ବ୍ୟାସନଗର,୧୮।୬ ; ଏକ ସପ୍ତାହ ହେବ ଯାଜପୁର ଜିଲ୍ଲାକୁ ଝାଡାବାନ୍ତି କବଳିତ କରିଛି। ଜିଲ୍ଲାର ୨ଟି ପୌରାଞ୍ଚଳ ଏବଂ ୬ଗୋଟି ବ୍ଲକ ପ୍ରଭାବିତ ହୋଇଛି। ବୁଧବାର ବି ଡାକ୍ତରଖାନାରେ ୧୯୬ ଜଣ ହଇଜା ରୋଗୀ ଚିକିତ୍ସତ ହେଉଛନ୍ତି। ବୁଧବାର ସକାଳ ସୁଦ୍ଧା ୩୭ଜଣ ନୂତନ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୁଧବାର ଯାଜପୁର ରୋଡ଼ ମେଡିକାଲରେ ଜଣେ ଶିଶୁ ଏବଂ ଆଉଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଯଦିଓ ସ୍ୱାସ୍ଥ୍ୟ ବିଭାଗ ଏହା ହଇଜା ଜନିତ କି ନୁହେଁ ତାହା ଅଦ୍ୟାବଧି ସ୍ପଷ୍ଟ କରିନାହଁ। ଜିଲ୍ଲାରୁ ଯାଇଥିବା ହଇଜା ନମୁନାରେ ପ୍ରାୟ ୧୬ଟି କଲେରା ଚିହ୍ନଟ ହୋଇଛି। ଅଦ୍ୟାବଧି ଜିଲ୍ଲାରେ ପ୍ରାୟ ୨୦ଜଣ ମୃତ୍ୟୁବରଣ କରିଥିବା ଅଭିଯୋଗ ମିଳିଛି। ଅପରପକ୍ଷେ ହଇଜା ବ୍ୟାପିବାର କାରଣ ଏବେବି ଖୋଜା ଚାଲିଛି। ପ୍ରଥମେ ସରକାର ଏହା ବିଷାକ୍ତ ଖାଦ୍ୟ ଯୋଗୁଁ ବୋଲି କହୁଥିବା ବେଳେ ଏବେ କେନ୍ଦ୍ରୀୟ ଟିମ ପାଣିରୁ ହଇଜା ବ୍ୟାପିଥିବା ସୂଚନା ଦେଲାଣି। ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ଖାଦ୍ୟ ଉପରେ କଟକଣା ଲଗାଇସାରିଛି। ବ୍ୟାସନଗର ସହର ସମେତ ବରୀ, ବିଂଝାରପୁର, ଧର୍ମଶାଳା ଭଳି ଅଂଚଳରେ ହୋଟେଲ, ରେଷ୍ଟରାଣ୍ଟ, ଢ଼ାବା, ଷ୍ଟ୍ରିଟ ଫୁଡ ଆଦି ୧୫ଦିନ ପର୍ଯ୍ୟନ୍ତ ଖୋଲିବ ନାହିଁ ବୋଲି ନିର୍ଦେଶନାମା ପ୍ରକାଶ କରାଯାଇଛି। ଏପରିକି ଜିଲ୍ଲାର ବହୁ ପାଣି ବୋତଲ ଏବଂ ପାଉଚ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଚଢ଼ାଉ କରାଯାଇ ସିଲ କରାଯାଇଛି। ତଥାପି ହଇଜା ଚେନ ବ୍ରେକ ହୋଇପାରୁନାହିଁ। ସେଥିପାଇଁ ପ୍ରଶାସନର ଚିନ୍ତା ବଢୁଥିବା ବେଳେ ଲୋକଙ୍କ ମଧ୍ୟରେ ଭୟ ଦେଖାଗଲାଣି।