ମାଲକାନଗିରି, ୨୪/୬ (ଆପ୍ର ):ରାଜ୍ୟ ବିଭିନ୍ନ ଜିଲ୍ଲା ଗୁଡିକରେ ଦିନକୁ ଦିନ ଝାଡା ବାନ୍ତି ବ୍ୟାପୁଥିବାରୁ ଏହାକୁ ଦ୍ରୁଷ୍ଟିରେ ରଖି ମଙ୍ଗଳବାର ୨୦ ଟି ହୋଟେଲ ଓ ଜଳଖିଆ ଦୋକାନ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପୌରପରିଷଦ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଞ୍ଚ ହୋଇଛି । ୧୮ହାଜର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢାଉରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ଅଣୁଜୀବବିଜ୍ଞାନୀ ପ୍ରଣବିକା ସିଂହଙ୍କ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ପୌରପାଳିକା କର୍ମଚାରୀ ଓ ପୁଲିସ ଟିମ ଉପସ୍ଥିତ ଥିଲେ।
ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବିଭିନ୍ନ ଫାଷ୍ଟଫୁଡ, ହୋଟେଲ ଏବଂ ଜଳଖିଆ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୌରପାଳିକାର ମିଳିତ ଚଢାଉ କରାଯାଇଛି। ବାସୀ ଖାଦ୍ୟ ସହ ବିଭିନ୍ନ ଦୋକାନରେ ବ୍ୟବହାର ହେଉଥିବା ପାଣିର ନମୁନା ସଂଗ୍ରହ କରାଯାଇଛି। ଯେପରି ସମସ୍ତ ହୋଟେଲ ଓ ଦୋକାନ ମାଲିକ ମାନେ ସରକାରୀ ନିୟମର ପାଳନ କରି ସ୍ବଚ୍ଛ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବେ ସେନେଇ ତାଗିଦ କରିଛନ୍ତି। ବିଭିନ୍ନ ଦୋକାନ ଗୁଡିକରୁ ସଂଗ୍ରହ ଖାଦ୍ୟ ଓ ପାଣି ନମୁନା ଯାଞ୍ଚ ହେବ ବୋଲି ଅଧିକାରୀ ମାନେ ପ୍ରକାଶ କରିଛନ୍ତି। ଯେଉଁ ଦୋକାନୀ ବେନିୟମ କାର୍ଯ୍ୟ ତଥା ବିନା ଅନୁମତିରେ ଦୋକାନ ଚଳାଉଥିଲେ, ସେମାନଙ୍କ ଠାରୁ ପାଖାପାଖି ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଶୁଦ୍ଧ ପାନୀୟ ଜଳ ସହ ସଜ ଖାଦ୍ୟ ପରିବେଷଣ ପାଇଁ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି।