ନୂଆଦିଲ୍ଲୀ,୩୦/୦୧: ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ‘ଯେସାକୁ ତେସା ଶୁଳ୍କ ନୀତି’ ଲାଗୁ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ଭାରତରେ ସମ୍ଭାବ୍ୟ ଅସ୍ଥିରତାର ମାହୋଲ ଦେଖିବାକୁ ମିଳିପାରେ ।
ସଦ୍ୟ ପ୍ରକାଶିତ ଏମ୍କେ ରିପୋର୍ଟ ଅନୁସାରେ, ଯଦି ଆମେରିକା ଭାରତ ଉପରେ ୧୦% ଶୁଳ୍କ ଲଦେ ତେବେ ଭାରତ ରପ୍ତାନି ବାବଦ ପ୍ରାୟ ୬୦୦ କୋଟି ଡଲାର(ଦେଶର ଜିଡିପିର ୦.୧୬%) ହରାଇପାରେ । ସେହିଭଳି ଯଦି ଟ୍ରମ୍ପ ଭାରତ ଉପରେ ୨୫% ଶୁଳ୍କ ଲଗାନ୍ତି, ତେବେ ରପ୍ତାନି ବାବଦ ଭାରତ ହରାଇବ ୩୧୦୦ କୋଟି ଡଲାର । ଭାରତର ଏକ ପ୍ରମୁଖ ବାଣିଜ୍ୟିକ ସହଯୋଗୀ ହେଉଛି ଆମେରିକା । ଆମେରିକାର ଆକ୍ରାମକ ବାଣିଜ୍ୟ ନୀତି ଭାରତର ବାଣିଜ୍ୟିକ ଦୃଶ୍ୟପଟକୁ ଅସ୍ଥିର କରିପାରେ ।
ରିପୋର୍ଟରେ କୁହାଯାଇଛି ଯେ, ଯେସାକୁ ତେସା ଶୁଳ୍କ ନୀତିର କାର୍ଯ୍ୟକାରୀକୁ ନେଇ ସ୍ଥିତି ଅସ୍ପଷ୍ଟ ରହିଛି । ତେବେ ଯଦି ଏହାକୁ ଆମେରିକା ଲାଗୁ କରେ ତେବେ ଭାରତ ବଡ଼ ଆକାରରେ ପ୍ରଭାବିତ ହେବ । ଏହା ଦ୍ୱାରା ରତ୍ନପଥର ଏବଂ ଗହଣା, ଅଟୋ ଉପକରଣ, ଫାର୍ମା ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ବେଶି ପ୍ରଭାବିତ ହେବ । ତେବେ ଏହି କ୍ଷେତ୍ରଗୁଡ଼ିକ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ଦେଶର ଅଟୋ ଶିଳ୍ପ ଉପରେ ଶୁଳ୍କ ବୃଦ୍ଧିର ବ୍ୟାପକ ପ୍ରଭାବ ପଡ଼ିବ ।
ସମ୍ପୂର୍ଣ୍ଣ ଆସେମ୍ବଲ୍ଡ ଗାଡ଼ି ଅର୍ଥାତ ଆମଦାନି କରାଯାଉଥିବା ବିଦେଶୀ କାରଗୁଡ଼ିକ ଉପରେ ୨୫% ଶୁଳ୍କ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି, ଯାହାକି ଏପ୍ରିଲ ୩ରୁ ଲାଗୁ ହେବ । ମେ’ ୩ ସୁଦ୍ଧା ଅଟୋ ଉପକରଣ ଶିଳ୍ପ ମଧ୍ୟ ସମାନ ଶୁଳ୍କର ସାମ୍ନା କରିବ । ଏହା ଆମେରିକାର ଯେସାକୁ ତେସା ଶୁଳ୍କ ନୀତିରୁ ବର୍ତ୍ତିବା ପାଇଁ ଭାରତ ମଧ୍ୟ ପଦକ୍ଷେପ ନେଉଛି । ଏହା ଅନେକ ଆମେରୀକିୟ ଉତ୍ପାଦ ଉପରୁ ଆମଦାନି ଶୁଳ୍କ ହ୍ରାସ କରିଛି । ଏକ ରିପୋର୍ଟ ଅନୁସାରେ, ଯେସାକୁ ତେସା ଶୁଳ୍କ ନୀତି ଯୋଗୁ ଆମେରିକାକୁ ଯାଉଥିବା ଭାରତର ୮୭% ରପ୍ତାନି ପ୍ରଭାବିତ ହେବ, ଯାହାର ମୂଲ୍ୟ ପାଖାପାଖି ୬୬୦୦ କୋଟି ଡଲାର ହେବ ।