ଜୀବନକୁ ଯେଉଁ ଢଙ୍ଗରେ ଦେଖିଲେ ବି ସେହି ପୁରୁଣା ନକ୍ସା, ପୁରୁଣା ଅଭ୍ୟାସ ସାମ୍ନାରେ ଆସି ପଥ ଅବରୋଧ କରିଥାଏ । ଗାଈର ନୀଳ ଚଷମା ପରି କୌଣସି ଏକ ନିର୍ଦ୍ଦିଷ୍ଟ ଚଷମା ଆଖି ଉପରେ ରହିଯାଇଛି, ଯାହାଦ୍ୱରା ମଣିଷ ଦେଖୁଛି । ଏପରି ଦେଖିବା ଦୂଷିତ ହୋଇଯାଇଛି । ଏ ଦେଖିବା ଦର୍ଶନ ନୁହେଁ । ଏ ଦେଖିବା ଅନ୍ଧତ୍ୱ । ବନ୍ଧୁ, ଦ୍ୱାର ଖୋଲା ରହୁ।
ପାବଲୋବ ନାମରେ ଜଣେ ପ୍ରସିଦ୍ଧ ମନୋବିଜ୍ଞାନୀ ଥିଲେ । ଜୀବନସାରା ସେ କୁକୁରଙ୍କ ଉପରେ ଗବେଷଣା କରି ଏହି ନିଷ୍କର୍ସରେ ପହଞ୍ଚିଥିଲେ ଯେ, ମଣିଷର ମସ୍ତିଷ୍କକୁ ମଧ୍ୟ କୁକୁରଙ୍କ ମସ୍ତିଷ୍କ ପରି ସଂସ୍କାରିତ କରିହେବ । ଗୋଟିଏ କୁକୁର ଉପରେ ସେ ପରୀକ୍ଷା କଲେ । ପ୍ରତିଦିନ କୁକୁରକୁ ସେ ଏକ ନିର୍ଦ୍ଦିଷ୍ଟ ସମୟରେ ରୁଟି ଖାଇବାକୁ ଦିଅନ୍ତି । ସେ ଦେଖିଲେ ରୁଟି ଦେଖିବା କ୍ଷଣି କୁକୁର ପାଟିରୁ ଲାଳ ବୋହିବାରେ ଲାଗୁଛି । ରୁଟି ଦେବା ସମୟରେ ସେ ନିୟମିତ ଘଣ୍ଟିଟିଏ ବଜାଇ ଥାଆନ୍ତି । ଏଇମିତି ପନ୍ଦରଦିନ ଧରି ରୁଟି ଦେବାପରେ ଗୋଟିଏ ଦିନ କୁକୁରକୁ ରୁଟି ତ ଦିଆଗଲା ନାହିଁ, କିନ୍ତୁ କେବଳ ଘଣ୍ଟି ବଜାଇ ଦିଆଗଲା । ଦେଖାଗଲା କୁକୁର ପାଟିରୁ ପୂର୍ବବତ୍ ଲାଳ ଗଡ଼ିଲା । ଯଦିଓ ଘଣ୍ଟି ସହ କୁକୁର ପାଟିର ଲାଳର କୌଣସି ସମ୍ବନ୍ଧ ନାହିଁ । ରୁଟି ଦିଆଗଲା ଏବଂ ପାଟିରୁ ଲାଳ ଗଡ଼ିବାକୁ ଆମେ ବୁଝି ପାରୁଛେ । କିନ୍ତୁ କେବଳ ଘଣ୍ଟି ବାଜିବ ଏବଂ ପାଟିରୁ ଲାଳ ଗଡ଼ିବା କଥାକୁ ବୁଝି ହେଉନାହିଁ । କିନ୍ତୁ ଗବେଷଣା ଅନୁଯାୟୀ ପନ୍ଦରଦିନ ପର୍ଯ୍ୟନ୍ତ ରୁଟି ଦିଆଗଲା ପାଟିରୁ ଲାଳ ଗଡ଼ିବା କ୍ଷଣି ଘଣ୍ଟି ବଜାଗଲା । ଧୀରେ ଧୀରେ ଘଣ୍ଟି ବାଜିବା ଏବଂ ରୁଟି ମିଳିବା କୁକୁର ମନରେ ସଂଯୁକ୍ତ ହୋଇଗଲା । ଫଳ ହେଲା ଘଣ୍ଟି ବାଜିବା କ୍ଷଣି ବିନା ରୁଟିରେ ମଧ୍ୟ ତା’ ପାଟିରୁ ଲାଳ ଗଡ଼ିଲା । ଏ ଯେଉଁ ଲାଳ ଗଡ଼ିବା ଏହା ପନ୍ଦର ଦିନର କଣ୍ଡିସନିଙ୍ଗ୍ର ପରିଣାମ ।
ଅବିକଳ ସେଇମିତି ଆମେ ବସ୍ରେ ବସି ଯାଉଛେ । ବସ୍ ରାସ୍ତା କଡ଼ରେ ଥିବା ଏକ ମନ୍ଦିର ପାଖ ଦେଇ ଚାଲିଗଲା, ଆଉ ଆମ ହାତ ଆପେ ଆପେ ନମସ୍କାର ଭଙ୍ଗୀରେ ମଥା ଉପରକୁ ଉଠିଗଲା । ଆମେ ଜାଣି ମଧ୍ୟ ପାରୁନାହିଁ ଯେ, ହାତ ମନକୁ ମନ କିପରି ଉଠିଗଲା । ହଁ, ଆମକୁ ପିଲାଟିଦିନୁ ବତେଇ ଦିଆଯାଇଛି ଯେ, ଏହା ଭିତରେ ଭଗବାନ ଅଛନ୍ତି । ଭଗବାନ, ଭଗବାନ ବୋଲି ସମାଜ ଆମକୁ ଶିଖାଇ ଦେଇଛି । ବାରମ୍ବାର ଦୋହରାଇ ଦିଆଯାଇଛି । ଆଉ ଆମର ହାତ ଆପେ ଆପେ ଉଠିଯାଉଛି- ଏହା ଭିତରେ ଭଗବାନ ଅଛନ୍ତି । ବାସ୍, କଣ୍ଡିସନିଙ୍ଗ୍ । ଆମ ମସ୍ତିଷ୍କରେ ଗୋଟିଏ କଥାକୁ ବାରମ୍ବାର ପ୍ରଚାରିତ କରି ଦିଆଯାଇଛି । ଯେମିତି ଘଣ୍ଟି ବାଜିବା ସହ ଲାଳ ବାହାରିବାର କୌଣସି ସମ୍ବନ୍ଧ ନାହିଁ, ଠିକ୍ ସେଇମିତି ଏକ ପଥର ମୂର୍ତ୍ତି ପାଖରେ ହାତ ଯୋଡ଼ି ହେବାର କୌଣସି ସମ୍ବନ୍ଧ ନାହିଁ । କିନ୍ତୁ କଣ୍ଡିସନିଙ୍ଗ ହୋଇଯାଇଛି । ଆଉ ଏହି ଅଭ୍ୟାସକୁ ମସ୍ତିଷ୍କ ମାନି ନେଇଛି । ମସ୍ତିଷ୍କ ଗ୍ରହଣ କରିନେଇଛି- କହୁଛି ଏବଂ କରୁଛି ।
ମଣିଷ ମନର ଅବସ୍ଥା ଆଜି ଅବିକଳ ଏୟା । ମଣିଷର ଚେତନାରେ ଯେଉଁ ସିଦ୍ଧାନ୍ତ ବସିଯାଇଛି, ତା’ ଜୀବନର ପ୍ରତିଟି ଅବସ୍ଥାରେ ସେହି ସିଦ୍ଧାନ୍ତ ଆସି ସାମ୍ନାରେ ଛିଡ଼ା ହୁଏ । ମଣିଷ ହୁଏତ କାହାରି ଅନୁଗାମୀ ହୋଇଥାଏ, କୌଣସି ଦର୍ଶନକୁ ଗ୍ରହଣ କରି ନେଇଥାଏ । ଯେଉଁ ସଂସ୍କାରକୁ ସେ ଧରିନିଏ ଚେତନା ସ୍ତରରେ ସେହି ସଂସ୍କାର ବସିଯାଏ । ଯିଏ ଗୀତାକୁ ଗ୍ରହଣ କରିନେଇଛି ସେ ପ୍ରତିଟି କଥାରେ, କାମରେ, ସ୍ଥିତିରେ ତାର କେବଳ ଗୀତାର ବାଣୀ ହିଁ ମନକୁ ଆସିଯିବ । ଯିଏ ରାମାୟଣକୁ ଧରିନେଇଛି ତା’ ଜୀବନର ସମସ୍ତ ସମସ୍ୟାରେ କେବଳ ରାମାୟଣର ଚୌପାଇ ମନକୁ ଆସିଯିବ । ଯିଏ ମାର୍କ୍ସଙ୍କୁ ଗ୍ରହଣ କରିଛି, ତାର ପ୍ରତିଟି ବାର୍ତ୍ତାଳାପରେ କେବଳ କମ୍ୟୁନିଜମ୍ ଦର୍ଶନ ବାହାରିବ। ଯିଏ ଗାନ୍ଧିଜୀଙ୍କୁ କୋଳେଇ ନେଇଛି ତାର କଥାରେ ଗାନ୍ଧୀ ଦର୍ଶନ । ଏ ସମସ୍ତ ଚେତନା କେବଳ କଣ୍ଡିସନିଙ୍ଗ ହୋଇଯାଇଥାଏ ।
କାହାଣୀଟିଏ- ଗରିବ ମଣିଷଟିଏ ବହୁତ ଦିନ ଧରି ଗାଈଟିଏ କିଣିବ ବୋଲି ଭାବୁଥିଲା । କିଛି ଦିନ ଧରି ପଇସା ସଞ୍ଚୟ କଲାପରେ ସେ ଗାଈଟିଏ କିଣିଲା । ଯେଉଁଠାରୁ ଗାଈ କିଣିଲା ତାହା ଥିଲା ରାଜମହଲର ଗାଈ । ମହଲରେ ଗାଈକୁ ଖୁବ୍ ସୁସ୍ୱାଦୁ ଚାରା, ଘାସ, ଖାଦ୍ୟ ମିଳୁଥିଲା । କିନ୍ତୁ ଏ ଗରିବ ଲୋକଟି ପାଖରେ ଶୁଖିଲା ଛଣ, ନଡ଼ା କୁଟା ବ୍ୟତୀତ ଗାଈକୁ ଦେବାପାଇଁ ଆଉ କିଛି ନଥିଲା । ତା’ ପାଖରେ କଅଁଳିଆ ଛନଛନ ନୀଳ ଘାସ ମଧ୍ୟ ନଥାଏ । କିନ୍ତୁ ଦେଖାଗଲା ଗାଈ ସେ ଶୁଖିଲା ନଡ଼ାକୁଟାକୁ ଆଦୌ ଗ୍ରହଣ କଲାନାହିଁ । ଏମିତି ଶୁଖିଲା କୁଟା ମଧ୍ୟ ଭୋଜନ ହୋଇପାରେ ଗାଈର ସ୍ୱପ୍ନରେ ବାହାରେ ଥିଲା । ଗୋଟିଏ ଦିନ ବିତିଲା, ଦୁଇ ଦିନ ବିତିଲା ଅଥଚ ଗାଈ ଆଦୌ କିଛି ଖାଇଲା ନାହିଁ । ଗରିବ ଲୋକଟି ଘବଡ଼େଇ ଗଲା । ଗାଈ ମଧ୍ୟ ବେମାରରେ ପଡ଼ିଲା । ଲୋକଟି ଗାଁରେ ଥିବା ଜଣେ ଫକୀରଙ୍କ ପାଖକୁ ଯାଇ ପଚାରିଲା- ମୁଁ କ’ଣ କରିବି ଜାଣି ପାରୁନାହିଁ । ବଡ଼ ଅସୁବିଧାରେ ପଡ଼ିଯାଇଛି । ରାଜମହଲରୁ ଗାଈ କିଣି ଆଣିଛି । ସେ କିନ୍ତୁ କିଛି ଖାଉନାହିଁ । ଆଉ ମୋ ପାଖରେ ଶୁଖିଲା ନଡ଼ା ଛଡ଼ା ଆଉ କିଛି ନାହିଁ ତାକୁ ଦେବା ପାଇଁ । ଦୟାକରି ମୋତେ କିଛି ରାସ୍ତା ବତାନ୍ତୁ ।
ଫକୀର କହିଲେ- ତୁ ଗୋଟେ କାମ କର । ବଜାରକୁ ଯାଇ ଗୋଟେ ନୀଳ ରଙ୍ଗର ଚଷମା କିଣି ଆଣି ତୋ ଗାଈକୁ ପିନ୍ଧାଇ ଦେ’ । ଲୋକଟି କହିଲାଏଥିରେ କ'ଣ ଗାଈ ଧୋକା ଖାଇଯିବ । ଫକୀର କହିଲେ- ମଣିଷ ଧୋକା ଖାଇ ଯାଉଛି । ଆଉ ଗାଈ କିଏ କି? ତୁ କେବଳ ନୀଳ ରଙ୍ଗର ଚଷମା କିଣି ଆଣ । ଗାଈ କଣ୍ଡିସନ ହୋଇଯାଇଛି । ଗାଈକୁ କେବଳ ସବୁଜ ଘାସ ଭୋଜନ ବୋଲି ମାଲୁମ ହେଉଛି । ଏହାଛଡ଼ା ଆଉ କୌଣସି ଭୋଜନ ଯୋଗ୍ୟ ବୋଲି ସେ ଗ୍ରହଣ କରିପାରୁନାହିଁ । କେବଳ ମାତ୍ର ସବୁଜ ଘାସ ଦେଖିବାର ମାନସିକତା ଗାଈର ଚେତନାରେ ବସି ଯାଇଛି । ତେଣୁ ତୋର ଏ ଗାଈ ଯାହା ବି ଖାଦ୍ୟ ଖାଇବା ବେଳେ ତା’ ଆଖିକୁ ସବୁକିଛି ସବୁଜ ଦେଖାଯିବା ଦରକାର ।
ଫକୀରଙ୍କ ଏକଥା ଶୁଣି ଲୋକଟିକୁ ବିଶ୍ୱାସ ଆଦୌ ହେଲାନାହିଁ । କିନ୍ତୁ ଆଉ କ’ଣ ବା କରାଯାଇପାରେ । ସେ ନିଜେ ତ ଉପାୟହୀନ । ବାଧ୍ୟ ହୋଇ ବଜାର ଯାଇ ଗୋଟିଏ ନୀଳ ଚଷମା କିଣି ଆଣି ଗାଈ ଆଖିରେ ପିନ୍ଧାଇ ଦେଲା । ତା'ପରେ ଯାହା ଘଟିଲା ଲୋକଟି ଚକିତ ହୋଇ କେବଳ ଚାହିଁ ରହିଲା । ଗାଈ ଚଷମା ପିନ୍ଧିଦେବା ମାତ୍ରକେ ଶୁଖିଲା ନଡ଼ାକୁଟାକୁ ଆନନ୍ଦରେ ଖାଇବା ଆରମ୍ଭ କରିଦେଲା । ଏଥରକ ତା’ ନିଜ ଆଖିରେ ଯାହା ରାଜମହଲରେ ଦେଖିବାର ଅଭ୍ୟାସ ଥିଲା ତାହା ଦେଖାଗଲା । ସବୁଜ ଖାଦ୍ୟ, ଘାସ ଦେଖାଗଲା । ଆମେମାନେ ପ୍ରତ୍ୟେକ ଏହିଭଳି କଣ୍ଡିସନିଙ୍ଗ ହୋଇ ଯାଇଛୁ । ଯଦି କେହି ଆମ ସାମ୍ନାରେ କୋରାନ ଆଣି ଥୋଇଦିଏ ତେବେ ଗୀତା ପଢ଼ିବା ବାଲାକୁ କୋରାନରେ କିଛି ବି ଦେଖାଯିବ ନାହିଁ । ଶୁଖିଲା ନଡ଼ାକୁଟା ଦେଖାଯିବ । ସବୁଜ ଘାସ ଦେଖାଯିବ ନାହିଁ । ପୁଣି ଯଦି କେହି ବିନୋବା କିମ୍ବା ଗାନ୍ଧିଜୀ କୋରାନରୁ ସେହି ସବୁ ପଙ୍କ୍ତି ପଦ ବାହାର କରି ଅଲଗା ରଖିଦେବେ, ଯାହା ଗୀତାରେ ମଧ୍ୟ ଲେଖା ଯାଇଅଛି । ତେବେ ଆମକୁ ପୁଣିଥରେ ସେହି କୋରାନରେ ସବୁଜ ଘାସ ଦେଖାଯିବା ଆରମ୍ଭ ହୋଇଯାଏ । ଆମର ଆଖି ସେହି ଅନୁସାରେ ନିର୍ଣ୍ଣୟ ହୋଇଗଲାଣି ।
ଆମେ ଆମର ଚେତନାର ଦ୍ୱାର ପୂରାପୂରି ବନ୍ଦ କରି ସାରିଲୁଣି । ଆମର ପ୍ରିଜୁଡିସ୍, ପକ୍ଷପାତ ନିର୍ଣ୍ଣୟ ମଜବୁତ୍ ହୋଇ ସାରିଲାଣି ଆମ ଭିତରେ । ତାହାକୁ ଆମେ ପରମ୍ପରା କହୁଛେ । ଆଉ ଏହି ପରମ୍ପରାରେ ଯେଉଁ ମଣିଷ ଛନ୍ଦି ହୋଇଗଲା ସତ୍ୟ ସହ ସାକ୍ଷାତକାର ତା’ ପାଇଁ ଅସମ୍ଭବ ହୋଇପଡ଼େ । ଆମ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ଭିତରକୁ ବିଦେଶୀ ଏବଂ ଅଣହିନ୍ଦୁ ପ୍ରବେଶକୁ ନେଇ ସମୟେ ସମୟେ ଯେଉଁ ଅଶୋଭନୀୟ ବାତାବରଣ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ତଥା ଗୋଷ୍ଠୀଙ୍କ ଦ୍ୱାରା ସୃଷ୍ଟି କରାଯାଉଛି ତାହା ମଧ୍ୟ ଏହି ପରମ୍ପରା ସହ କଣ୍ଡିସନିଙ୍ଗ୍ ହୋଇଯାଇଥିବା କାରଣରୁ । ପ୍ରଥା, ପରମ୍ପରାର ଆଦୌ କୌଣସି ଉପଯୋଗିତା ଯେ ନାହିଁ ମୁଁ ଏପରି କହୁନାହିଁ । କିନ୍ତୁ ପରମ୍ପରା ଚେତନାର ବନ୍ଧନ ହେବା କଥା ନୁହେଁ । ଚେତନା ସର୍ବଦା ମୁକ୍ତ ହେବା ଦରକାର ।
ଚେତନା ଯେତେ ମୁକ୍ତ ହେବ ଜୀବନରେ ଆସୁଥିବା ପରିବର୍ତ୍ତନ, ପ୍ରତିକ୍ଷଣରେ ଆସୁଥିବା ନୂତନ ସଂସ୍କାରକୁ ଜୀବନ ଗ୍ରହଣ କରିବାକୁ ସକ୍ଷମ ହୋଇ ପାରିବ । କିନ୍ତୁ ସାଧାରଣତଃ ମଣିଷର ସମସ୍ତ ଚେତନା କଣ୍ଡିସନିଙ୍ଗ ହୋଇଯାଇଛି । କିଛି ସଂସ୍କାର, କିଛି ପରମ୍ପରାକୁ ଜାବୁଡ଼ି ଧରି ମଣିଷ ତା’ ନିଜର ସ୍ୱତନ୍ତ୍ରତାକୁ ହରାଇ ବସିଛି । ଏହାପରେ ଜୀବନକୁ ଯେଉଁ ଢଙ୍ଗରେ ଦେଖିଲେ ବି ସେହି ପୁରୁଣା ନକ୍ସା, ପୁରୁଣା ଅଭ୍ୟାସ ସାମ୍ନାରେ ଆସି ପଥ ଅବରୋଧ କରିଥାଏ । ଗାଈର ନୀଳ ଚଷମା ପରି କୌଣସି ଏକ ନିର୍ଦ୍ଦିଷ୍ଟ ଚଷମା ଆଖି ଉପରେ ରହିଯାଇଛି, ଯାହାଦ୍ୱରା ମଣିଷ ଦେଖୁଛି । ଏପରି ଦେଖିବା ଦୂଷିତ ହୋଇଯାଇଛି । ଏ ଦେଖିବା ଦର୍ଶନ ନୁହେଁ । ଏ ଦେଖିବା ଅନ୍ଧତ୍ୱ । ବନ୍ଧୁ, ଦ୍ୱାର ଖୋଲା ରହୁ।