ପୁରୀ, ୨୯/୦୪ (ରାଜଶ୍ରୀ ସାହୁ): ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନେ ଶୋଭାର ଭଣ୍ଡାର । କବିବର ରାଧାନାଥ ରାୟଙ୍କ ଲିଖିତ ଏହି ପଂକ୍ତିରେ ଚିଲିକାକୁ ଓଡିଶାର ଶୋଭା ଭଣ୍ଡାର ଭାବେ ବର୍ଣ୍ଣନା କରାଯାଇଛି । କେବଳ ସୁନ୍ଦରତା ନୁହେଁ ଚିଲିକାରେ ଖୁନ୍ଦି ହୋଇ ରହିଛି ପ୍ରକୃତିର ଆହୁରି ଅନେକ ବରଦାନ । ସେଥିମଧ୍ୟରୁ ଅନ୍ୟତମ ଚିଲିକାର ‘ରାତିର ରାଣୀ’ ଭାବେ ପରିଚିତ ‘ଚିଲିକା ମଇଁଷି’ । ସାରା ଭାରତ ବର୍ଷରେ କେବଳ ଚିଲିକା ଉପକୂଳରେ ଏହି ସ୍ୱତନ୍ତ୍ର ପ୍ରଜାତିର ମଇଁଷିଙ୍କୁ ଦେଖିବାକୁ ମିଳିଥାଏ । ଏହି ମଇଁଷିକୁ ନେଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଚାଲିଥିବା ବେଳେ ବିଗତ ୫ ବର୍ଷରେ ଏହି ମଇଁଷିଙ୍କ ସଂଖ୍ୟା ୫୦ ପ୍ରତିଶତ କମିଗଲାଣି । ଯଦି ଏହାର ସଂରକ୍ଷଣ ପାଇଁ ପଦକ୍ଷେପ ନିଆ ନଯାଏ ତେବେ ଦିନେ ଚିଲିକାର ରାତିର ରାଣୀ ଇତିହାସ ପାଲଟିବେ ବୋଲି ଆଶଙ୍କା କରାଯାଉଛି ।
ଏହି ମଇଁଷି ଚିଲିକା କୂଳରେ ରାତିତମାମ ବୁଲି ଲୁଣି ପାଣିରେ ଉଠିଥିବା ଦଳ, ନଳ ଘାସ ଖାଇଥାନ୍ତି। ସୂର୍ଯ୍ୟାସ୍ତ ହେଲେ ଏମାନେ ଗୁହାଳରୁ ବାହାରି ଖାଦ୍ୟ ଅନ୍ୱେଷଣରେ ଯାଉଥିବା ବେଳେ ସୂର୍ଯ୍ୟୋଦୟ ପୂର୍ବରୁ ଫେରିଆସନ୍ତି । ସେଥିପାଇଁ ଏହି ମଇଁଷିଙ୍କୁ ରାତିର ରାଣୀ କୁହାଯାଏ । ସ୍ୱତନ୍ତ୍ର ଖାଦ୍ୟପେୟ ଶୈଳୀ ଅନ୍ୟ ମଇଁଷିଙ୍କଠାରୁ ଏମାନଙ୍କୁ ପୃଥକ କରିପାରିଛି । ଲୁଣି ପାଣିରେ ଥିବା ଘାସ ଓ ଦଳ ଖାଇବା କାରଣରୁ ଏମାନଙ୍କ କ୍ଷୀରରେ ପ୍ରଚୁର ମାତ୍ରାରେ ଓମେଗା-୩ ଏସିଡ୍ ରହିଥାଏ । ସେତିକି ନୁହେଁ, ଏହି କ୍ଷୀରରେ ଆଣ୍ଟି କ୍ୟାନ୍ସର ତତ୍ୱ ମଧ୍ୟ ଭରିରହିଥିବା ୨ ବର୍ଷ ତଳେ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ ରିସୋର୍ସ ପକ୍ଷରୁ ଗବେଷଣାରୁ ଜଣାପଡିଥିଲା । କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଏହି ସ୍ୱତନ୍ତ୍ର ମଇଁଷିଙ୍କୁ ନେଇ ଗବେଷଣା ଜାରିରହିଛି ।
ଚିଲିକା ମଇଁଷିଙ୍କଠାରେ ୪୮ ଗୁଣସୂତ୍ର ରହିଥିବା ବେଳେ ଏହାଠାରୁ ଉତ୍ପାଦିତ କ୍ଷୀର ଅନ୍ୟ କ୍ଷୀର ତୁଳନାରେ ଢେର ଅଧିକ ବହଳିଆ । ଏହା ଏତେ ବହଳିଆ ଯେ କ୍ଷୀରକୁ ବାଉଁଶିଆରେ ରଖାଯାଇ ଦହି କରାଯାଇଥାଏ । ଦିନ ଥିଲା ବାଉଁଶିଆରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଦହି ଖାଇବାକୁ ବ୍ରହ୍ମଗିରି କୃଷ୍ଣପ୍ରସାଦକୁ ଦୂରଦୂରାନ୍ତରୁ ଲୋକେ ଆସୁଥିଲେ । କୃଷ୍ଣ-ବଳରାମ କାଞ୍ଚି ଅଭିଯାନରେ ଯିବା ସମୟରେ ମାଣିକପାଟଣାଠାରେ ଏହି ଦହି ଖାଇଥିବା ମଧ୍ୟ ବର୍ଣ୍ଣିତ ରହିଛି । ଏଣୁ ଏହି ଦହି ମାଣିକପାଟଣା ଦହି ଭାବେ ପରିଚିତ । ଏବେ ମଇଁଷିଙ୍କ ସଂଖ୍ୟା କମିଥିବାରୁ ଏହି ଦହି ସହଜରେ ମିଳୁନି । କେବଳ ବରାଦୀ ହେଲେ ମଇଁଷି ଚାଷୀ ଏହା ପ୍ରସ୍ତୁତ କରି ଦେଉଛନ୍ତି । ୧୫ ବର୍ଷ ପୂର୍ବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିଲିକା ମଇଁଷି ଉପରେ ଗବେଷଣା ହୋଇଥିଲା । ସେହି ସମୟରେ ଚିଲିକା ଆଖପାଖରେ ୬୦ ହଜାରରୁ ଅଧିକ ମଇଁଷି ଥିଲେ । ଏବେ ଏହି ସଂଖ୍ୟା ୩୦ ହଜାରରୁ କମ୍ ରହିଛି । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ୩୦୦ରୁ କମ୍ ପରିବାର ଏହି ମଇଁଷି ଚାଷକୁ ବଂଚାଇ ରଖିଛନ୍ତି ।
ଏହି ମଇଁଷି କ୍ଷୀରର ଚାହିଦା ପୁରୀ ସହରରେ ସର୍ବାଧିକ । ମନ୍ଦିର ଆଖପାଖ ଅଞ୍ଚଳରେ ରାବିଡି, ଛେନା, ସରପାପୁଡି ଆଦି ପ୍ରସ୍ତୁତି ପାଇଁ ଏହି କ୍ଷୀର ବ୍ୟବହାର କରାଯାଏ । ମାଟି ଓଳିରେ ଏହି କ୍ଷୀର ବିକ୍ରି ଅଧିକ ହୁଏ । ହେଲେ ଏବେ ଉତ୍ପାଦନ କମୁଥିବାରୁ ଦୁଗ୍ଧର ମାନ ମଧ୍ୟ କମୁଛି ବୋଲି ରାବିଡି ବ୍ୟବସାୟୀ ଶଙ୍କର ମହାପାତ୍ର ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରାଣୀଧନ ଅଧିକାରୀ ଶରତ ଚନ୍ଦ୍ର ବେହେରା କହିଛନ୍ତି, ଚିଲିକା ମଇଁଷିଙ୍କ ସଂରକ୍ଷଣ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି । ମଇଁଷି ଚାଷୀଙ୍କୁ ଡାକି ଗ୍ରୁପ ମିଟିଂ କରାଯାଉଛି । ବୈଠକରେ ସେମାନଙ୍କୁ ଚାଷ ସଂପର୍କିତ ଉପାଦେୟ ତଥ୍ୟ ପ୍ରଦାନ କରାଯାଉଛି । ଚିଲିକା ମଇଁଷିରୁ ଉତ୍ପାଦିତ ସ୍ୱତନ୍ତ୍ର ଦହିକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଛି ।
ଏହି ଖବରଟିକୁ ପଢନ୍ତୁ-ସୁଟିଂ ସେଟ୍ରୁ ଆଲବମ୍ ଅଭିନେତ୍ରୀଙ୍କୁ ଅପହରଣ, ବାକି ଦରମା ନମିଳିବାରୁ ଖୋର୍ଦ୍ଧା ନେଇଗଲେ ଡ୍ରାଇଭର