ନୂଆଦିଲ୍ଲୀ: ସମ୍ୱଲ ମାମଲାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତି ଏବେ ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ସେ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଖଡଗେ କହିଛନ୍ତି ଯେ, ଏହି ଲୋକମାନେ କହୁଛନ୍ତି ଯେ ପୂର୍ବରୁ ଏଠାରେ ଏକ ମନ୍ଦିର ଥିଲା ଏବଂ ବର୍ତ୍ତମାନ ଏଠାରେ ଏକ ମସଜିଦ ଅଛି । ମସଜିଦ ତଳେ ଏକ ମନ୍ଦିର ଅଛି ବୋଲି ସେମାନେ କହୁଛନ୍ତି । ମୋହନ ଭାଗବତ ୨୦୨୨ ମସିହାରେ କହିଥିଲେ ଯେ ପ୍ରତ୍ୟେକ ମସଜିଦରେ ଶିବାଳୟ ଖୋଜିବାକୁ ଚେଷ୍ଟା କରନ୍ତୁ ନାହିଁ। ଆପଣଙ୍କର ଲୋକମାନେ ଏପରି କୁହନ୍ତି କିନ୍ତୁ ଆପଣମାନେ ତଥାପି ଏହା କରନ୍ତି।
ଖଡଗେ କହିଛନ୍ତି ଯେ, ୧୯୪୭ ପୂର୍ବରୁ ଧାର୍ମିକ ସ୍ଥାନ ଗୁଡିକର ସ୍ଥିତି ବଜାୟ ରଖିବା ପାଇଁ ୧୯୯୧ ରେ ଏକ ଆଇନ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ତାହା ମଧ୍ୟ ପାଳନ କରାଯାଉ ନାହିଁ। ମୁଁ ଭାବୁଛି ମୋହନ ଭାଗବତଙ୍କ ବକ୍ତବ୍ୟ କେବଳ ଦେଖେଇବା ପାଇଁ । ଆଉ ପଛରୁ ଆଉ କିଛି କରିଥାନ୍ତି । ଯାଅ ଲାଲ୍ କିଲ୍ଲା ଭାଙ୍ଗିଦିଅ, କୁତବମୀନାର ଭାଙ୍ଗିଦିଅ, ତାଜ ମହଲ ଭାଙ୍ଗିଦିଅ, ଯାଅ ହାଇଦ୍ରାବାଦର ଚାରମୀନାର ମଧ୍ୟ ଭାଙ୍ଗିଦିଅ କାହିଁକି ନା ଏମାନଙ୍କୁ ସବୁ ମୁସଲମାନ ମାନେ ହିଁ ବନାଇଛନ୍ତି । ଖଡଗେ କହିଛନ୍ତି ଯେ ମୁଁ ନିଜେ ଜଣେ ହିନ୍ଦୁ। ମୋର ନାମ ମଲ୍ଲିକାର୍ଜୁନ । ମୋ ନାମ ମଧ୍ୟ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ । ମୁଁ ଜଣେ ଧର୍ମନିରପେକ୍ଷ ହିନ୍ଦୁ। ଆପଣ ଧର୍ମନିରପେକ୍ଷ ହିନ୍ଦୁରେ ବିଶ୍ୱାସ କରନ୍ତି ନାହିଁ ।
ୱାକଫ୍ ବିଲ୍ ଉପରେ ଖଡଗେ କହିଛନ୍ତି, ଆମେ ୱାକଫ୍ ବିଲ୍କୁ ବିରୋଧ କରୁଛୁ। ଯଦି କୌଣସି ସ୍ଥାନରେ ଭୁଲ ଅଛି, ଏହାକୁ ସଂଶୋଧନ କରାଯାଇ ପାରିବ । କିନ୍ତୁ ଭଙ୍ଗାରୁଜା ଦେଶକୁ ବିନାଶ ଆଡକୁ ନେଇଯିବ।