କଟକ,୧୭/୦୧: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ ହେଲା ମାମଲା । ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଭାରତୀୟ ବିକାଶ ପରିଷଦ ମାମଲା ରୁଜୁ କରିଥିଲା । ହେଲେ ସେତେବେଳେ ମାମଲା ପ୍ରାରମ୍ଭିକ ସ୍ଥିତିରେ ଥିବାରୁ ଭାରତୀୟ ବିକାଶ ପରିଷଦ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ଏବେ ମାମଲା ରୁଜୁ ହେବା ପରେ ସେଥିରେ ସିବିଆଇ, ମୁଖ୍ୟ ସଚିବ, ଗୃହ ସଚିବ ଓ ପୋଲିସ ଡ଼ିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
କହିରଖୁ କି, ନବ ଦାସ ହତ୍ୟା ମାମଲାକୁ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆର୍ସି) ଗୁରୁତ୍ୱର ସହ ନେଇଥିଲେ । ମାମଲାର ତଦନ୍ତରେ ଓଡିଶା ପୁଲିସ ହେଳା କରୁଥିବା ଦର୍ଶାଇ ଆୟୋଗ କ୍ଷୋଭ ପ୍ରକାଶ କରିଥିଲେ । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ତଲବ ପାଇଁ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ନ୍ୟାୟ ପାଇଁ ଲଢ଼େଇ ପରିବାର ତରଫରୁ ସଭାପତି ସୁବ୍ରତ ଦାଶ ଏହି ହତ୍ୟାକାଣ୍ଡ ସମୟରେ ଏନେଇ ଏନ୍ଏଚ୍ଆର୍ସିରେ ଏକ ପିଟିସନ ଦାଖଲ କରିଥିଲେ । ସେତେବେଳେ ୮ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ତତ୍କାଳୀନ ପୋଲିସ ଡିଜିଙ୍କୁ ଏନ୍ଏଚ୍ଆର୍ସି ନିର୍ଦ୍ଦେଶ ଦେଇଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି ରିପୋର୍ଟ ଦାଖଲ ହୋଇନଥିଲା । ୨୦୨୪ ଜାନୁଆରୀ ୨୯ରେ ଶ୍ରୀ ଦାଶ ଏନ୍ଏଚ୍ଆର୍ସିରେ ଆଉ ଏକ ଅପିଲ୍ କରିଥିଲେ । ମାମଲାର ୧୦ଟି ଦିଗରେ ସମ୍ବେଦନଶୀଳ ତଥ୍ୟ ଉଲ୍ଲେଖ କରି ନିରପେକ୍ଷ ତଦନ୍ତ ହେଉନଥିବା ଆୟୋଗଙ୍କୁ ଅଭିଯୋଗ କରିଥିଲେ। ହତ୍ୟାର କାରଣ ରହସ୍ୟରେ ଥିବା ଦର୍ଶାଇବା ସହ ଆୟୋଗଙ୍କ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ମାମଲାର ତଦନ୍ତ ପାଇଁ ଆବେଦନ କରିଥିଲେ।
ଆୟୋଗ ଉକ୍ତ ଅପିଲ୍ର ଶୁଣାଣି କରି ପୁଲିସ ଡିଜିଙ୍କୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହତ୍ୟାର କାରଣ ଖୋଜାଯାଉ । ଏସବୁର ବିସ୍ତୁତ ରିପୋର୍ଟ ଆୟୋଗଙ୍କ ସହ ଅଭିଯୋଗକାରୀଙ୍କୁ ଦିଆଯାଉ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।