ବଳଙ୍ଗା,୨୬/୦୮: ବଳଙ୍ଗା ଥାନା ଗଡ଼ଚାନ୍ଦପୁର ଗ୍ରାମର ଜଣେ ଯୁବକ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଇ ଦ୍ୱିତୀୟ ବିବାହ କରିଛନ୍ତି । ଆଇନର ଆଶ୍ରୟ ନେଲେ ଅଶ୍ଳୀଳ ଫଟୋ ଭାଇରାଲ୍ କରିବାକୁ ଧମକ ଦେଇଛି । ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ୮ ମାସ ତଳେ ଗଡ଼ଚାନ୍ଦପୁର ଗ୍ରାମର ଜ୍ୟୋତିରଞ୍ଜନ ଜେନାଙ୍କୁ କୋଣାର୍କ ଅଞ୍ଚଳର ଜଣେ ଯୁବତୀ ପ୍ରେମ ବିବାହ କରିଥିଲେ । କିଛିଦିନ ଭଲରେ ଚଳିବା ପରେ ଜ୍ୟୋତିଙ୍କ ପରିବାର ଲୋକେ ୫ଲକ୍ଷ ଟଙ୍କା ଆଣିବା ପାଇଁ ଯୁବତୀଙ୍କୁ କହିଥିଲେ । ସେ ମନା କରିବାରୁ ଶାଶୂଘର ଲୋକେ ନିର୍ଯାତନା ଦେବା ସହ ଏକ ଘରେ ବନ୍ଦ କରି ରଖିଥିଲେ । ସୁଯୋଗ ଦେଖି ଯୁବତୀ ଜଣଙ୍କ ଖସିଯାଇ କୋଣାର୍କରେ ରହୁଛନ୍ତି । ବର୍ତ୍ତମାନ ଜ୍ୟୋତି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ନେଇ ଖବର ପାଇଥିଲେ ପ୍ରଥମ ପତ୍ନୀ । ଏନେଇ ସେ ଜ୍ୟୋତିଙ୍କୁ ପଚାରିବା ସହିତ ଆଇନର ଆଶ୍ରୟ ନେବାକୁ କହିଥିଲେ । ଏହାପରେ ଜ୍ୟୋତି ଉତ୍କ୍ଷିପ୍ତ ହୋଇ ଯାଇଥିଲେ । ଏମିତି କଲେ ମୋବାଇଲ୍ରେ ରଖିଥିବା ଅଶ୍ଳୀଳ ଫଟୋ ଭାଇରାଲ୍ କରିଦେବାକୁ ଧମକ ଦେଇଥିବା ଯୁବତୀ ଅଭିଯୋଗରେ ଦର୍ଶାଇଛନ୍ତି ।