ଭୁବନେଶ୍ୱର,୦୭/୦୩: ସାରା ରାଜ୍ୟରେ ଗ୍ରୀଷ୍ମ ଋତୁର ଅନୁଭୂତି ଆରମ୍ଭ ହୋଇଗଲାଣି । ବିଭିନ୍ନ ଜିଲ୍ଲାରେ ପାରଦ ୩୭ ଡିଗ୍ରୀ ଛୁଇଁଲାଣି । କିନ୍ତୁ କୋରାପୁଟ ଜିଲ୍ଲା ଲମତାପୁଟରେ ବିଗତ ଦୁଇ ଦିନ ହେବ ପାରଦ ତଳ ମୁହାଁ ହୋଇଛି । ଦିନରେ ତାପମାତ୍ରା ୨୫ ଡିଗ୍ରୀ ରହୁଥିବା ବେଳେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ସନ୍ଧ୍ୟାରେ ଜନଶୂନ୍ୟ ହୋଇ ପଡୁଛି ମୁଖ୍ୟ ବଜାର । ମଟର ସାଇକେଲରେ ଯାତାୟାତ କରିବା ଭାରି କଷ୍ଟ ହୋଇପଡୁଛି । ସକାଳୁ ୯ ଟା ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହୁଛି ।
ସ୍ଥାନୀୟଲୋକେ ରାତିରେ ନିଆଁ ଲଗାଇ ଶୀତ ଛଡାଉ ଥିବାବେଳେ ସକାଳୁ ଘାସରେ କାକର ବିନ୍ଦୁ ସହ ଶୀତର ପ୍ରକୋପ ଅନୁଭୂତି ହେଉଛି । ଚା ପିଇବା ପାଇଁ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି । ଶୀତ ଲାହରୀର ମଜାନେବା ପାଇଁ ସବୁଜିମା ଭରା ଡୁଡୁମା ଜଳପ୍ରପାତକୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନୁକୂଳ ପରିବେଶ ଏବଂ ଶୀତ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।