ନୂଆଦିଲ୍ଲୀ,୦୫/୧୧: ଏକ ଘରୋଇ ସମ୍ପତ୍ତି ବିବାଦରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ତମାମ ମାମଲାରେ ରାୟ ପ୍ରଦାନ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ କହିଛନ୍ତି ଯେ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ସମ୍ପ୍ରଦାୟର ସମାଗ୍ରିକ ସମ୍ବଳ ନୁହେଁ। କିଛି ବ୍ୟକ୍ତିଗତ ସମ୍ପତ୍ତି ସମ୍ପ୍ରଦାୟର ସାମଗ୍ରୀକ ଉତ୍ସ ହୋଇପାରେ। ଏହା ହେଉଛି ୯ ଜଣିଆ ସମ୍ବିଧାନିକ ଖଣ୍ଡପୀଠଙ୍କ ନିଷ୍ପତ୍ତି, ଯାହା ୧୯୭୮ ପରଠାରୁ ସୁପ୍ରିମକୋର୍ଟଙ୍କ ଅନେକ ନିଷ୍ପତ୍ତିକୁ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦଶନ୍ଧି ଦଶନ୍ଧି ପୁରୁଣା ବିବାଦ ଉପରେ ନିଜର ରାୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଏହି ମାମଲାରେ ଏହି ରାୟ ପ୍ରଦାନ କରି କହିଛନ୍ତି ଯେ, 'ମୋର ଏବଂ ୬ ଜଣ ବିଚାରପତିଙ୍କ ତିନୋଟି ବିଚାର ଅଛି ... ଜଷ୍ଟିସ୍ ନାଗରତ୍ନଙ୍କ ଆଂଶିକ ସହମତି ଏବଂ ଜଷ୍ଟିସ୍ ଧୁଲିଆଙ୍କ ଅସହମତି ଏଥିରେ ରହିଛି। କେସାବାନନ୍ଦ ଭାରତୀ ମାମଲାରେ ଧାରା ୩୧ (ଗ) ଅକ୍ଷୁର୍ଣ୍ଣ ରହିଛି ବୋଲି ଆମେ ଗ୍ରହଣ କରୁଛୁ।'
ବଦଳାଇଲେ ୧୯୭୮ ପରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତି:
ସୁପ୍ରିମକୋର୍ଟ ଏହାର ଐତିହାସିକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ସରକାର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ହାସଲ କରିପାରିବେ ନାହିଁ। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ଼ ୧୯୭୮ର ପରବର୍ତ୍ତୀ ସମସ୍ତ ବିଚାରକୁ ରଦ୍ଦ କରିଦେଇଛନ୍ତି। ଯାହାକି ଏକ ସମାଜବାଦୀ ଆଭିମୁଖ୍ୟ ଗ୍ରହଣ କରିଥିଲା ଏବଂ ସାଧାରଣ ହିତ ପାଇଁ ସରକାର ସମସ୍ତ ଘରୋଇ ସମ୍ପତ୍ତି ନେଇପାରିବେ ବୋଲି ଏକ ଭାବନା ଥିଲା। ସିଜେଆଇ ସାତଜଣ ବିଚାରପତିଙ୍କ ସଂଖ୍ୟାଗରିଷ୍ଠତାକୁ ଉଲ୍ଲେଖ କରି ଲେଖିଛନ୍ତି ଯେ, 'ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଭୌତିକ ସମ୍ବଳ ନୁହେଁ ତେଣୁ ସରକାର ଏହାକୁ ଗ୍ରହଣ କରିପାରିବେ ନାହିଁ।'
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି:
* ସୁପ୍ରିମକୋର୍ଟଙ୍କ ବହୂମତ ନିଷ୍ପତ୍ତି- ସରକାର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିଗୁଡ଼ିକୁ ଅଧିଗ୍ରହଣ କରିପାରିବେ ନାହିଁ। ସିଜେଆଇଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ବହୂମତ ନିଷ୍ପତ୍ତି
* ସିଜେଆଇଙ୍କ ଖଣ୍ଡପୀଠ ବିଚାରପତି କୃଷ୍ଣା ଅୟରଙ୍କ ପୂର୍ବ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ, ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ରାଜ୍ୟଦ୍ବାରା ଅଧିଗ୍ରହଣ କରାଯାଇପାରିବ।' ଚନ୍ଦ୍ରଚୁଡ଼ କହିଛନ୍ତି, ପୁରୁଣା ଶାସନ ଏକ ବିଶେଷ ଆର୍ଥିକ ଏବଂ ସମାଜବାଦୀ ବିଚାରଧାରାରୁ ଅନୁପ୍ରାଣିତ ଥିଲା।
* ଗତ ୩୦ ବର୍ଷ ମଧ୍ୟରେ ଗତିଶୀଳ ଅର୍ଥନୈତିକ ନୀତି ଆପଣାଇବାରେ ଭାରତ ପୃଥିବୀର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। ଖଣ୍ଡପୀଠ ଜଷ୍ଟିସ୍ ଆୟରଙ୍କ ବିଚାରଧାରା ସହିତ ସହମତ ନୁହଁନ୍ତି ଯେ, ବ୍ୟକ୍ତିଗତ ସମ୍ପତ୍ତି ସହିତ ପ୍ରତ୍ୟେକ ସମ୍ପତ୍ତି ଏକ ସମ୍ପ୍ରଦାୟିକ ଉତ୍ସ ବୋଲି କୁହାଯାଇପାରେ।
* ୧୯୬୦ ଏବଂ ୭୦ ଦଶକରେ ସମାଜବାଦୀ ଅର୍ଥନୀତି ପ୍ରତି ଏକ ପ୍ରବୃତ୍ତି ଥିଲା, କିନ୍ତୁ ୧୯୯୦ ଦଶକରୁ ବଜାର ଭିତ୍ତିକ ଅର୍ଥନୀତିକୁ ଧ୍ୟାନ ଦିଆଯାଇଥିଲା। ଭାରତର ଅର୍ଥନୀତିର ଦିଗ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ଅର୍ଥନୀତିଠାରୁ ଦୂରରେ, ଏକ ବିକାଶଶୀଳ ଦେଶର ଉଦୀୟମାନ ଆହ୍ବନକୁ ପୂରଣ କରିବା ଏହାର ଲକ୍ଷ୍ୟ।
* ସିଜେଆଇ କହିଛନ୍ତି, ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ସମ୍ପ୍ରଦାୟର ସାମଗ୍ରୀକ ଉତ୍ସ ନୁହେଁ। କିଛି ବ୍ୟକ୍ତିଗତ ସମ୍ପତ୍ତି ସମ୍ପ୍ରଦାୟର ସାମଗ୍ରୀକ ଉତ୍ସ ହୋଇପାରେ। ୯ଜଣିଆ ଖଣ୍ଡପୀଠଙ୍କ ନିଷ୍ପତ୍ତି ଅନୁସାରେ ୧୯୭୮ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ଅନେକ ନିଷ୍ପତ୍ତି ଖାରଜ ହୋଇଯାଇଛି।
* ଚନ୍ଦ୍ରଚୁଡ଼ ଏହି ରାୟ ପ୍ରଦାନ କରିବା ବେଳେ କହିଛନ୍ତି, 'ବ୍ୟାପକ ବିଭାଗୀୟ ବ୍ୟାଖ୍ୟା କରିବାର କୌଣସି ଆବଶ୍ୟକତା ନାହିଁ। ସମ୍ବିଧାନର ପାଠ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ୪୨ ତମ ସଂଶୋଧନର ଧାରା ୪ ଅନୁସାରେ, ସଂସଦର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବିଧେୟକର କ୍ଷମତାକୁ ଅନ୍ତର୍ଭୁକ୍ତ କରିବା। ସଂସଦର ସ୍ପଷ୍ଟ ଉଦ୍ଦେଶ୍ୟକୁ ଦେଖିଲେ ଏହା ଜଣାଯାଏ ଯେ, ଏହି ପଦବୀକୁ ପ୍ରତ୍ୟାହାର କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଧାରା ୩୧ (ଗ) ର ଅସଂଶୋଧନ ପୁନର୍ଜୀବିତ ହେଲା।