କଟକ,୨୦/୦୯: ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି ୧୮୭୨ ମସିହାରୁ ଶାରଦୀୟ ଦଶହରାରେ ପୂଜା କରିଆସୁଛି । ଚଳିତ ବର୍ଷ ପୂଜା ୧୫୨ ବର୍ଷରେ ପହଞ୍ଚିଛି । ମଣ୍ଡପରେ ମୂର୍ତ୍ତି ହେଉ ବା ମେଢ଼, ସୁନା ଚାନ୍ଦିରେ ଛାଉଣି କରିବା କମିଟିର ସ୍ୱତନ୍ତ୍ରତା । ୧୯୫୬ ମସିହାରେ କଟକ ସହରରେ ପ୍ରଥମ ଚାନ୍ଦିମେଢ଼ କରି ଏହି କମିଟି ଏକ ନୂଆ ଇତିହାସ କରିଥିଲା । ୧୯୯୩ ମସିହାରେ ମା’ଙ୍କର ସୁନାର ମୁକୁଟ ଓ ୨୦୦୨ରେ ପାଶ୍ୱର୍ ଦେବାଦେବୀଙ୍କ ମୁକୁଟ ଓ ଗହଣା ମଧ୍ୟ ସୁନାର କରାଯାଇଥିଲା । ଏହାର ତିନି ବର୍ଷ ପରେ ମା’ଙ୍କ ପାଇଁ ସୁନାର ଚୁଡ଼ାହାର ଓ ଚାନ୍ଦିମେଢ଼ରେ ୪ଟି ସୁନାର କଲିକା ଲାଗିଥିଲା । ୨୦୦୮ରେ ମା’ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପାଇଁ କମିଟି ପକ୍ଷରୁ ସୁନାର ହାର ନିର୍ମାଣ କରାଯାଇଥିଲା । ସୁନା ଓ ଚାନ୍ଦିର ଚମକ ସୃଷ୍ଟି କରିବାରେ ଚୌଧୁରୀବଜାର ପୂଜା ମଣ୍ଡପର ବିଶେଷ ଖ୍ୟାତି ରହିଛି ।
ସହରର ମଧ୍ୟ ଭାଗରେ ଥିବା ଅନ୍ୟତମ ପ୍ରତିଷ୍ଠିତ ପୂଜା କମିଟି ହେଉଛି ହରିପୁର-ଦୋଳମୁଣ୍ଡାଇ ପୂଜା କମିଟି । ୧୯୩୮ ମସିହାରେ ଏକ ଅସ୍ଥାୟୀ ଘରେ ହରପାର୍ବତୀ ମୂର୍ତ୍ତିରୁ କମିଟି ପୂଜା ଆରମ୍ଭ କରି ପ୍ରତିମାକୁ ୧୯୫୬ ମସିହାରେ ସ୍ଥାୟୀ ମଣ୍ଡପକୁ ଅଣାଗଲା । ୧୯୯୬ ମସିହାରେ କମିଟି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ ହେଲା । ୧୯୯୭ରେ ଦେବୀଙ୍କର ଚାନ୍ଦିମେଢ଼ ଓ ୨୦୧୭ରେ ଦେବୀଙ୍କ ମୁକୁଟରେ ସୁନାର ମୟୁର ଓ ନୋଥ ଲାଗିଥିଲା । ଏଠାରେ ସଂପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ପୂଜା କରାଯାଏ । ନବମୀ ତିଥିରେ କୁମାରୀ ପୂଜା ଓ ଦହିପଖାଳ ଭୋଗର ପରମ୍ପରା ମଣ୍ଡପରେ ରହିଆସିଛି । ଏପରିକି ହଜାରେ କିଲୋ ଲଡ଼ୁ ତିଆରି କରି ବଜାର ଓ ସାହିରେ ବାଣ୍ଟିବାର ବି ପରମ୍ପରା ଅଛି ।
ବଙ୍ଗୀୟ ପରମ୍ପରାରେ ପୂଜା ହେଉଥିବା ଅନ୍ୟତମ ମଣ୍ଡପ ହେଉଛି ଫିରିଙ୍ଗବଜାର ପୂଜା କମିଟିର । ଏଠାରେ ଅନ୍ନଭୋଗର ପରମ୍ପରା ରହିଛି। ସପ୍ତମୀରେ ସାତପ୍ରକାର ଭୋଗରୁ ଆରମ୍ଭ ହୋଇ ଦଶମୀରେ ୧୦ ପ୍ରକାର ଭୋଗ ଲାଗି ହୁଏ । ସନ୍ଧି ପୂଜାରେ ଜହ୍ନି ପୋଡ଼ା ସହିତ ବିନା ଲୁଣରେ ବିରି ବରା ଓ ବିରି ଗୁଲୁଗୁଲା ଭୋଗ ଲାଗେ । ତେବେ ଏହି କମିଟି ଶାରଦୀୟ ଦଶହରାରେ ୧୯୬୪ ମସିହାରେ ସାମିଲ ହୋଇଥିଲା । ଏଠାରେ ପ୍ରଥମେ ରାଧାକୃଷ୍ଣଙ୍କ ମୂର୍ତ୍ତି ବା କୁଞ୍ଜ ପୂଜା ପାଉଥିଲେ । ୧୯୬୮ ମସିହାରେ ଶିବପାର୍ବତୀଙ୍କ ଯୁଗଳମୂର୍ତ୍ତି ପୂଜା ଆରମ୍ଭ କରାଗଲା । ୨୦୦୮ ମସିହାରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ୨୦୧୨ରେ ମା’ଙ୍କ ଶୋଭା ବଢ଼ାଇଲା ସୁଉଚ୍ଚ ଚାନ୍ଦି ମେଢ଼ ।
ସହରରେ ଚାନ୍ଦିମେଢ଼ର ପରମ୍ପରାରେ ଯୋଡ଼ି ହୋଇଥିବା ଅନ୍ୟତମ ମଣ୍ଡପ ହେଉଛି ଶ୍ରୀଶ୍ରୀ ମଦନମୋହନ ଜିଉ ପୂଜା କମିଟି କାଠଗଡ଼ାସାହି । ସହରର ଦଶମ ଚାନ୍ଦି ମେଢ଼ ଭାବେ ଏଠାରେ ୨୦୦୮ରେ ସାଢ଼େ ୩ କ୍ୱିଣ୍ଟାଲ୍ ଚାନ୍ଦିରେ ମେଢ଼ ନିର୍ମାଣ କରାଯାଇଥିଲା । ତେବେ ଦେଶ ସ୍ୱାଧୀନତା ପୂର୍ବରୁ ଏଠାରେ ଦଶହରାରେ ହରପାର୍ବତୀ ପୂଜା ଆୟୋଜିତ ହେଉଥିବା ବେଳେ ୧୯୫୭ରେ ବଙ୍ଗୀୟ ପୂଜା ବିଧିରେ ମା’ ଦୁର୍ଗା ପୂଜା ଆରମ୍ଭ ହେଲା । ୨୦୧୬ ମସିହାରେ ଏଠାରେ ମା’ଙ୍କ ସୁନାର ମୁକୁଟ ଶୋଭା ପାଇଲା । ୨୦୧୮ ବେଳକୁ ମା’ଙ୍କର ସମସ୍ତ ଗହଣାକୁ ସୁନାରେ ନିର୍ମାଣ ଶେଷ କରାଯାଇଥିଲା । କମିଟି ଦ୍ୱାରା ଦୁଇଟି ମଣ୍ଡପରେ ପୂଜା ଆୟୋଜନ କରାଯାଏ । ଗୋଟିଏ ମଦନମୋହନ ଜୀଉ ମଣ୍ଡପ ଓ ଦ୍ୱିତୀୟ ପ୍ରକଟ ନାଥ ମଣ୍ଡପରେ ମା’ଙ୍କ ପୂଜା ଅର୍ଚ୍ଚନା କରିବାର ପରମ୍ପରା ରହିଛି ।
ଉଭୟ ହିନ୍ଦୁ ଓ ମୁସ୍ଲିମ୍ ସମ୍ପ୍ରଦାୟର ଲୋକଙ୍କୁ ନେଇ ନିମସାହିରେ ମା’ ଦୁର୍ଗାଙ୍କ ପୂଜା ଆୟୋଜିତ ହେଉଛି । ଅଞ୍ଚଳଟି ଛୋଟ ହୋଇଥିଲେ ବି ପୂଜାବିଧିକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଏ । ପ୍ରାୟ ୬୦ ବର୍ଷରୁ ଅଧିକ ସମୟ ହେବ ଏଠାରେ ଶାରଦୀୟ ଦଶହରା ଆୟୋଜିତ ହେଉଛି । ପ୍ରଥମେ ହରପାର୍ବତୀ ମୂର୍ତ୍ତି ଏଠାରେ ପୂଜା ପାଉଥିଲେ । ୨୦୧୧ରେ ମା’ ଦୁର୍ଗାଙ୍କର ପ୍ରତିମୂର୍ତ୍ତି ଏକ ସ୍ଥାୟୀ ମଣ୍ଡପରେ ପୂଜା ପାଉଛି । ଏହି ମଣ୍ଡପ ହେଉଛି କଟକୀ ଭାଇଚାରର ଏକ ଜ୍ୱଳନ୍ତ ଉଦାହରଣ । ସବୁ ସଂପ୍ରଦାୟର ଲୋକ ପୂଜାରେ ସାମିଲ ହୁଅନ୍ତି ଓ ଭସାଣିରେ ମାଆଙ୍କୁ ମେଲାଣି ବି ଦେଇଥାନ୍ତି ।
ଦେବୀଗଡ଼ା ଅର୍ଥାତ୍ ଭସାଣି ରୁଟ୍ର ଶେଷ ଅଞ୍ଚଳରେ ଯେଉଁ କିଛି ପୂଜା ମଣ୍ଡପ ରହିଛି ତନ୍ମଧ୍ୟରୁ ତେଲେଙ୍ଗାବଜାର ପୂଜା କମିଟି ଅନ୍ୟତମ। ପ୍ରାୟ ୭୦ ବର୍ଷରୁ ଅଧିକ ସମୟ ହେବ ଏହି ମଣ୍ଡପରେ ହରପାର୍ବତୀଙ୍କ ମୂର୍ତ୍ତି ପୂଜା ପାଇଆସୁଛି । ଗତବର୍ଷ କମିଟି ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ପିତଳରେ ଏକ ମେଢ଼ କରାଯାଇଥିଲା । ଯାହାକି ଦୂରକୁ ସୁନା ସଦୃଶ୍ୟ ହେଉଥିଲା ଓ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲା । ଭସାଣି ରୁଟ୍ର ଶେଷ ମେଢ଼ ଭାବେ ପୁରୀଘାଟ ଗଡ଼ା ପାଖେ ହରପାର୍ବତୀ ମୂର୍ତ୍ତିଙ୍କୁ ରଖାଯାଇ ଅନ୍ୟ କମିଟିକୁ ସମ୍ବର୍ଦ୍ଧନା ଦେବାର ପରମ୍ପରା ରହିଛି । ଆଗକୁ ଦେବାଦେବୀଙ୍କର ଅଳଙ୍କାରକୁ ଚାନ୍ଦିରେ କରିବାକୁ କମିଟି ଉଦ୍ୟମ କରୁଛି ।
ପ୍ରତିବର୍ଷ କେବଳ ସୁନେଲୀ ରଙ୍ଗରେ ହରପାର୍ବତୀଙ୍କ ବିଭିନ୍ନ ପ୍ରତିମୂର୍ତ୍ତି କରି ମଣ୍ଡପରେ ପୂଜା କରୁଥିବା ଅନୁଷ୍ଠାନ ହେଉଛି ଟାଉନ୍ହଲ୍ ରୋଡ୍ ପୂଜା କମିଟି । ପ୍ରାୟ ୪୦ ବର୍ଷ ପୂର୍ବେ ଅର୍ଥାତ୍ ୧୯୮୪ ମସିହାରୁ ଏଠାରେ ମଣ୍ଡପରେ ହରପାର୍ବତୀ ପୂଜା ପାଉଛନ୍ତି । ଏହା ପୂର୍ବରୁ ମା’ଗୋଷାମଣୀ ପୀଠରେ ଶାରଦୀୟ ଦଶହରାରେ ଷୋଡ଼ଶ ଉପଚାର କରାଯାଏ । ପ୍ରତିବର୍ଷ ଏଠାରେ କେବଳ କିମ୍ବା ହରପାର୍ବତୀଙ୍କ ଯୁଗଳ ମୂର୍ତ୍ତିକୁ ନିର୍ମାଣ କରାଯାଇ ସେଥିରେ ସୁନେଲି ରଙ୍ଗ ଦେବା କମିଟିର ସ୍ୱତନ୍ତ୍ରତା । ପୂଜାରେ ସାମାଜିକ ବର୍ତ୍ତା ଦେବା ଏହି ମଣ୍ଡପର ସ୍ୱତନ୍ତ୍ରତା । ଏଠାରେ ରସଗୋଲା ଭୋଗ ଲାଗିବାର ବିଧି ରହିଛି ।