ସୋର,୨୮/୧୨: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ହାଟରେ ଶୁକ୍ରବାର ବିଳମ୍ବିତ ରାତିରେ ସୋର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ ଗୋରୁ ବୋଢେଇ କଣ୍ଟେନର ଜବତ କରାଯାଇଛି । ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା କଣ୍ଟେନରକୁ ଜବତ କରିବା ସହିତ ୮ ଟି ଗୋରୁକୁ ଉଦ୍ଧାର କରିଛି । କଣ୍ଟେନର ଡ୍ରାଇଭର ସମେତ ଅନ୍ୟ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ବାଲେଶ୍ୱର ଜିଲ୍ଲା ବାରିକପୁର ହାଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ବାରିକପୁର ହାଟରେ ଓଆର ୦୫ ଏଆର ୭୪୨୫ ନମ୍ବର ବିଶିଷ୍ଟ କଣ୍ଟେନରରେ ବେଆଇନ ଭାବେ ଗୋରୁ ବୋଝେଇ କରି ଚାଲାଣ କରା ଯାଉଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇ ସୋର ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢାଉ ବେଳେ ସେଠାରେ ଥିବା ଅନ୍ୟ ସହଯୋଗୀମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ କଣ୍ଟେନର ଚାଳକ ସମେତ ଅନ୍ୟ ଜଣଙ୍କୁ ଥାନାରେ ଅଟକ ରଖିଛି । ପୋଲିସ କଣ୍ଟେନରଟିକୁ ଜବତ କରିବା ସହିତ ସେଥିରେ ଅମାନୁଷିକ ଭାବେ ବୋଝେଇ ହୋଇଥିବା ୮ଟି ଗୋରୁକୁ ଉଦ୍ଧାର କରି ସୋର ଗୋଶାଳାରେ ଛାଡ଼ିଛି । ତେବେ ହାଟରେ ବେଆଇନ ଚାଲାଣ ଅପେକ୍ଷାରେ ବନ୍ଧା ହୋଇଥିବା ଅନ୍ୟ ଗୋରୁ ଗୁଡିକୁ ପୁଲିସ ଫିଟାଇ ଘଉଡ଼ାଇ ଦେଇଛି।