ଧର୍ମଶାଳା, ୧୫/୦୬: ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ବଡ଼ଚଣା ଓ ଧର୍ମଶାଳା ମେଡିକାଲରେ ପହଞ୍ଚି ରୋଗୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ଆମ ପାଇଁ ଉଦବେଗଜନକ ଓ ଚିନ୍ତାର କାରଣ । କଲେରା ଚିହ୍ନଟ ପରେ ଏସସିବି ମେଡିକାଲର ଏକ ଟିମ୍ ଧର୍ମଶାଳାରେ କ୍ୟାମ୍ପ କରିଛନ୍ତି । ସ୍ଥିତି ଉପରେ ଆମର ନଜର ରହିଛି । ଯେଉଁ ରୋଗୀ ଆସୁଛନ୍ତି ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି । ଜିଲ୍ଲାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଓ ଆଜି କେତେଜଣ ପ୍ରାଣ ହରାଇଛନ୍ତି ହସ୍ପିଟାଲ ପରିଦର୍ଶନ ଓ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ସମୀକ୍ଷା ପରେ ସୂଚନା ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ଏହାଛଡ଼ା ସେ ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, କଲେରା ହେଉ କି ନହେଉ ଯଦି ଝାଡ଼ାବାନ୍ତି ହେଉଛି, ତୁରନ୍ତ ନିକଟସ୍ଥ ମେଡିକାଲକୁ ଚାଲି ଆସନ୍ତୁ । ବାହାର ଦୋକାନରୁ ମେଡିସିନ ନିଅନ୍ତୁ ନାହିଁ । ମେଡିକାଲରେ ଔଷଧ ମହଜୁଦ ରହିଛି । ସେଣ୍ଟ୍ରାଲ ଟିମ୍ ମଧ୍ୟ ଆଜି ଧର୍ମଶାଳାର ବିଭିନ୍ନ ଆକ୍ରାନ୍ତ ସ୍ଥାନ ଗସ୍ତ କରି ସର୍ଭେ କରିବେ ।
ଏହି ଗସ୍ତରେ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସାଂସଦ ରବି ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ ଓ ଆରକ୍ଷୀ ଅଧିକ୍ଷକ ୟାସ ପ୍ରତାପ ଶ୍ରୀମଲ ପ୍ରମୁଖ ସାମିଲ ହେଇଛନ୍ତି । ଏହା ପରେ ମନ୍ତ୍ରୀ ଯାଜପୁର ସଦର ଗସ୍ତ କରି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଗଣମାଧ୍ୟକୁ କହିଛନ୍ତି । ଏହା ପରେ ସେ ମଧୁବନ, ଯାଜପୁର ଓ ବ୍ୟାସ ନଗର ଆଦି ମେଡିକାଲ ଗ୍ରସ୍ତ କରିବେ ବୋଲି ସୂଚନା ରହିଛି ।