ନୂଆଦିଲ୍ଲୀ,୯।୭: ଆମେରିକାରେ ଡୋନାଲ୍ଡୋ ଟ୍ରମ୍ପଙ୍କ ନେତୃତ୍ବାଧୀନ ସରକାର ଭିସା ନିୟମରେ ବଡ଼ ପରିବର୍ତ୍ତନ କରିବାର ଘୋଷଣା କରିଛନ୍ତି। ଟ୍ରମ୍ପ ପ୍ରଶାସନ ଛାତ୍ର, ଆଇଟି ପ୍ରଫେସନାଲ ଓ ଟୁରିଷ୍ଟଙ୍କ ପାଇଁ ଆମେରିକା ଯିବା ମହଙ୍ଗା କରିଦେଇଛନ୍ତି। ଏବେ ଭିସା ସହ ୨୫୦ ଡଲାର(ପ୍ରାୟ ୨୧ ହଜାର ଟଙ୍କା)ର ଭିସା ଇଣ୍ଟିଗ୍ରିଟି ଫି’ ଦେବାକୁ ହେବ। ଏହି ନୂଆ ନିୟମ ୨୦୨୬ ରୁ ଲାଗୁ ହେବ। ଏହି ନୂଆ ନିୟମର ପ୍ରଭାବ ଆମେରିକାରେ ଚାକିରୀ ସ୍ବପ୍ନ ଦେଖୁଥିବା ଲକ୍ଷାଧିକ ଭାରତୀୟ ପ୍ରଫେସନାଲଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ।
ଟ୍ରମ୍ପ ସରକାରଙ୍କ ଏହି ନୂଆ ନିୟମକୁ ‘ଓ୍ବାନ୍ ବିଗ୍ ବିଉଟିଫୁଲ୍ ଆଇନ’ ଅନୁସାରେ ଅଣାଯାଉଛି। ଏହି ନୂଆ ନିୟମର ପ୍ରଭାବ ସିଧା ଭାବରେ ଭାରତର ଲକ୍ଷାଧିକ ଲୋକଙ୍କ ଉପରେ ପ୍ରଭାବ ପଡିବ, ଯିଏକି ପ୍ରତିବର୍ଷ ଆମେରିକାରେ H-1B ଭିସାରେ ଚାକିରୀ କରିବାକୁ ଯାଆନ୍ତି, ଏଫ୍ଏମ୍ ଭିସାରେ ପଢିବାକୁ ଯାଇଥାନ୍ତି ଓ B-1/B-2 ଭିସାରେ ଟୁରିଷ୍ଟ କିମ୍ବା ବ୍ୟାପାରିକ ଯାତ୍ରାରେ ଯାଇଥାନ୍ତି।
ବର୍ତ୍ତମାନ ଭାରତୀୟଙ୍କୁ B-1/B-2 ଭିସା ପାଇଁ ୧୮୫ ଡଲାର (ପ୍ରାୟ ୧୫,୮୦୦) ଦେବାକୁ ହେବ। ନୂଆ ଶୁଳ୍କ ଯୋଡିହେବା ପରେ ଏହି ଖର୍ଚ୍ଚ ୨୫୦ ଡଲାର ପଡିବ, ଅର୍ଥାତ ପ୍ରାୟ ଅଢେଇ ଗୁଣା। ଯେଉଁ ଭାରତୀୟ ଛାତ୍ର ଆମେରିକାରେ ପଡିବାକୁ ଏଫ୍ କିମ୍ବା ଏମ୍ ଭିସାରେ ଯାଆନ୍ତି, ତାଙ୍କୁ ମଧ୍ୟ ଏହି ଅତିରିକ୍ତ ଶୁଳ୍କ ଦେବାକୁ ହେବ। ଏହି ପଦକ୍ଷେପ ଏଭଳି ସମୟରେ ଆସିଛି ଯେତେବେଳେ ଭାରତୀୟ ଛାତ୍ର ଅଧିକ ଖର୍ଚ୍ଚ ଓ ଟ୍ୟୁସନ୍ ଫି’ ଦେଇ ଗତି କରୁଛନ୍ତି। ଭାରତର ପ୍ରତି ବର୍ଷ ହଜାର ହଜାର ଆଇଟି ପ୍ରଫେସନାଲ H-1B ଭିସାରେ ଆମେରିକା ଯାଇଥାନ୍ତି। ତାଙ୍କ ପାଇଁ ମଧ୍ୟ ଏହି ନୂଆ ଫି’ ଲାଗୁ ହେବ। ତେବେ ଏହି ଆମାଉଣ୍ଟ ‘ସିକ୍ୟୁରିଟି ଡିପୋଜିଟ୍’ ଭଳି ହେବ, ଯାହା କିଛି କଡା ସର୍ତ୍ତ ପୁରା କରିବା ପରେ ପୁଣି ମିଳିପାରେ।