ଭୁବନେଶ୍ୱର,୧୩/୦୫: ମାସକ ପରେ ବିଜେପି ସରକାରକୁ ଏକ ବର୍ଷ ପୂରିବ । ସଫଳତା ଓ ଉପଲବ୍ଧି ପ୍ରଚାର ପାଇଁ ସରକାର ସଜବାଜ ଚଳାଇଛନ୍ତି । ସବୁ ବିଭାଗ ଲାଗି ପଡ଼ିଛନ୍ତି ସଫଳତାର ତାଲିକା ଏବଂ ଭିଡିଓ ପ୍ରସ୍ତୁତିରେ । ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ମନ୍ତ୍ରୀମାନେ ବି ରିପୋର୍ଟ କାର୍ଡ ପ୍ରସ୍ତୁତିରେ ବ୍ୟସ୍ତ । ଗୋଟିଏ ପଟେ ନୂଆ ସରକାର ପ୍ରଥମ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ନିଜ ସଫଳତା ପହଞ୍ଚାଇବାକୁ ବିଭିନ୍ନ ଆୟୋଜନରେ ଲାଗିଛନ୍ତି । ଅନ୍ୟପଟେ ହାତ ବାନ୍ଧି ବସିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ଦଳ ଯେମିତି ସୋସିଆଲ ମିଡିଆ ପୋଷ୍ଟ ଓ ପ୍ରେସ ବିବୃତିରେ ଅଟକି ରହିଛି । ପଚାରିଲେ ବିଜେଡି ନେତାଏ କହୁଛନ୍ତି, ଆମ ସାଂଗଠନିକ ଟିମ୍ ଗଠନ ଚାଲିଛି । ଟିମ୍ ପ୍ରସ୍ତୁତି ସରିଲେ ଆଗକୁ ବ୍ୟାପକ କାର୍ଯ୍ୟକ୍ରମ ହେବ ।
୨୪ ବର୍ଷର ଶାସନ ଗାଦିରୁ ହଟିଥିଲେ ବି ବିଜେଡିକୁ ଓଡ଼ିଶାର ଭୋଟରମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ୫୧ ବିଧାୟକ ଆସନ ସହ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସାଇଛନ୍ତି ରାଜ୍ୟବାସୀ । ମାତ୍ର ମୁଖ୍ୟ ବିରୋଧୀ ଦଳ ଭାବେ ସେଭଳି ଦମଦାର ପ୍ରଦର୍ଶନ ଦେଖାଇପାରୁନି ବିଜେଡି । ବିଧାନସଭା ଭିତରେ ମାନ୍ଦା, ବାହାରେ ବି ପୂରା ଶିଥିଳ । ବିଜୁବାବୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସକୁ ଛାଡ଼ିଦେଲେ ନିକଟ ଅତୀତରେ ବିଜେଡି ପକ୍ଷରୁ ସେଭଳି କାର୍ଯ୍ୟକ୍ରମ ଦେଖିବାକୁ ମିଳିନି । ରାଜନୈତିକ କାର୍ଯ୍ୟକ୍ରମ ଯେମିତି ଶୂନ ହୋଇଗଲାଣି ।
ସବୁଠାରୁ ବଡ଼ କଥା ହେଲା, ୨୪ ବର୍ଷ ସରକାର ଚଳାଇଥିବାର ଅଭିଜ୍ଞତା ଧରି ନୂଆ ସରକାର ଉପରେ ନଜର ରଖିବାକୁ ନବୀନ ଗଢ଼ିଥିଲେ ଛାୟା କ୍ୟାବିନେଟ୍ । ୫୦ ବିଧାୟକଙ୍କୁ ଅଭିଜ୍ଞତା ଆଧାରରେ ସରକାରୀ ବିଭାଗ ଜଗିବାକୁ ନବୀନ ଦେଇଥିଲେ ଗୁରୁ ଦାୟିତ୍ୱ । ବରିଷ୍ଠ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ସାଧାରଣ ପ୍ରଶାସନ, ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ଅରୁଣ ସାହୁଙ୍କୁ ଜଳ ସମ୍ପଦ, ରାଜେନ୍ଦ୍ର ଢୋଲକିଆଙ୍କୁ ସ୍କୁଲ ଓ ଗଣଶିକ୍ଷା ଭଳି ବିଭାଗର ଦାୟିତ୍ୱ ଦେଇଥିଲେ ।
ଏ ଛାୟା କ୍ୟାବିନେଟ୍କୁ ଦି’ ମାସ ପରେ ବର୍ଷ ପୂରିବ । ହେଲେ ଗଠନ ଦିନରୁ କ୍ୟାବିନେଟ୍ ହାତବାନ୍ଧି ବସିଛି । ବାହାର କଥା ଛାଡ଼ନ୍ତୁ, ବିଧାନସଭାରେ ବି ଅନେକଙ୍କ ସ୍ୱର ଶୁଣିବାକୁ ମିଳିନି । ଏ ସଂପର୍କରେ ଦଳର ଜଣେ ବରିଷ୍ଠ ବିଧାୟକ ସ୍ୱୀକାର କରିଛନ୍ତି, ଛାୟା କ୍ୟାବିନେଟ୍ ଯେଉଁ ଉଦ୍ଦେଶ୍ୟରେ ଗଢ଼ା ହୋଇଥିଲା ତାହାର ଫଳ ମିଳିନି । ମାତ୍ର ଦଳର ସାଂଗଠନିକ ଟିମ୍ ପ୍ରସ୍ତୁତ ହେଲାଣି । ଆଗକୁ ଆମେ ରାଜ୍ୟବ୍ୟାପୀ ଜୋରଦାର କାର୍ଯ୍ୟକ୍ରମ ହାତକୁ ନେବୁ । ସରକାରଙ୍କ ବିଫଳତା ଲୋକଙ୍କୁ ଜଣାଇବୁ ।
ମୋହନ ସରକାର ନିଜର ପ୍ରଥମ ବର୍ଷ ଭିତରେ ସୁଭଦ୍ରା, ଧାନ ଏମ୍ଏସ୍ପି ଭଳି ପ୍ରତିଶ୍ରୁତି ପୂରଣ ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ପୁନଃ କାର୍ଯ୍ୟକ୍ଷମ କରିବାର ଉପଲବ୍ଧି ଘୂରିଘୂରି ପ୍ରଚାର କରୁଛନ୍ତି । ହେଲେ ସରକାରଙ୍କ ତ୍ରୁଟି ବିଚ୍ୟୁତି, ବିଫଳତା ଗଣାଇବାରେ ବିରୋଧୀ ଦଳ ଫେଲ୍ ମାରିଛି । ନୂଆ ସରକାର ବିଭିନ୍ନ ସଭାସମିତିରେ ପୂର୍ବ ସରକାରଙ୍କ ବିଫଳତାକୁ ଅନେକ ଥର ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି । ମାତ୍ର ଜବାବ ଦେବାକୁ ବି ବିଜେଡି ନେତା ଥତମତ । କିଛି ମାସ ତଳର ଦମଦାର ଦରବୃଦ୍ଧି ସମାବେଶକୁ ଛାଡ଼ିଦେଲେ ଏଯାଏଁ ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ସେଭଳି କିଛି ବଡ଼ ପ୍ରଦର୍ଶନ ଦେଖାଇ ପାରିନି । ଆଇନ ଶୃଙ୍ଖଳା ନେଇ ବିଜେଡି ମଝିରେ ମଝିରେ ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେଇଛି । ମାତ୍ର କୌଣସି ଗୋଟିଏ ପ୍ରସଙ୍ଗକୁ ଲୋକଙ୍କ ପାଖକୁ ଟାଣି ନେଇପାରିନି ବିଜେଡି । କାଳେ ସରକାରୀ ଦଳର ପାଲଟା ଆକ୍ରମଣ କରିବ, ସେଇ ଭୟରେ ଅନେକ ପ୍ରସଙ୍ଗରେ ବିଜେଡି ନେତାଏ ମୁହଁ ଖୋଲୁନାହାନ୍ତି ।
ଛାମୁଆ ନେତା ଚୟନ ସରିନଥିବାରୁ ଛାତ୍ର, ଯୁବ ଓ ମହିଳା କର୍ମକର୍ତ୍ତା ବି ହାତ ବାନ୍ଧି ବସିଛନ୍ତି । ରାଜ୍ୟ କମିଟିରେ ବରିଷ୍ଠ ଉପସଭାପତି, ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ନିଯୁକ୍ତ ସରିଛି । ହେଲେ ସମ୍ପାଦକ, ଯୁଗ୍ମ ସମ୍ପାଦକ ନିଯୁକ୍ତି ସରିନି ।ସେଥିପାଇଁ ରାଜ୍ୟ କମିଟି ପଦାଧିକାରୀ ବି ଚୁପ୍ । ଯେତିକି ସାମ୍ମୁଖ୍ୟ ଓ ସେଲ୍ ଗଠନ ହୋଇଛି, ସେମାନେ ବି ଚୁପ୍ ହୋଇ ବସିଛନ୍ତି । ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏଯାଏଁ ରାଜ୍ୟ କମିଟି ଗଠନ କରିନଥିଲେ ମଧ୍ୟ ପିସିସି ସଭାପତି ଭକ୍ତ ଦାସ ବିଭିନ୍ନ ଜିଲ୍ଲା ଗସ୍ତ କରି କାର୍ଯ୍ୟକ୍ରମ ଚଳାଇଛନ୍ତି । ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ କିମ୍ବା ଦଳର ଅନ୍ୟ କୌଣସି ନେତା କର୍ମୀଙ୍କ ମନୋବଳ ବଢ଼ାଇବାକୁ ପଦାକୁ ବାହାରୁ ନାହାନ୍ତି । ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ନେଇ ମୁଖ୍ୟ ବିରୋଧୀ ଦଳ କି ଆଭିମୁଖ୍ୟ ଓ ରଣନୀତି ଗ୍ରହଣକରିବ, ତାହା ଉପରେ ସଭିଙ୍କ ନଜର ଅଟକିଛି ।