ପ୍ୟାରିସ୍,୧୫/୦୧ : ଫ୍ରାନ୍ସର ଜଣେ ମହିଳା ଡେଟିଂ ସ୍କାମରେ ଫସି ପ୍ରାୟ ୭ କୋଟି ଟଙ୍କା ହରାଇଛନ୍ତି । ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ପ୍ରଯୁକ୍ତି କୌଶଳ ବ୍ୟବହାର କରି ଠକ ଜଣକ ନିଜକୁ ହଲିଉଡ ଅଭିନେତା ବ୍ରାଡ୍ ପିଟ୍ ବୋଲି କହିବା ସହ ଭିଡିଓ ପଠାଇ ବିଶ୍ୱାସ ଜନ୍ମାଇବା ପରେ ମହିଳାଙ୍କ ଠାରୁ ଟଙ୍କା ଲୁଟି ନେଇଛି । ଠକେଇର ଶିକାର ହୋଇଛନ୍ତି ଆନ୍ନି ନାମକ ଜଣେ ୫୩ ବର୍ଷୀୟା ଇଣ୍ଟେରିୟର ଡିଜାଇନର ।
ଅଭିଯୋଗ ଅନୁସାରେ, ୨୦୨୩ ଫେବ୍ରୁଆରୀରେ ତାଙ୍କ ହ୍ୱାଟସ୍ଆପକୁ ଏକ ମେସେଜ ଆସିଥିଲା । ମେସେଜ୍ କରିଥିବା ଜଣେ ମହିଳା ନିଜକୁ ବ୍ରାଡ ପିଟ୍ଙ୍କ ମା’ ବୋଲି ଦର୍ଶାଇଥିଲେ। ଆନ୍ନିଙ୍କ ସହ ସେ ଭଲରେ କଥା ହୋଇ ବନ୍ଧୁତା ସୃଷ୍ଟି କରିଥିଲେ । କିଛିଦିନ ପରେ ଠକ ଜଣକ ନିଜକୁ ବ୍ରାଡ ପିଟ୍ ବୋଲି କହି ଆନ୍ନିଙ୍କୁ ଫୋନ୍ କରିଥିଲେ । ବିଶ୍ୱାସ ଜନ୍ମାଇବା ଲାଗି ଏଆଇ କୌଶଳ ଉପଯୋଗ କରି ଭିଡିଓ ସେୟାର କରିଥିଲେ । ସେଥିରେ ଲେଖିଥିଲେ କି ଆନ୍ନିଙ୍କୁ ସେ ଡେଟ୍ କରୁଛନ୍ତି ଏବଂ ଖୁବଶୀଘ୍ର ତାଙ୍କୁ ବିବାହ କରିବେ । ଏଥିରେ ଆନ୍ନିଙ୍କ ବିଶ୍ୱାସ ବଢ଼ିଥିଲା । ସେ ବ୍ରାଡ୍ ପିଟ୍ଙ୍କୁ ଡେଟ୍ କରୁଛନ୍ତି ବୋଲି ତାଙ୍କର ଖୁସିର ସୀମା ରହିଲା ନାହିଁ । ଏହା ପରେ ଠକ ଜଣକ ଫୋନ୍ କରି କହିଥିଲା କି ଆନ୍ନିଙ୍କ ଲାଗି ବ୍ରାଡ୍ ପିଟ୍ ମୂଲ୍ୟବାନ ଉପହାର ପଠାଇଛନ୍ତି । ତାକୁ ପାଇବାକୁ ହେଲେ ଟିକସ ବାବଦକୁ ପ୍ରାୟ ୮ ଲକ୍ଷ ଟଙ୍କା ଦେବାକୁ ପଡିବ । ଠକ ଜଣକ ତାଙ୍କୁ ଆକାଉଣ୍ଟ ନମ୍ବର ମଧ୍ୟ ପଠାଇଥିଲା । ଏଥିରେ ବିଶ୍ୱାସ କରି ଆନ୍ନି ୮ ଲକ୍ଷ ଟଙ୍କା ପଠାଇଥିଲେ । ପ୍ରଥମ ଟଙ୍କା ହାତେଇବା ପରେ ଠକ ଜଣକ ମୋଟା ଅଙ୍କର ଅର୍ଥ ହାତେଇବାକୁ ଯୋଜନା କରିଥିଲା ।
ଏପରିକି କଥାବାର୍ତ୍ତା ଛଳରେ ଆନ୍ନି କହିଥିଲେ କି ତାଙ୍କର ଛାଡପତ୍ର ହୋଇସାରିଛି ଏବଂ ଏ ବାବଦକୁ ସେ କିଛି ଟଙ୍କା ରଖିଛନ୍ତି । ତେଣୁ ବ୍ରାଡ୍ ପିଟ୍ ରୂପୀ ଠକ ଜଣକ ଆନ୍ନିଙ୍କୁ ଫୋନ୍ କରି ତାଙ୍କର କିଡନୀ କ୍ୟାନସର ହୋଇଥିବା ଦର୍ଶାଇ ଟଙ୍କା ହାତେଇଥିଲା । ଏପରିକି ମେଡିକାଲ ବେଡ୍ର ଫଟୋ ଓ ଭିଡିଓ ମଧ୍ୟ ପଠାଇଥିଲା । ଆଉ କିଛିଦିନ ପରେ ଫୋନ୍ କରି ଆଞ୍ଜେଲିନା ଜୋଲିଙ୍କ ସହ ତାଙ୍କର ଛାଡପତ୍ର ହୋଇଯାଇଛି । ତାଙ୍କୁ ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ସେ ଆନ୍ନିଙ୍କୁ ବିବାହ କରିବେ ବୋଲି କହିଥିଲା । ତେଣୁ ଆଉ କିଛି ଟଙ୍କା ଆନ୍ନିଙ୍କ ଠାରୁ ନେଇଥିଲା । ଏହାର କିଛିଦିନ ପରେ ବ୍ରାଡ ପିଟ୍ଙ୍କୁ ତାଙ୍କର ନୂଆ ଗାର୍ଲଫ୍ରେଣ୍ଡ ଇନିସ ଡେ ରମନଙ୍କ ସହ ଗଣମାଧ୍ୟମରେ ଦେଖିବାକୁ ପାଇଥିଲେ ଆନ୍ନି । ତେଣୁ ତାଙ୍କର ସନ୍ଦେହ ହୋଇଥିଲା ଏବଂ ସେ ଠକାମୀର ଶିକାର ହୋଇଥିବା ଜାଣି ପୁଲିସରେ ଅଭିଯୋଗ କରିଥିଲେ । ଆନ୍ନି ବର୍ତ୍ତମାନ ଗଭୀର ମାନସିକ ଅବସାଦର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ।