ପୁରୀ ୨୬/୮: ମଙ୍ଗଳବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ବା ଅନ୍ଧ ଲୀଳା ନୀତି । ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଅବସରରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ବାସେଳୀ ସାହି ଏହି ଅନ୍ଧ ମନ୍ଦିର ହାତୀର ପ୍ରସ୍ତାବ କରିଥାନ୍ତି । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବେ ।
ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରିବେ । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେବେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ ହେବେ । ଏହି ସମୟରେ ଶ୍ରୀଛାମୁରେ ବସେଳୀ ସାହି ଲୋକେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ କରିବେ । ଦ୍ୱାପର ଯୁଗରେ ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିଥିଲେ ଏହି ସ୍ମୃତି କୁ ପ୍ରତିପାଦନ କରା ଯାଇଥାଏ । ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯିବ । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ଅନ୍ଧକୁ ଚକ୍ଷୁଦାନ ଲୀଳା ନୀତି ଅନୁଷ୍ଠିତ ହେବ ।