ଭୁବନେଶ୍ୱର,୩୧/୦୫: ଆମ ବସ୍ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନ ଦେବାକୁ ନିଷ୍ପତ୍ତି ହୋଇଛି । ଆମ ବସ ଦ୍ୱାରା ବାରମ୍ବାର ଦୁର୍ଘଟଣାକୁ ନେଇ ଚାରିଆଡ଼େ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଆମ ବସ ଚାଳକଙ୍କ ବେପରୁଆ ଡ୍ରାଇଭିଂ ଓ ଦୁର୍ଘଟଣା ଉପରେ ରୋକ ଲଗାଇବାକୁ ଶୁକ୍ରବାର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ଆମ ବସ ଦୁର୍ଘଟଣାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ପ୍ରଶିକ୍ଷଣକୁ ଜୋରଦାର କରାଯିବା ସହ ଡ୍ରାଇଭର ନିଯୁକ୍ତିକୁ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ମନଇଚ୍ଛା ଡ୍ରାଇଭରମାନଙ୍କୁ ଏଣିକି ଆଉ ଏଜେନ୍ସି ନିଯୁକ୍ତି ଦେଇ ପାରିବେ ନାହିଁ । ଏଥିପାଇଁ ୫ ବର୍ଷର ଅଭିଜ୍ଞତାକୁ କଡ଼ାକଡ଼ି କରାଯାଇଛି । ଖଣ୍ଡଗିରି ଛକରେ ଦୁଇ ଦିନ ତଳେ ଆମ ବସ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଲୋକେ ମୋ ବସ୍ ଭାଙ୍ଗିଥିଲେ । ଖାଲି ଏତିକି ନୁହେଁ, ୩ ମାସରେ ୫ରୁ ଅଧିକ ଲୋକଙ୍କ ଜୀବନ ଆମ ବସ୍ ଚକା ତଳେ ଗଲାଣି ।