ନୀଳଗିରି,୧୧/୧୧ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ଏକ ଅଞ୍ଚଳରେ ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି।
ବିଜେଡି ସୁପ୍ରିମୋଙ୍କ ନିର୍ଦେଶରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆସି ପିଡିତାଙ୍କ ପରିବାରଙ୍କୁ ଭେଟିଛନ୍ତି। ଏହି ଟିମରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ଜଗତସିଂହପୁରର ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବସ୍ତା ବିଧାୟିକା ସୁବାସିନୀ ଜେନା, ରାଜ୍ୟ ବିଜେଡି ମହିଳା ଉପ ସଭାନେତ୍ରୀ ସୁନୀତି ସିଂ, ରାଜ୍ୟ ମହିଳା ଯୁବବିଜେଡି ସମ୍ପାଦିକା ଜୟନ୍ତୀ ଦତ୍ତ, ଜିଲ୍ଲା ମହିଳା ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ଊର୍ମିଲତା ଦାସ, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବାଲେଶ୍ୱର ନଗର ସଭାପତି ମିନା ମହାନ୍ତି,ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝି,ରଞ୍ଜିତା ମହାପାତ୍ର, ମିନତୀ ସେଠୀ, ରୋଜି ପଟ୍ଟନାୟକ, ସୁଜାତା ମହାପାତ୍ର, ସିଲିମା ବିବି,ଦ୍ୟୁତିକୃଷ୍ନା ସ୍ୱାଇଁ ସମେତ ବହୁ ମହିଳା ନେତ୍ରୀ ଉପସ୍ଥିତ ଥିଲେ। ଏହି ଘଟଣାରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ନଦେଲେ ବିଜେଡି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛି।
ସୂଚନାଯୋଗ୍ୟ ନୀଳଗିରି ଥାନା ଅଧୀନ ଏକ ଅଞ୍ଚଳରେ ଗତ ୭ତାରିଖ ବିଳମ୍ବିତ ରାତିରେ ଜନୈକ ମହିଳା ନିଜ ଘରେ ଶୋଇଥିବା ସମୟରେ ଜନୈକ ଯୁବକ ଘର ଭିତରକୁ ପଶି ଧର୍ଷଣ କରିଥିଲା। ପୀଡ଼ିତା ଜଣକ ଗତ ୯ତାରିଖରେ ନୀଳଗିରି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ସ୍ଵାମୀ ଜଣେ ଦିନ ମଜୁରୀଆ ହୋଇଥିବାରୁ ବାହାରେ ରହି କାମ କରୁଥିବାରୁ ଘଟଣା ସମ୍ପର୍କରେ ନିଜ ଯାଆକୁ କହିଥିଲେ। ଏନେଇ ଗ୍ରାମରେ ଏକ ବୈଠକ କରାଯାଇଥିଲେ ହେଁ ଅଭିଯୁକ୍ତ ଜଣକ ବୈଠକକୁ ଆସି ଘଟଣା ସମ୍ପର୍କରେ ମାନି ନଥିଲେ। ଏନେଇ ପୀଡ଼ିତା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ କରିଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ଜଣକ ତାଙ୍କ ସ୍ତ୍ରୀଙ୍କୁ ପୀଡିତାର କକାଶ୍ବଶୁର ଧର୍ଷଣ କରିଥିବା ନେଇ ପାଲଟା ଅଭିଯୋଗ କରିଥିଲେ। ନୀଳଗିରି ଥାନାରେ ଦୁଇଟି ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରିଥିଲା। ଅଭିଯୁକ୍ତ ଓ ପୀଡିତାର କକା ଶ୍ବଶୁରକୁ ଥାନାରେ ଅଟକ ରଖାଯାଇଥିଲା। ପାଲଟା ଅଭିଯୋଗ ଘଟଣା ତଦନ୍ତରେ ମିଥ୍ୟା ଜଣାପଡିବା ପରେ ଅଟକ ହୋଇଥିବା ପୀଡିତାଙ୍କ କକାଶ୍ୱଶୁରଙ୍କୁ ପୋଲିସ ଛାଡ଼ିଦେଇଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।