ମୁଜାଫରନଗର: ଉତ୍ତରପ୍ରଦେଶର ମନ୍ତ୍ରୀ ରଘୁରାଜ ସିଂହଙ୍କ ଚେତାବନି। କହିଲେ, ଯେଉଁମାନେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଅନୁସରଣ କରନ୍ତି ନାହିଁ, ସେମାନେ ସେହି ଧର୍ମ ସହ ଜଡ଼ିତ ନାମକୁ ନିଜ ଦୋକାନ ବା ବ୍ୟବସାୟ ପାଇଁ ବ୍ୟବହାର କରିବା ଉଚିତ୍ ନୁହେଁ। ଏହି ବୟାନ ମୁଜାଫରନଗରରେ ଜଣେ ମୁସଲମାନ ବ୍ୟକ୍ତିଙ୍କ ଦ୍ୱାରା ଚଳା ଯାଉଥିବା ‘ପଣ୍ଡିତ ଜୀ କା ବୈଷ୍ଣୋ ଢାବା’ ନାମକ ରେଷ୍ଟୁରାଣ୍ଟକୁ ନେଇ ଉଠିଥିବା ବିବାଦ ପରେ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଜଣେ ମୁସଲମାନ ବ୍ୟକ୍ତି ମୁଜାଫରନଗରରେ ନିଜର ଏକ ଢାବା ଚଳାଉଥିଲେ। ଯାହାର ନାମ ସେ ‘ପଣ୍ଡିତ ଜୀ କା ବୈଷ୍ଣୋ ଢାବା’ ରଖିଥିଲେ। ଏଥିପାଇଁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପଣ୍ଡିତ ଜୀ ଭାବେ ପରିଚିତ ହୋଇଥିଲେ। ହେଲେ ଜଣେ ଗ୍ରାହକଙ୍କୁ ଏ ସମସ୍ତ କଥା ଜଣାପଡିବା ପରେ ବିବାଦ ଆରମ୍ଭ ହୋଇଥିଲା। ଏହାସହ ତାଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ନାମ ଗୋପାଳ ହୋଇଥିବା ବେଳେ ସେ ମଧ୍ୟ ମୁସଲମାନ ଧର୍ମରୁ ଥିବା ଜଣାପଡିଥିଲା। ଏହାକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ ବିବାଦ ପରିଲକ୍ଷିତ ହେଉଛି।
ଆସନ୍ତା ଶ୍ରାବଣ ମାସରେ କାଉଡି ଭାର ଆରମ୍ଭ ହେଉଥିବାରୁ ରଘୁରାଜ ସିଂହ ମଙ୍ଗଳବାର ନାଗିନାରେ ଏକ ଉତ୍ସବରେ ଯୋଗ ଦେବା ସମୟରେ ଏହିପରି ବାବାଦୀୟ ବୟାନ ଜାରି କରିଛନ୍ତି। ତେବେ କାଉଡି ଯାତ୍ରା ସମୟରେ ଭକ୍ତମାନେ କେବଳ ଶୁଦ୍ଧ ନିରାମିଷ ଖାଦ୍ୟ ଭକ୍ଷଣ କରୁଥିବାରୁ ଏପରି ନାମ ଦ୍ୱାରା ସେମାନଙ୍କ ଭାବାବେଗକୁ ଧୋକା ପହଞ୍ଚିବ ବୋଲି ସେ କହିଛନ୍ତି।
ଏହି ଘଟଣା ଧାର୍ମିକ ପରିଚୟ ଏବଂ ନାମକରଣ ଅଭ୍ୟାସକୁ ନେଇ ପୁଣି ଚର୍ଚ୍ଚା ସୃଷ୍ଟି କରିଛି। ମନ୍ତ୍ରୀ ସିଂହ କହିଛନ୍ତି ଯେ, ଜଣେ ବ୍ୟକ୍ତି ନିଜ ଧର୍ମରେ ଆସ୍ଥା ନରଖି ଅନ୍ୟ ଧର୍ମର ନାମ ବ୍ୟବହାର କରି ଗ୍ରାହକଙ୍କୁ ଆକର୍ଷିତ କରିବା ଉଚିତ୍ ନୁହେଁ। ଏହା ଧାର୍ମିକ ଭାବନାକୁ ଆଘାତ ଦେଇପାରେ ବୋଲି ସେ ଯୁକ୍ତି ଦେଇଛନ୍ତି।
ଏହି ମନ୍ତବ୍ୟ ଉତ୍ତରପ୍ରଦେଶରେ ଧାର୍ମିକ ଏବଂ ସାମାଜିକ ସମ୍ବେଦନଶୀଳତାକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି ହୋଇଛି। ଅନେକ ଲୋକ ଏହାକୁ ବ୍ୟବସାୟୀଙ୍କ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଦେଖୁଥିବା ବେଳେ, ଅନ୍ୟମାନେ ଏହାକୁ ଧାର୍ମିକ ପରିଚୟର ସମ୍ମାନ ରକ୍ଷା କରିବାର ଏକ ପଦକ୍ଷେପ ବୋଲି ସମର୍ଥନ କରୁଛନ୍ତି।