ସମ୍ବଲପୁର, ୦୫/୦୬(ବିନୋଦ କୁମାର ବେହେରା): ଦିନେ ଅନେକଙ୍କ ପାଇଁ ସାହାରା ଥିଲି । ରାସ୍ତାକଡ଼ରେ ବିଶାଳ ଶାଖା ପ୍ରଶାଖା ମେଲାଇ ଛିଡ଼ା ହୋଇଥିଲି । ଏକୁଟିଆ ବାଟୋଇଟେ ମୋତେ ଦେଖି ଅଟକି ଯାଇ କିଛି ସମୟ ମୋ ମୂଳରେ ବସିପଡି ଥକ୍କା ମେଣ୍ଟାଉଥିଲା । ମୋ ପ୍ରତିଟି ଶାଖା ପ୍ରଶାଖା କେତେ ପକ୍ଷୀ, ଜୀବଜନ୍ତୁଙ୍କ ପାଇଁ ଆଶ୍ରୟର ଠିକଣା ଥିଲା । ଶହ ଶହ ବର୍ଷ ଧରି ନୀରବରେ ମୁଁ ଏ ସହରକୁ ବଦଳିବାର ଦେଖିଛି । କେଇ ପିଢିର ଘଟଣାକ୍ରମାର ମୂକସାକ୍ଷୀ ମୁଁ । ମାତ୍ର ଘଟଣାଚକ୍ରରେ ମୁଁ ଆଜି ମୋ ଅସ୍ତିତ୍ୱ ଖୋଜୁଛି । ବିକାଶ ନାଁରେ ଆଜି ମୁଁ ବଳିପଡ଼ିଛି । ଆଜି ଦୁନିଆ ‘ବିଶ୍ୱ ପରିବେଶ ଦିବସ’ ପାଳୁଥିବା ବେଳେ ମୁଁ ଅଇଁଠାପାଲିର ବୁଢ଼ା ବରଗଛ ଆଜି ମୋ କାହାଣୀ କହୁଛି । ଅତୀତକୁ ମନେ ପକାଉଛି ।
ସମ୍ବଲପୁର ସହରରୁ ବରେଇପାଲି ଛକକୁ ଯିବା ବେଳେ ରାସ୍ତାକଡ଼ରେ ଛିଡା ହୋଇଛି ଏହି ବିଶାଳ ବରଗଛର ଗଣ୍ଡି । ରାସ୍ତା ପ୍ରଶସ୍ତୀକରଣ ନାମରେ ଏହାକୁ ଗତ ୨ ମାସ ତଳେ କାଟି ଦିଆଯାଇଛି । ସମ୍ପୂର୍ଣ୍ଣ ଗଛଟି କଟା ସରିଥିବା ବେଳେ ଏହାର ବିଶାଳ ଗଣ୍ଡି ଦଣ୍ଡାୟମାନ ରହି ପରିବେଶ ସୁରକ୍ଷା ଓ ବଢୁଥିବା ସହରୀକରଣ ପାଇଁ ଜଙ୍ଗଲକ୍ଷୟର ଭୟଙ୍କର ସ୍ଥିତିକୁ ବୟାନ କରୁଛି । ଆଉ ସେହି ଗଣ୍ଡିରୁ ଛୋଟ ଶାଖାଟିଏ ମୁଣ୍ଡ ଟେକିଛି । ସେ ବି ଜାଣେନା ତା’ ଅସ୍ତିତ୍ୱ ରହିବ କି ପୁଣି ଥରେ ଛେଦନ ହେବ । ଏହି ବିଶାଳ ବରଗଛଟି ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି ସହରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହିଛନ୍ତି । ଆଜି ସାରା ବିଶ୍ୱ ପରିବେଶ ଦିବସ ପାଳନ କରୁଛି । ହେଲେ ବିଶାଳକାୟ ଗଛ କଟାଯିବା ପରେ ଆଜିର ମଣିଷ କେତେ ପରିବେଶ ସଚେତନ ତାହା ସହଜରେ ଅନୁମାନ କରିହେଉଛି । ସତେ ଯେମିତି ବୁଢ଼ା ବରଗଛଟି କଟାସରିବା ପରେ ମଣିଷ ସମାଜ ସହିତ ତା’ର ସେଇ ୧୦୦ ବର୍ଷର ପୁରୁଣା ସମ୍ପର୍କକୁ ମନେ ପକାଇ ଅବିଶ୍ରାନ୍ତ ଅଶ୍ରୁପ୍ଲାବିତ କରିଚାଲିଛି । ତା’ ଅଦେଖା କୋହକୁ ମଣିଷ ଆଖିରେ ଦେଖିବାର ଶକ୍ତି ବି ନାହିଁ ।
ମିଳିଥିବା ତଥ୍ୟ ଅନୁସାରେ, ୧୯୯୨ ମସିହା ବେଳକୁ ସମ୍ବଲପୁର ସହରର ୬୦ ପ୍ରତିଶତ ସବୁଜିମାରେ ଭରି ରହିଥିଲା । ୨୦୧୮ ସୁଦ୍ଧା ଏହା ୧୧ ପ୍ରତିଶତକୁ ଖସି ଆସିଛି । ନିକଟରେ ସହରୀକରଣ ନାମରେ ଅନେକ ଗଛ କଟା ଯାଇଛି । ଫଳରେ ଏହି ସଂଖ୍ୟା ଆହୁରି କମି ଯାଇଛି ।
ପରିବେଶ ଓ ପରିସଂସ୍ଥାନ ମାନବ ସଭ୍ୟତା ପାଇଁ କେତେ ଜରୁରୀ, ପରିବେଶ ପ୍ରଦୂଷଣର ନକାରାତ୍ମକ ପ୍ରଭାବ ଓ ଏହାର ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱବ୍ୟାପୀ ଏହି ଦିବସ ପାଳନ ହେଉଛି । ସବୁଠାରୁ ବଡ଼ ଦିଗ ହେଉଛି ବଢୁଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ହେଉଥିବା ଦ୍ରୁତ ସହରୀକରଣ ଏବେ ଜଙ୍ଗଲକ୍ଷୟର ପ୍ରମୁଖ କାରଣ ପାଲଟିଛି । ଗ୍ଲୋବାଲ ୱାର୍ଣ୍ଣିଂ, ବିଶ୍ୱ ତାପମାତ୍ରା ବୃଦ୍ଧି, ଋତୁଚକ୍ରରେ ପରିବର୍ତ୍ତନ, ପ୍ରଦୂଷଣ ଓ ମାନବ ସଭ୍ୟତା ଉପରେ ଏହାର ଗଭୀର ନକାରାତ୍ମକ ପ୍ରଭାବକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ଏହାର ମୁକାବିଲା ପାଇଁ ବୃକ୍ଷରୋପଣ ଓ ସବୁଜ ବନାନୀ ସୃଷ୍ଟି କରିବା ନେଇ ପ୍ରାଧାନ୍ୟ ଦିଆଯାଇଛି । ତେବେ ଭିତ୍ତିଭୂମି ନିର୍ମାଣ, ଶିଳ୍ପାୟନ ପାଇଁ ଗଛ କାଟିବା ନିହାତି ଦରକାର ପଡୁଛି । ଏପରି ସ୍ଥଳେ ଏକାଧିକ ନିୟମ ମଧ୍ୟ ରହିଛି । ସେହି ପରିମାଣର ଜଙ୍ଗଲ ସୃଷ୍ଟି କରିବା ଉଭୟ ସରକାର କିମ୍ବା ସମ୍ପୃକ୍ତ ଶିଳ୍ପ ସଂସ୍ଥାର ଦାୟିତ୍ୱ ।
ସେହିପରି ଛାତ୍ରଛାତ୍ରୀ, ସଚେତନ ନାଗରିକ ସମାଜ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଉଛି । ମାତ୍ର ଭିତ୍ତିଭୂମି ନିର୍ମାଣ ପାଇଁ ଯେଉଁ ପରିମାଣରେ ଜଙ୍ଗଲକ୍ଷୟ ହେଉଛି, ତାର ଭରଣା କରାଯାଉ ନାହିଁ । ସେଥିପାଇଁ ସମାଜର ପ୍ରତିଟି ବର୍ଗ ମଧ୍ୟରେ ପରିବେଶ ସଚେତନତା, ଜଙ୍ଗଲ ସୁରକ୍ଷା, ପରିବେଶ ଅନୁକୂଳ ଜୀବନଶୈଳୀ, ପ୍ରଦୂଷଣ ମୁକାବିଲା ରଣନୀତିରେ ସମାଜର ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ହେଲେ ପରିବେଶ ଦିବସ ପାଳନ ଯଥାର୍ଥ ହୋଇପାରନ୍ତା ବୋଲି ପରିବେଶବିତ୍ କହିଛନ୍ତି । ନଚେତ ଆଜି ବରେଇପାଲିର ଏଇ ବୁଢ଼ା ବରଗଛ ଭଳି ମଣିଷ ଜାତି ବି ଦିନେ ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ନଜରକୁ ଆସିବ ।