ନୂଆଦିଲ୍ଲୀ,୩୧/୦୩: ଦେଶରେ ବିକ୍ରି ହେଉଥିବା ୨ ଚକିଆ ଯାନ ସହ ଏବେ କମ୍ପାନି ଗୁଡ଼ିକ ୨ ଆଇଏସ୍ଆଇ ହେଲ୍ମେଟ୍ ଦେବାକୁ ପଡ଼ିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ସମିଟରେ ଯୋଗଦେଇ ଏ ନେଇ ଘୋଷଣା କରିଛନ୍ତି ।
ଶ୍ରୀ ଗଡ଼କରି କହିଲେ, ଲୋକଙ୍କ ସୁରକ୍ଷା ଲାଗି ଏହା ଜରୁରୀ । ଟୁହ୍ୱିଲର ହେଲମେଟ ମାନୁଫାକଚର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଟିଏଚ୍ଏମ୍ଏ) ଏହାର ସମର୍ଥନ କରିଛି । ଟିଏଚ୍ଏମ୍ଏ ପକ୍ଷରୁ ଦୀର୍ଘ ସମୟ ହେବ ଏ ନେଇ ଦାବି ହେଉଥିଲା । ଦେଶରେ ପ୍ରତିବର୍ଷ ଦୁର୍ଘଟଣା ଯୋଗୁ ୧.୮୮ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ସଡ଼କ ଦୁର୍ଘଟଣା ସଂଖ୍ୟା ୪.୮୮ ଲକ୍ଷ । ୬୬% ମୃତକଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ । ୨ ଚକିଆ ଯାନରେ ଯାଉଥିବା ୬୯ ହଜାର ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି । ଏଥିରୁ ୫୦% ଲୋକଙ୍କ ମୃତ୍ୟୁ ହେଲ୍ମେଟ ନ ପିନ୍ଧିବା ଯୋଗୁ ହେଉଥିବା ସୂଚନା ମିଳିଛି ।