ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରାଖଣ୍ଡର ବଦ୍ରିନାଥରେ ହୋଇଥିବା ହିମସ୍ଖଳନକୁ ନେଇ ଆସିଲା ବଡ ଖବର। ଚାମୋଲିର ମାନା ଗାଁରେ ରାସ୍ତା ନିର୍ମାଣ ସମୟରେ ହୋଇଥିବା ହିମସ୍ଖଳନରୁ ଉଦ୍ଧାର କରାଯାଇଥିବା ଆହତ ଶ୍ରମିକମାନଙ୍କ ମଧ୍ୟରୁ ଆଜି ୪ ଜଣଙ୍କୁ ସେନା ଡାକ୍ତରଖାନା ପକ୍ଷରୁ ମୃତ ଘୋଷଣା କରାଯାଇଛି। ଏନେଇ ସେନା ପକ୍ଷରୁ ଶନିବାର ଆଧିକାରିକ ସ୍ତରରେ ଘୋଷଣା କରାଯାଇଛି।
ଏହି ଦୁର୍ଘଟଣାରେ ଫସିରହିଥିବା ମୋଟ ୫୫ ଜଣ ଶ୍ରମିକମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ସେନା ଉଦ୍ଧାର କରିସାରିଛି। ଆଉ ପାଞ୍ଚଜଣଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଆହତ ଶ୍ରମିକମାନଙ୍କୁ ଜରୁରୀକାଳିନ ପରିସ୍ଥିତିରେ ଜୋଶିମଠକୁ ସ୍ଥାନାନ୍ତରିତ କରିବାପାଇଁ ସେନା ନିଜର ଛଅଟି ହେଲିକପ୍ଟର ମୃତୟନ କରିଛି।
ଗତକାଲି ହୋଇଥିବା ଉଦ୍ଧାର କାର୍ଯ୍ୟରେ ମୋଟ୍ ୩୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ରାତି ହୋଇଯିବା ସହ ପ୍ରବଳ ତୁଷାରପାତ ହେବା କାରଣରୁ ଉଦ୍ଧାର କାର୍ଯ୍ୟକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା। ସର୍ଚ୍ଚ ଅପରେସନର ଦ୍ୱିତୀୟ ଦିନରେ ସେନା ମୋଟ ୧୭ ଜଣଙ୍କୁ ଉଦ୍ଧାର କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିଲା। ତେଣୁ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଏକ ସିଭିଲ ହେଲିକପ୍ଟର ଯୋଗେ ଜୋଶିମଠକୁ ସ୍ଥାନାନ୍ତରିତ କରାଯାଇଥିଲା।
ସୂଚନା ମୁତାବକ, ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଚୀନ୍ ସୀମାର ଖୁବ୍ ନିକଟରେ ଭାରତର ପ୍ରଥମ ଗାଁ ଭାବରେ ମିନା ଗାଁକୁ ପରିଗଣିତ କରାଯାଇଥାଏ। ତେବେ ଏହି ଅଞ୍ଚରେ ଗମନାଗମନର ସୁବିଧା ପାଇଁ ସେନା ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିଲା। ହେଲେ ହଠାତ ଗ୍ଲାସିୟର ଭାଙ୍ଗିବା କାରଣରୁ ଏଭଳି ଅଘଟଣ ଘଟିଛି। ମାନା ନିକଟରେ ଥିବା ପୋଷ୍ଟ ତଳେ ଗ୍ରିଫ କ୍ୟାମ୍ପର କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ଦୁଇ ଦିନ ହେବ ଏହି ପାହାଡିଆ ଅଞ୍ଚଳରେ ପାଣିପାଗ ବହୁତ ଖରାପ ଥିଲା। ଉତ୍ତରାଖଣ୍ଡ ସହ ହିମାଚଳପ୍ରଦେଶର କିଛି ଅଞ୍ଚଳରେ ଖୁବ୍ ଜୋରରେ ତୁଷାରପାତ ଲାଗିରହିଛି। ଯାହା ହିମସ୍ଖଳନ ହେବାର ଆଶଙ୍କାକୁ ଆହୁରି ବଢାଇ ଦେଇଛି।
ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହାମଚଳପ୍ରଦେଶ, ପଞ୍ଜାବ ଓ ଜମ୍ମୁକାଶ୍ମୀର ଅଞ୍ଚଳରୁ ଥିଲେ ବୋଲି ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ(ୟୁଏସଡିଏମଏ) ଘୋଷଣା କରିଛନ୍ତି। ନିକୋଜ ଥିବା ଜ୍ଞ ଶ୍ରମିକଙ୍କୁ ବହୁ ଜଲଦି ଉଦ୍ଧାର କରାଯିବ ବୋଲି ସେନା ପକ୍ଷରୁ ଘୋଷଣା କରାଯାଇଛି।