ଭୁବନେଶ୍ୱର, ୨୧।୪: ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀଗଣ । ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ସ୍ଥାନାନ୍ତରିତ ହୋଇଥିଲା ସମ୍ବଲପୁରକୁ । ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସମ୍ବଲପୁରରେ ଏ ଜନଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର । ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ରାଜ୍ୟ ପାଇଁ ଓ ସର୍ବୋପରି ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି।
ସେ ପୁଣି କହିଥିଲେ ଯେ, ଆମର ଉଦ୍ଦେଶ୍ୟ ହେଉଛି ରାଜ୍ୟର ବୃହତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ନଜର ଅନ୍ଦାଜ୍ ନ କରୁ। ସେମାନେ ଯେପରି ଅନୁଭବ ନ କରନ୍ତି ଯେ, ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ପୂର୍ବ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ। ଆମେ କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛୁ। ଏଥର ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ।
ସେ ଆହୁରି କହିଥିଲେ ଯେ, ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀମାନେ ସେମାନଙ୍କ ସ୍ତରରେ ହିଁ ଯେତେଦୂର ସମ୍ଭବ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ତତ୍ପର ହେବେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ ବୋଲି ସେ କହିଛନ୍ତି। ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ପୂର୍ବ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଭୁବନେଶ୍ୱରରେ ୯ଟି ଜନ ଶୁଣାଣି ହୋଇଛି। ପୂର୍ବ ୯ଟି ପାଳିରେ ୯,୩୭୭ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛୁ ଏବଂ ପ୍ରାୟ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ଅବଶିଷ୍ଟ ଗୁଡିକ ପ୍ରକ୍ରିୟା ଭିତରେ ଅଛି ।ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ୧୦ମ ପାଳି। ଏହି ପାଳିରେ ପ୍ରାୟ ୧୦୦୦ ଜଣ ଅନଲାଇନ ଜରିଆରେ ପଂଜିକୃତ ଓ ଅଫଲାଇନରେ ପ୍ରାୟ ୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି ।
ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।
କେବଳ ଚିକିତ୍ସା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ । ସମସ୍ତଙ୍କ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଥିଲେ ।