ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୫-୨୬ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଲଗାତାର ଭାବେ ସଂସଦରେ ଅଷ୍ଟମ ଥର ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି।
ଶନିବାର ନିର୍ମଳା ସୀତାରମଣ ବଜେଟରେ ଦକ୍ଷୀଣ ପୂର୍ବ ଏସିଆ ଦେଶଗୁଡିକ ପାଇଁ କରିଥିବା ଘୋଷଣାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତକୁ ବିରୋଧ କରୁଥିବା ମାଳଦ୍ୱୀପ ୨୦୨୫ ବଜେଟରେ ଅନ୍ୟ ଦକ୍ଷୀଣ ପୂର୍ବ ଏସିୟ ଦେଶଗୁଡିକ ଅପେକ୍ଷା ଅଧିକ ବିକାଶମୂଳକ ପାଣ୍ଠି ହାତେଇଥିବା ଦେଖିବାକୁ ମିଳିଛି। ତେବେ ୨୦୨୪ ବଜେଟରେ କମ ପାଣ୍ଠି ପାଇଥିବା ମାଳଦ୍ୱୀପ ଚଳିତ ବର୍ଷର ବଜେଟରେ ପୂର୍ବ ବର୍ଷ ଅପେକ୍ଷା ୨୮ ପ୍ରତିଶତ ଅଧିକ ପାଣ୍ଠି ପାଇବ ବୋଲି ଅର୍ଥମନ୍ତ୍ରୀ ନିଜ ବଜେଟରେ ଘୋଷଣା କରିଛନ୍ତି।
ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟରେ ମାଳଦ୍ୱୀପକୁ ୨୦୨୫-୨୬ ଆର୍ଥିକ ବର୍ଷରେ ବିକାଶମୂଳକ ପାଣ୍ଠି ପାଇଁ ମୋଟ ୬୦୦ କୋଟି ଟଙ୍କା ଦିଆଯାଇଛି। ତେବେ ୨୦୨୪-୨୫ ଆର୍ଥିକ ବର୍ଷରେ ମାଳଦ୍ୱୀପକୁ ଭାରତ ପକ୍ଷରୁ ମାତ୍ର ୪୭୦ କୋଟି ଟଙ୍କା ଦିଆଯାଇଥିଲା।
ମଜାର କଥା ହେଉଛି, ୨୦୨୪ ମସିହାରେ ହୋଇଥିବା ଅନ୍ତରୀଣ ବଜେଟରେ ମାଳଦ୍ୱୀପକୁ ପ୍ରରମ୍ଭୀକ ପର୍ଯ୍ୟାୟରେ ୬୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ପରେ ବହୁଳ ଜନମତ ସହ ନିର୍ବାଚନ ଜିତିଥିବା ମୋଦି ସରକାର ଜୁଲାଇ ମାସରେ ହୋଇଥିବା ପୂର୍ଣ୍ଣକାଳୀନ ବଜେଟରେ ଏହି ରାଶିକୁ ୪୦୦ କୋଟି ଟଙ୍କାକୁ ହ୍ରାସ କରିଥିଲେ। ତେବେ ପରେ ଏଥିରେ ପରିବର୍ତ୍ତନ କରାଯାଇ ରାଶିର ପରିମାଣକୁ ୪୭୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
ସୂଚନା ମୁତାବକ, ଗତବର୍ଷ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଖରାପ ସ୍ଥିତିରେ ପହଞ୍ଚିଥିଲା। ମାଳଦ୍ୱୀପରେ ନୂତନ ଭାବେ ସରକାର ଗଢିଥିବା ମହମ୍ମଦ ମୁଇଜ୍ଜୁଙ୍କ ଦଳର କେତେକ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅପମାନ ସୂଚକ ମନ୍ତବ୍ୟ ପ୍ରଦାନ କରିଥିଲେ। ଏହାର ଜବାବରେ ଲାକ୍ଷାଦ୍ୱୀପରେ ପର୍ଯ୍ୟଟକ ସଂଖ୍ୟ ବୃଦ୍ଧି କରିବାକୁ ୨୦୨୪ ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ପିଏମଙ୍କ ଏହି ଗସ୍ତ ଫଳରେ ମାଳଦ୍ୱୀପରୁ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇବା ସହ ଲାକ୍ଷାଦ୍ୱୀପରେ ପର୍ଯ୍ୟଟକଙ୍କ ସଂଖ୍ୟ ବୃଦ୍ଧି ପାଇଥିଲା।
ଇଣ୍ଡିଆ ଆଉଟ ନାରା ଦେଇ ମାଳଦ୍ୱୀପରେ ନିର୍ବାଚନ ଜିତିଥିବା ମହମ୍ମଦ ମୁଇଜ୍ଜୁଙ୍କୁ ଶେଷରେ ଭାରତ ସାମ୍ନାରେ ମଥା ନୁଆଁଇବାକୁ ପଡିଥିଲା। ଗତବର୍ଷ ଅକ୍ଟୋବର ମାସରେ ସେ ଭାରତ ଗସ୍ତରେ ଆସିବା ସହ ପିଏମ ମୋଦିଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ମୁଇଜ୍ଜୁ ଭାରତକୁ ମାଳଦ୍ୱୀପର ପ୍ରମୁଖ ସହଯୋଗୀ ବୋଲି କହିଥିଲେ।
ଭାରତ ସରକାର ନିଜର 'ନେବରହୁଡ ଫାଷ୍ଟ' ନୀତି ଅନୁଯାୟୀ, ବିକାଶମୂଳକ ପାଣ୍ଠି ପାଇଁ ଭୁଟାନକୁ ସର୍ବାଧିକ ୨ହଜାର ୧୫୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ନେପାଳ ୭୦୦ କୋଟି ଟଙ୍କା ସହାୟତା ରାଶି ସହ ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ମାଳଦ୍ୱୀପ ୬୦୦ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି। ଚଳିତବର୍ଷ ମରିସସ୍ ପାଇଁ ବ୍ୟୟ ଅଟକଳ ୫୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଗତ ବର୍ଷ ଏହି ଦେଶକୁ ଭାରତ ପକ୍ଷରୁ ୫୭୬ କୋଟି ଟଙ୍କା ସହାୟତା ରାଶି ମିଳିଥିଲା।
ମିଆଁମାରକୁ ପୂର୍ବବର୍ଷ ବଜେଟରେ ୪୦୦ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ସେଥିରେ ହ୍ରାସ ଘଟି ୩୫୦ କୋଟି ଟଙ୍କାର ଅନୁଦାନ ରାଶି ମିଳିଛି। ତେବେ ଶ୍ରୀଲଙ୍କା ଓ ବାଂଲାଦେଶକୁ ମିଳୁଥିବା ସହାୟତା ରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଭିନ୍ନ ଆଫ୍ରିକିୟ ଦେଶକୁ ମିଳୁଥିବା ସହାୟତା ରାଶିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବ ବର୍ଷ ଆଫ୍ରିକିୟ ଦେଶ ମାନଙ୍କୁ ୨୦୦ କୋଟି ଟଙ୍କାର ଅନୁଦାନ ରାଶି ଗୃହୀତ ହୋଇଥିବା ବେଳେ ଚଳିତ ବର୍ଷ ସେଥିରେ ବୃଦ୍ଧି ଘଟି ୨୨୫ କୋଟି ଟଙ୍କା ହୋଇଛି।