କ୍ୟାନସର ବା କର୍କଟ ରୋଗ ଏକ ସୁପ୍ତ ବିପଦ । ବର୍ତ୍ତମାନ କର୍କଟ ରୋଗୀଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି । ଏହା ଏମିତି ଏକ ରୋଗ ଯାହାର କୌଣସି ସ୍ୱତନ୍ତ୍ର ଲକ୍ଷଣ ପ୍ରକାଶ ପାଏନାହିଁ । ତେଣୁ ଏହାକୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରିବା ସମ୍ଭବପର ନୁହେଁ । ଲକ୍ଷଣ ନ ଥିଲେ ବି ସମସ୍ତଙ୍କ ପାଇଁ ଟେଷ୍ଟିଂ ଜରୁରି । ଏଥିସହ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ବୋଲି ଜଣାଶୁଣା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ନିହାର ରଞ୍ଜନ ସାମଲ କହିଛନ୍ତି ।
ରୋଗର କାରଣ
ପ୍ରଦୂଷଣ, ଫାଷ୍ଟ୍ଫୁଡ୍ ଖାଦ୍ୟ, ନିଶା ସେବନ ଓ ଜୀବନ ଶୈଳୀରେ ପରିବର୍ତ୍ତନ ହିଁ ମୁଖ୍ୟତଃ କର୍କଟ ରୋଗର ମୂଳ କାରଣ । ଏହାବ୍ୟତୀତ ଭୂତାଣୁଜନିତ ସଂକ୍ରମଣ ଓ ବଂଶଗତ ରୋଗ କର୍କଟକୁ ଆମନ୍ତ୍ରଣ କରିଥାଏ । ସାଧାରଣ ଲୋକେ ଅଜ୍ଞ ଯେ ବାୟୁ ଓ ଜଳ ପ୍ରଦୂଷଣ, ଲୋହିତ କଣିକା ପ୍ରଭାବରେ କର୍କଟ ରୋଗ ହୋଇଥାଏ । ଶିଳ୍ପାଞ୍ଚଳରୁ ନିର୍ଗତ ସିଲିକନ୍ କ୍ଷୁଦ୍ର କଣିକା ଓ ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଲ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ । ପ୍ରଦୂଷଣରୁ ନିର୍ଗତ ଅତି କ୍ଷୁଦ୍ର କଣିକା ନିଃଶ୍ୱାସରେ ଯାଇ ଫୁସ୍ଫୁସ୍ରେ ଜମା ହୋଇଥାଏ । ଏହା ଆସ୍ତେ ଆସ୍ତେ ରକ୍ତ ଭିତରକୁ ପ୍ରବେଶ କରିଥାଏ । ଆଉ ଫୁସ୍ଫୁସ୍ର ସମ୍ପ୍ରସାରଣ ଓ ସଙ୍କୋଚନ ପ୍ରକ୍ରିୟାକୁ ବାଧା ଦେଇଥାଏ ।
ଲକ୍ଷଣ ପ୍ରାଥମିକ
ଅବସ୍ଥାରେ ଶ୍ୱାସରୋଗଠାରୁ ଆରମ୍ଭ କରି ଧଇଁସଇଁ ଭଳି ଅନେକ ଲକ୍ଷଣ ଦେଖା ଦେଇଥାଏ । ଲୋକେ ଏହାକୁ ସାଧାରଣ କଥା ଭାବି ଏଡ଼ାଇ ଦିଅନ୍ତି । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯେମିତି ହୃତ୍ପିଣ୍ଡ, ଯକୃତ ଓ ବୃକ୍କକୁ କ୍ଷତି ପହଞ୍ଚାଇଥାଏ । ଏହା ଦୀର୍ଘଦିନ ଧରି ଆକ୍ରାନ୍ତ କରେ । ରକ୍ତ କୋଷିକାରେ ଏହି କଣିକାଗୁଡ଼ିକ ଜମା ହୋଇ ଗୋଟିଏ ସ୍ଥାନକୁ ଅବରୋଧ କରିଥାଏ । ସେହି ଅବରୋଧ ସ୍ଥାନରେ କୋଷିକା ଫୁଲିବାକୁ ଲାଗେ । ଏହା ଆସ୍ତେ ଆସ୍ତେ କର୍କଟ ଆଡ଼କୁ ଗତି କରି ପାରେ । କର୍କଟ ରୋଗର ଲକ୍ଷଣଗୁଡ଼ିକ ହେଉଛି ଓଜନ ହ୍ରାସ, ପେଟ ଯନ୍ତ୍ରଣା, ନିୟମିତ ପତଳା ଝାଡ଼ା ଓ ଦୁର୍ବଳ ଲାଗିବା ସହ ବିଭିନ୍ନ ଅଙ୍ଗରେ ଘୋଳାବିନ୍ଧା ହେବା ।
ମାମୋଗ୍ରାଫି ଟେଷ୍ଟ ଜରୁରି
କର୍କଟ ଏକ ବଂଶଗତ ରୋଗ ମଧ୍ୟ । ଯଦି ପରିବାରରେ ମାଆଙ୍କ ସ୍ତନ କର୍କଟ ରହିଛି, ତାହେଲେ ଝିଅକୁ ସ୍ତନ କର୍କଟ ହୋଇପାରେ । ତେଣୁ ଝିଅମାନେ ନିଶ୍ଚିତ ଭାବେ ମାମୋଗ୍ରାଫି ଟେଷ୍ଟ କରିବା ଦରକାର । ସେହିପରି କୋଲୋନ୍ କ୍ୟାନ୍ସର ମଧ୍ୟ ବଂଶଗତ । ଯଦି କାହାର ପରିବାରରେ ଏହି ରୋଗୀ ପୂର୍ବରୁ ଚିହ୍ନଟ ହୋଇଛନ୍ତି ସେମାନେ ମଧ୍ୟ କର୍କଟ ପରୀକ୍ଷା କରିବା ଦରକାର ।
ଫାଷ୍ଟଫୁଡ୍ ଛାଡ଼
ନିୟମିତ ଫାଷ୍ଟଫୁଡ୍ ଖାଇବା ଦ୍ୱାରା ମଧ୍ୟ କର୍କଟ ହେବାର ଆଶଙ୍କା ଥାଏ । ଏହି ଖାଦ୍ୟରେ ବିଭିନ୍ନ ପ୍ରକାର ମସଲା, ରାସାୟନିକ ପଦାର୍ଥ ଓ ରଙ୍ଗ ମିଶାଯାଉଛି । ଏହାକୁ ଖାଇଲେ ପେଟରେ ଘା ସୃଷ୍ଟି ହୋଇଥାଏ । ତେଣୁ ଫାଷ୍ଟଫୁଡ୍ ଆଦୌ ସ୍ୱାସ୍ଥ୍ୟକର ଖାଦ୍ୟ ନୁହେଁ । ପାଟିକୁ ସ୍ୱାଦ ଲାଗୁଛି ବୋଲି ଲୋକେ ଖାଉଛନ୍ତି । କିନ୍ତୁ ଏହା ଶରୀରକୁ ବହୁତ କ୍ଷତି କରୁଛି ବୋଲି ଲୋକେ ଜାଣିପାରୁନାହାନ୍ତି । ତେଣୁ ଫାଷ୍ଟଫୁଡ୍ରୁ ଦୂରେଇ ରହିବା ଆବଶ୍ୟକ । ସନ୍ତୁଳିତ ଖାଦ୍ୟ ଖାଇବା ଦରକାର । ମଟନ୍ ଖାଇବା କଥା ନୁହେଁ । କେବଳ ଛୋଟ ଓ ଚୁନା ମାଛ ଖାଇବା ଦରକାର । ଆଉ ସବୁଜ ପରିବା ଯେତେ ଖାଇବ ଶରୀର ପାଇଁ ଭଲ ବୋଲି ଡାକ୍ତର ସାମଲ ପରାମର୍ଶ ଦେଇଛନ୍ତି ।
ନିଶା ଠାରୁ ଦୂରେଇ ରୁହ
ଭୂତାଣୁ ଦ୍ୱାରା ମଧ୍ୟ କର୍କଟ ହେଉଛି । ଇବି ଭାଇରସ, ହେପାଟାଇଟିସ-ବି, ସି ଓ ପାପିଲୋମା ଭାଇରସ ରହିଛି । ଏହି ଭାଇରସ୍ ମୁକାବିଲା ପାଇଁ ଟିକା ଉପଲବ୍ଧ । କର୍କଟର ଆଉ ଏକ ମୁଖ୍ୟ କାରଣ ନିଶା ସେବନ । ମଦଠାରୁ ଆରମ୍ଭ କରି ସିଗାରେଟ୍ ଓ ପାନ ଗୁଟ୍ଖା ବ୍ୟବହାର ଦ୍ୱାରା କର୍କଟ ହେଉଛି । ତେଣୁ ନିଶା ଠାରୁ ଦୂରେଇ ରହିଲେ ୪୦ ପ୍ରତିଶତ କର୍କଟ ରୋଗୀଙ୍କ ସଂଖ୍ୟା କମିବ ।
ଡାକ୍ତର ନିହାର ରଞ୍ଜନ ସାମଲ, କର୍କଟ ରୋଗ ବିଶେଷଜ୍ଞ କ୍ୟାପିଟାଲ୍ ହସ୍ପିଟାଲ, ଭୁବନେଶ୍ୱର