ନୂଆଦିଲ୍ଲୀ,୧।୩: ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ଜେଏନ୍ୟୁର ପୂର୍ବତନ ଛାତ୍ର ନେତା ଶେହଲା ରଶିଦଙ୍କୁ ଶୋରାଙ୍କୁ ମିଳିଛି ବଡ଼ ଆଶ୍ବସ୍ଥି। କୋର୍ଟ ୨୦୧୯ ଦେଶଦ୍ରୋହ ମାମଲାରେ ତାଙ୍କ ବିରୋଧରେ ମାମଲା ଫେରାଇ ନେବା ପାଇଁ ଦିଲ୍ଲୀ ପୋଲିସର ଆବେଦନ ଗ୍ରହଣ କରିଛି। ଶେହଲାଙ୍କ ବିରୋଧରେ ଏହି ମାମଲା ଭାରତୀୟ ସେନାକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟ୍ବିଟ୍ କରିବା ପରେ ମାମଲା ରୁଜୁ କରାଯାଇଥିଲା।
ଏ ବିଷୟରେ ସୂଚନା ଦେଇ ପୋଲିସ ସୁତ୍ରରୁ ପିଟିଆଇକୁ କୁହାଯାଇଛି ଯେ, କୋର୍ଟ ଦିଲ୍ଲୀ ପୋଲିସକୁ ଜେଏନ୍ୟୁର ପୂର୍ବତନ ଉପାଧ୍ୟକ୍ଷ ଶେହଲା ରଶିଦ ଶୋରାଙ୍କ ବିରୋଧରେ ସେନା ଉପରେ ଟ୍ବିଟ୍ କରିବା ମାମଲା ଫେରାଇ ଦେବା ନେଇ ଅନୁମତି ଦେଇଛନ୍ତି। ମୁଖ୍ୟ ମେଟ୍ରୋପଲିଟନ୍ ମାଜିଷ୍ଟେ୍ରଟ୍ ଅନୁଜ କୁମାର ସିଂହ ଅଭିଯୋଗକାରୀ ପକ୍ଷ ଦ୍ବାରା ଦାଖଲ କରାଯାଇଥିବା ଆବେଦନ ଉପରେ ୨୭ ଫେବୃଆରୀରେ ଏହି ନିର୍ଦେଶ ଜାରି କରିଛନ୍ତି।
ଶେହଲାଙ୍କ ବିରୋଧରେ ଏହି ମାମଲା ଦେଶଦ୍ରୋହ ସହ ଧର୍ମ, ଭାଷା, ବର୍ଣ୍ଣ ଓ ଜନ୍ମ ସ୍ଥାନ ଆଦି ଆଧାରରେ ବିଭିନ୍ନ ଗୋଷ୍ଠୀ ସହ ଶତ୍ରୁତାକୁ ବଢାଇବା ଓ ଦଙ୍ଗା ସୃଷ୍ଟି କରିବା ଭଳି ଅପରାଧ ପାଇଁ ରୁଜୁ କରାଯାଇଥିଲା। ଏହି ଅଭିଯୋଗରେ ସର୍ବାଧିକ ଆଜୀବନ କାରାଦଣ୍ଡର ସଜା ରହିଛି।