ନୂଆଦିଲ୍ଲୀ,୦୧/୦୨: ଗ୍ରାହକଙ୍କ ପାଇଁ ଖୁସି ଖବର । ମାସ ଆରମ୍ଭରୁ ମହଙ୍ଗା ମାଡରୁ ଆଶ୍ବସ୍ତି ମିଳିଛି । କମିଲା ଗ୍ୟାସ୍ ସିଲିଣ୍ଡର ଦର । ବଜେଟ୍ ପୂର୍ବରୁ ୧୯ କେଜି ଏଲପିଜି ସିଲିଣ୍ଡର ଦର କମିଛି । ୧୯ କେଜି ଗ୍ୟାସ ସିଲିଣ୍ଡର ପିଛା ୭ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦାମ୍ ୧୭୯୭ ଟଙ୍କା ରହିଛି । ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ବଜେଟ୍ ପୂର୍ବରୁ ତୈଳ ମାର୍କେଟିଂ କମ୍ପାନୀ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୭ ଟଙ୍କା କମ୍ କରିଛି । ବର୍ଷର ଲଗାତାର ଦ୍ବିତୀୟ ଥର ପାଇଁ ଗ୍ୟାସ ଦର କମିଛି । ଗତ ଜାନୁଆରୀ ପହିଲାରେ କମର୍ସିଆଲ ଗ୍ୟାସ ଦର ୧୪.୫୦ କମିଥିଲା । ଆଜି ପୁଣି ୭ ଟଙ୍କା ଶସ୍ତା ହୋଇଛି ଗ୍ୟାସ । ଦିଲ୍ଲୀରେ ୧୯କେଜି କମର୍ସିଆଲ ଗ୍ୟାସ ଦର ୧୮୦୪ ବଦଳରେ ୧୭୯୭ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ୧୪.୨ କେଜି ଘରୋଇ ସିଲିଣ୍ଡର ଦର ଦିଲ୍ଲୀରେ ୮୦୩ ରହିଛି । ସେହିପରି କୋଲକାତାରେ ୮୨୯ ରହିଥିବା ବେଳେ ମୁମ୍ବାଇରେ ୮୦୨ ଓ ଚେନ୍ନାଇରେ ୮୮୧ ଟଙ୍କା ରହିଛି । ପ୍ରତିମାସର ଉଭୟ କମର୍ସିଆଲ ଓ ଘରୋଇ ସିଲିଣ୍ଡର ଗ୍ୟାସ ଦର ପରିବର୍ତ୍ତନ ହୋଇଥାଏ ।
କହି ରଖୁଛି କି, ଆଜି ବଜେଟ୍ ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ତାଙ୍କର ଅଷ୍ଟମ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ତେବେ କଣ ରହିବ ବଜେଟ୍ ତାହା ଉପରେ ସମସ୍ତଙ୍କ ନଜର । ମୁଦ୍ରାସ୍ଫୀତ, ଟିକସ୍ ରିହାତି ଉପରେ ବଡ ଘୋଷଣା ହୋଇପାରେ । ମଧ୍ୟବିତ୍ତ, ଗରିବ ଓ ମହିଳାଙ୍କୁ ମିଳିପାରେ ପ୍ରାଧ୍ୟନ୍ୟ । ଚଳିତ ବଜେଟରେ ମୋଟ୍ ବ୍ୟୟ ପରିମାଣ ୫୦ କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ବଜେଟ୍ ପୂର୍ବରୁ ଏଲପିଜି ସିଲିଣ୍ଡର ଦର ୭ ଟଙ୍କା କମିବା ଗ୍ରାହକଙ୍କ ପାଇଁ ଏକ ବଡ ଆଶ୍ବସ୍ତି ଆଣିଛି ।