ପ୍ରମୂଖ ଖବର
  • ନବରଙ୍ଗପୁର : ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଲା ବସ୍‌, ୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ହଜିଗଲାଣି ପରମ୍ପରା... ରୋଜଗାର ଦେଉନି କୌଳିକ ବୃତ୍ତି, ଦୁର୍ଦ୍ଦିନରେ ଚିତ୍ରାଳୟ କାରିଗର

Published By : Prameya | September 3, 2024 12:52 PM

କୁଆଖିଆ, ୦୩/୦୯ : ପୁରୁଷାନୁକ୍ରମେ ଏହି ବୃତ୍ତିରେ ପରିବାର ଚଳୁଥିଲା । ଏକଦା ଓଡ଼ିଶାର ପ୍ରତିଟି ମଞ୍ଚରେ ପୌରାଣିକ ବିଷୟ ବସ୍ତୁକୁ ନେଇ ଯାତ୍ରା ପରିବେଷଣ କରାଯାଉଥିଲା । କଳାକାର ମଞ୍ଚକୁ ଓହ୍ଲାଇବା ପାଇଁ ଝିଲିମିଲି ପୋଷାକ ଲୋଡ଼ା ପଡ଼ୁଥିଲା । ସେମାନଙ୍କ ଆବଶ୍ୟକ ପୋଷାକ ପାଇଁ ଯାଜପୁର ଜିଲ୍ଲାର ହରିପୁର ବେଶ ପ୍ରସିଦ୍ଧ ଥିଲା । ହରିପୁର ଚିତ୍ରାଳୟ କାରିଗରଙ୍କ ପୋଷାକ ନଥିଲେ ମଞ୍ଚ ଅସମ୍ପୂର୍ଣ୍ଣ ଲାଗୁଥିଲା । ସମୟ ବଦଳି ଗଲା । ଆଧୁନିକ ବେଶଭୂଷା ବଜାର ପ୍ରବେଶ କରିବା ପରେ ଚିତ୍ରାଳୟ ପୋଷାକର ଚାହିଦା କମିଲା । ଫଳରେ କୌଳିକ ବୃତ୍ତିକୁ ଜାବୁଡ଼ି ଧରିଥିବା କାରିଗରଙ୍କ ପେଟ ପୂରୁନଥିବା ବେଳେ ଏବେ ଦୁର୍ଦ୍ଦିନରେ ସେମାନଙ୍କ ପରିବାର କାଳାତିପାତ କରୁଛନ୍ତି । 

ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହରିପୁର ବଜାର ଚିତ୍ରାଳୟ ପୋଷାକ ପାଇଁ ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ । ଏହି ବଜାରରେ ୫ରୁ ୬ଟି ଚିତ୍ରାଳୟ ପୋଷାକ ନିର୍ମାଣ ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଏହି ଚିତ୍ରାଳୟରେ ଠାକୁର ବସ୍ତ୍ର, ଚାନ୍ଦୁଆ, ବିମାନ ବସ୍ତ୍ର, ରଥବସ୍ତ୍ର, ନୃତ କଳାକାରଙ୍କ ପୋଷାକ, ପୌରାଣିକ ନାଟକ ପାଇଁ ରାଜା ମୁକୁଟ, ଛାତି ପାଇଁ ସାଞ୍ଜୁ, ବାହୁ ପାଇଁ ବାଜୁବନ୍ଦ୍‌, ଅଣ୍ଟା ପାଇଁ କମରବନ୍ଦ୍‌, କିରିଟ, ଚିକ ଓ କାରୁକାର୍ଯ୍ୟ ଭରା ନାଗରା ନିର୍ମାଣ ହେଉଛି । ସମଗ୍ର ଓଡ଼ିଶାରେ ଯାତ୍ରା ପୋଷାକ ପ୍ରସ୍ତୁତି ହରିପୁର ସମେତ ନରସିଂହପୁର, ଗୌରଶ୍ୟାମପାଟଣା, ଗୋପୀନାଥପୁର ଆଦି ଅଞ୍ଚଳରେ ହୋଇଥାଏ । ଯାହାକୁ ସ୍ଥାନୀୟ ଭାଷାରେ ‘ବେଶ କାମ’ ବୋଲି କୁହାଯାଏ । ହରିପୁର ଠାରେ ଯାତ୍ରା ପୋଷାକ ପ୍ରସ୍ତୁତିର ପରମ୍ପରା ଓଡ଼ିଶାରେ ଯାତ୍ରା ଭଳି ବହୁ ପୁରାତନ । ପୌରାଣିକ ନାଟକ ପାଇଁ ଆବଶ୍ୟକ ପୋଷାକ ଏହିଠାରୁ ଯାଉଥିଲା । ସ୍ୱାଧୀନତା ପୂର୍ବରୁ ମଖମଲ କପଡ଼ାରେ ପ୍ରଥମେ ଅଠା ଦେଇ ଯାତ୍ରା କଳାକାରଙ୍କ ପୋଷାକ ନିର୍ମାଣ କରାଯାଉଥିଲା । ଶଲମା, ଜରି, ଚୁମୁକି, ମାଳି ଆଦିକୁ ଅଠାରେ ଖଞ୍ଜିବା ପରେ ମଖମଲ କପଡ଼ାରେ ହାତରେ ସିଲେଇ କରାଯାଉଥିଲା । ପୂର୍ବରୁ କାରିଗର ଏହି କାମକୁ ଲୁକ୍କାୟିତ ଭାବେ କରୁଥିଲେ । ଏହି କଳାକୁ କେହି ଶିଖିଯିବା ଭୟରେ ଘର ଭିତରେ କବାଟ ଦେଇ ଓ ରାତି ଜଡ଼ାତେଲ ଦୀପ ଜାଳି କାମ କରୁଥିଲେ । ଗୋଟିଏ ରାଜ ପୋଷାକ ତିଆରି ପାଇଁ ଏକାଧିକ କାରିଗର ଲାଗୁଥିଲେ । ପୋଷାକର ଭିନ୍ନ ଭିନ୍ନ ଅଂଶକୁ ଅଲଗା ଅଲଗା କାରିଗର ପ୍ରସ୍ତୁତ କରୁଥିଲେ । ସମସ୍ତ ପ୍ରସ୍ତୁତି ଶେଷ ପରେ ସବୁ ଅଂଶକୁ ଏକାଠି କରି ସମ୍ପୂର୍ଣ୍ଣ ପୋଷାକ ପ୍ରସ୍ତୁତ ହେଉଥିଲା । ସମୟ ସହିତ ଓଡ଼ିଶାରେ ଯାତ୍ରା ଦଳଙ୍କ ସଂଖ୍ୟା ବଢ଼ି ଚାଲିଲା । ଫଳରେ ହରିପୁର ଯାତ୍ରା ପୋଷାକର ଚାହିଦା ମଧ୍ୟ ବୃଦ୍ଧି ପାଇଲା । 

ମୁଖ୍ୟତଃ ହରିପୁର ସହିତ ତା’ର ଆଖପାଖ ଅଞ୍ଚଳର ମହିଳାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଏହି କାମ କରି ରୋଜଗାରକ୍ଷମ ହୋଇପାରୁଥିଲେ । ପ୍ରାୟ ୬ଶହରୁ ଅଧିକ ପରିବାରର ଲୋକ ଏହି କାମ କରି ସେମାନଙ୍କ ଗୁଜୁରାଣ ମେଣ୍ଟାଉଥିଲେ । ସମୟ ବଦଳିବା ସହିତ ପୌରାଣିକ, ଐତିହାସିକ ତଥା କାଳ୍ପନିକ ନାଟକର ଚାହିଦା କମିଛି । ଆଉ ଯାତ୍ରା ପେଣ୍ଡାଲରେ ରାଜା, ରାଣୀ, ସେନାପତିଙ୍କର ଚିକିମିକିଆ ପୋଷାକ ଦେଖିବାକୁ ମିଳୁନି । ତଥାପି ଯେଉଁ କିଛି ପରିମାଣର ପୋଷାକ ପ୍ରସ୍ତୁତ ହେଉଛି ତାର କଞ୍ଚାମାଲ ଓଡ଼ିଶା ବାହାରୁ ଆମଦାନୀ କରିବାକୁ ପଡ଼ୁଛି । ଯାହା ବ୍ୟୟବହୁଳ ହୋଇପଡ଼ୁଛି । ତେଣୁ ବର୍ତ୍ତମାନ ଚିତ୍ରାଳୟ ପୋଷାକ ତିଆରି କରି ଆଉ କାରିଗର ପରିବାର ପୋଷିବା ସମ୍ଭବ ହେଉନି । ଏହି ଚିତ୍ରାଳୟ ପୋଷାକ ପ୍ରସ୍ତୁତିରେ ନିୟୋଜିତ କାରିଗରଙ୍କୁ ପାରିଶ୍ରମିକ ଅନୁଯାୟୀ ମଜୁରି ମିଳୁନଥିବା ବେଳେ ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳୁନି । ତେଣୁ ସମବାୟ ଭିତ୍ତିରେ ଏହି କଳା ପାଇଁ ସରକାରୀ ପ୍ରୋତ୍ସାହନ ମିଳିଲେ କଳାକାରଙ୍କ ଉନ୍ନତି ହେବା ସହିତ ହରିପୁର ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ପାଇପାରନ୍ତା ବୋଲି ବରିଷ୍ଠ ଚିତ୍ରାଳୟ କାରିଗର ପୂର୍ଣ୍ଣଚନ୍ଦ୍ର ସାହୁ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.