ଭଦ୍ରକ,୦୯/୧୦: ଧାମନଗର ଓ ଦୋବଲ ଅଞ୍ଚଳରୁ ହଟିଲା ୧୬୩ ଧାରା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସେପ୍ଟେମ୍ୱର ୨୭ ତାରିଖରୁ ଅଶାନ୍ତି ସୃଷ୍ଟି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସେପ୍ଟେମ୍ୱର ୨୭ ତାରିଖରୁ ୧୬୩ ଧାରା ଲାଗୁ କରାଯାଇ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଥିଲା । ଏହି ଘଟଣାର ଦୀର୍ଘ ୧୨ ଦିନ ପରେ ଅକ୍ଟୋବର ୯ ତାରିଖ ସକାଳ ୮ଟାରୁ ୧୬୩ ଧାରା ହଟିବା ନୋଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସୋସିଆଲ ମିଡିଆରେ ଧାର୍ମିକ ଭାବନା କ୍ଷୂର୍ଣ୍ଣ ହେଲା ଭଳି ମନ୍ତବ୍ୟ ଅଭିଯୋଗରେ ଭଦ୍ରକ ସହରର ପୁରୁଣାବଜାର ଅଞ୍ଚଳ ଅଶାନ୍ତ ହୋଇଥିଲା । ଭଦ୍ରକ ମୋଚି ଛକ-ପୁରୁଣାବଜାର ରାସ୍ତା ସାଳନ୍ଦୀ ନଦୀର ସନ୍ଥିଆ ପୋଲ ଉପରେ ଶତାଧିକ ଯୁବକ ରାସ୍ତାରୋକ କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁରୁଣାବଜାର ଥାନା ଅଞ୍ଚଳର ଧାମନଗର ଓ ଦୋବଲରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ (ପୁରୁଣା ଆଇନ ୧୪୪) ଲାଗୁ କରାଯାଇଥିଲା । ଏହା ସହ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ଉପରେ କଟକଣା ଲାଗିଥିଲା । ପରବର୍ତ୍ତୀ ସମୟରେ ଦୀର୍ଘ ୪ ଦିନ ପରେ ଅକ୍ଟୋବର ୨ ତାରିଖରେ ଇଣ୍ଟରନେଟ ସେବା ଲାଗୁ କରାଯାଇଥିଲା । ଏହି ମାମଲାରେ ସେପ୍ଟେମ୍ୱର ୨୭ ତାରିଖରେ ଲାଗୁ ହୋଇଥିବା ୧୬୩ ଧାରା ଦୀର୍ଘ ୧୨ ଦିନ ପରେ ଅକ୍ଟୋବର ୯ ତାରିଖ ଅର୍ଥାତ ବୁଧବାର ସକାଳ ୮ଟାରୁ ହଟାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।