତବର୍ଷ ପ୍ରଶାସନ ଏକ ନୂତନ ବ୍ୟବସ୍ଥା ଲାଗୁ  କରିଛି । ସେହି କ୍ରମରେ ସମଗ୍ର ବାଲିଯାତ୍ରା ପାଇଁ  ସିଙ୍ଗଲ୍‌ ଟେଣ୍ଡର୍‌ କରାଯିବ । ପୂର୍ବରୁ ବିଭିନ୍ନ  ସରକାରୀ ସଂସ୍ଥା ନିଜ ନିଜ ବାଟରେ ଟେଣ୍ଡର୍‌  ଆହ୍ୱାନ କରି କାମ କରୁଥିଲେ । ଓର୍‌ମାସ୍‌,  ସିଏମ୍‌ସି ସମେତ ବିଭିନ୍ନ ସରକାରୀ ପ୍ରତିଷ୍ଠାନ  ଏଣିକି କିନ୍ତୁ ନିଜ ଆବଶ୍ୟକତା ବା ଚାହିଦା ପୂରଣ  କରିବାକୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେବେ । ଜିଲ୍ଲା  ପ୍ରଶାସନ ତରଫରୁ ଧାର୍ଯ୍ୟ ମୂଲ୍ୟରେ ଟେଣ୍ଡର୍‌ ମାଧ୍ୟମରେ କାମ କରାଯିବ । ରାଜ୍ୟର ବିଭିନ୍ନ  ମହୋତ୍ସବରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ  କରାଯାଉଥିବା ବେଳେ ପ୍ରଥମଥର ବାଲିଯାତ୍ରାରେ  ଜିଲ୍ଲା ପ୍ରଶାସନ ଏଭଳି ନିୟମକୁ ଲାଗୁ କରିଛି ।  

ସବୁ ବର୍ଷ ପରି ଏବର୍ଷ ବି ବାଲିଯାତ୍ରାର  ମୁଖ୍ୟ ଆକର୍ଷଣ କୁହାଯାଉଥିବା ଗଣକବି  ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ  ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ବଲିଉଡ୍‌ର  ତାରକା କଣ୍ଠଶିଳ୍ପୀ ସୋନୁ ନିଗମ୍‌ ମୁଖ୍ୟ ଆକର୍ଷଣ  ସାଜିବେ । ଲୋକପ୍ରିୟ କଣ୍ଠଶିଳ୍ପୀ ସୁରେଶ  ୱାଡେକର ଓ ପୀୟୂଷ ମିଶ୍ର ମଧ୍ୟ ଗୋଟିଏ  ଲେଖାଏଁ ସନ୍ଧ୍ୟାରେ କାର୍ଯ୍ୟକ୍ରମ କରିବେ । ଗତ  କିଛି ବର୍ଷ ହେଲାଣି ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିବା ‘କଟକ ଇନ୍‌ କଟକ’ ଏଥର ନୂଆ  ରୂପ ନେବ । ‘ଓଡ଼ିଆ ସିନେମା ମାଧ୍ୟମରେ  ଓଡ଼ିଆ ଅସ୍ମିତା’ ବିଷୟବସ୍ତୁକୁ ନେଇ ସଜେଇ ହେବ । ଏଥିରେ ଓଡ଼ିଆ ସିନେମାର ଆଦ୍ୟକାଳରୁ  ବର୍ତ୍ତମାନ ଯାଏ କ୍ରମବିକାଶର ପ୍ରତିଛବି ଦେଖିବାକୁ  ମିଳିବ । କଟକ ଇନ୍‌ କଟକ ଭିତରେ ପୁସ୍ତକ  ମେଳା ବି କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିସହ  ମହାନଦୀ ଉପରେ ଡ୍ରୋନ୍‌ ସୋ’ କରାଯିବ । ଏକାସଙ୍ଗେ ୩ଶହ ଡ୍ରୋନ୍‌ ଉଡ଼ି ବାଲିଯାତ୍ରାର  ଐତିହ୍ୟ, ଗରିମା ଏବଂ ସ୍ୱତନ୍ତ୍ରତାର ପ୍ରତିଛବିକୁ  ନିଆରା ଢଙ୍ଗରେ ପ୍ରଦର୍ଶିତ କରିବେ ।

ଉଦ୍‌ଘାଟନୀ  ସନ୍ଧ୍ୟାର ସୋ ପରେ ଯଦି ଲୋକେ ପସନ୍ଦ  କରିବେ, ବାଲିଯାତ୍ରାର ଅନ୍ୟ ସନ୍ଧ୍ୟାମାନଙ୍କରେ  ମଧ୍ୟ ଏହା କରାଯିବାର ଯୋଜନା ରହିଛି ।  ଲେଜର୍‌ ଲାଇଟ୍‌ ସୋ’ ମଧ୍ୟ ଦେଖିବାକୁ ମିଳିବ  ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ  ସିନ୍ଦେ ପ୍ରକାଶ କରିଛନ୍ତି । ମ୍ୟୁଜିକାଲ୍‌ ଫାୟାର୍‌  ୱାର୍କ (ଆତସବାଜି) ମଧ୍ୟ ଏଥରର ଆଉ ଏକ  ଆକର୍ଷଣ ଭାବେ ଯୋଡ଼ି ହେବାକୁ ଯାଉଛି ।  ଚଳିତବର୍ଷ ପ୍ରଥମଥର ପାଇଁ ‘ବାଲିଯାତ୍ରା ଜୀବନ  ଗୌରବ ସମ୍ମାନ’ ମଧ୍ୟ ପ୍ରଦାନ କରାଯିବ ।  ଏହା ଏକ ରାଜ୍ୟସ୍ତରୀୟ ସମ୍ମାନ ହେବ ବୋଲି  ଜଣାପଡ଼ିଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ  ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଚୟନ  କରାଯାଇ ଏ ସମ୍ମାନ ପ୍ରଦାନ କରାଯିବ ବୋଲି  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.