ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ରଥ ଖଳା ହାଲ୍‌ଚାଲ୍‌... ସରିଲା ଗୁଜ ଓ ଜଳଯନ୍ତ୍ର କାମ, ଚାଲିଛି ରଥ ତ୍ରୟର ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତି

Published By : Prameya | June 1, 2025 10:53 AM

ପୁରୀ, ୦୧/୦୬: ରଥର ଦଣ୍ଡା ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ୱକର୍ମା । ମୁଖ୍ୟ ପାଞ୍ଚ ଦଣ୍ଡା ଚଉପଟ କରିବା ପରେ ଏବେ ଚାଲିଛି ପାଶ୍ୱର୍ ଦଣ୍ଡା କାର୍ଯ୍ୟ । ବାରିସିରେ ହାଣି ପାଶ୍ୱର୍ ଦଣ୍ଡା ତିଆରି ହେଉଛି । ରବିବାର ରଥ ତ୍ରୟର  ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତି ପାଇଁ ଚାଲିଛି ଯୋଗାଡ଼ । ପୂର୍ବରୁ ମୁହାଁଟରେ ବିନ୍ଧ ହୋଇ ପ୍ରସ୍ତୁତ ରହିଛି । କୁଡ଼ୁକା, ଗୁଜ ଓ  ଜଳଯନ୍ତ୍ର ଆଦିର କାର୍ଯ୍ୟ ମଧ୍ୟ ସରିଛି । ଏସବୁକୁ ସଂଯୋଗ  କରି ଦଣ୍ଡାର ଫ୍ରେମ୍‌ ପ୍ରସ୍ତୁତ ହେବ ବୋଲି ନନ୍ଦିଘୋଷର  ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କହିଛନ୍ତି ।  

ରଥତ୍ରୟର ମୋଟ ୪୨ ଚକ ଓ ୨୧ ଅଖ । ଆଗକୁ  ସମସ୍ତ ଚକ ସହ ଅଖ ସଂଯୋଗ ହେବ । ନିର୍ମାଣକାରୀଙ୍କ  ନଜର ବର୍ତ୍ତମାନ ଏହି କାର୍ଯ୍ୟ ଉପରେ । ଚକ  ଓ ଅଖ ଗୁଡିକ ମାପଚୁପ ହେଲେ ରଥର  ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା  ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ ।  ଗରଗରା ଉପରେ ଚାରି ନାହାକା ଉଠିବ । ଏହାପରେ ରଥ  ଉପରି ଭାଗ କାମ ଆରମ୍ଭ ହେବ । ଚାରିନାହାକାରେ ସାଲ  କାର୍ଯ୍ୟ ଶେଷ ହୋଇଛି । ରଥଖଳାରେ ଗରଗରା ଚଉପଟ  ଓ ବିନ୍ଧ ଖୋଦେଇ ସରି ରଥ ମୂଳଦୁଆ ପାଇଁ ସବୁ କାର୍ଯ୍ୟ  ଆଗଉଛି । ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଚାରି ନାହାକା  ଉଠାଯିବାର ପରମ୍ପରା ରହିଛି । ଏହାପରେ ରଥ ଖଳାରେ  ଗୟଳ ଓ ଭୂଇଁ କାର୍ଯ୍ୟ ଚାଲିବ ବୋଲି ନିର୍ମାଣକାରୀ କୁହନ୍ତି । 

ରୂପକାର ସେବକମାନେ ତିନି ରଥର ସିଂହାସନ  ମୁହାଁଟିରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ମୁହାଁଟିରେ  ଚିତ୍ର ଅଙ୍କନ କରିବା ପରେ ଖୋଦେଇ  କରାଯାଇଥିଲା । ସାଲ ଗୁଜରେ ରୂପ ଖୋଦେଇ କାର୍ଯ୍ୟ  ଶେଷ ହେଉଛି । ଏହାପରେ ନାଟ ଗୋଡ଼ରେ ରୂପ ଖୋଦେଇ  ହେବ କୁହନ୍ତି ରୂପକାର ସେବକ । କରତି ସେବକମାନେ  ତାଳଧ୍ୱଜର ରଥର ଗୟଳ ସାରି ନନ୍ଦିଘୋଷର ଗୟଳ ଚିରଟ  କରୁଛନ୍ତି । ଓଝା ସେବକମାନେ ଦଣ୍ଡା କଣ୍ଟା ତିଆରୁଛନ୍ତି ।  ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର,  ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର  ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ  ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତିନି ରଥର  ନିର୍ମାଣ କାର୍ଯ୍ୟରେ ସମନ୍ୱୟ ରଖାଯାଇ କାମ ଆଗଉଛି ।

‘କଚ୍ଛପ ପିଢ଼ା’ରେ ବସିବେ  ପୂଜାପଣ୍ଡା ସାମନ୍ତ 

‘କଚ୍ଛପ ପିଢ଼ା’ର ରହିଛି ଚାରି ପାଦ । ଠିକ୍‌ କଇଁଛ  ଆକୃତିର ଏହି ପିଢା । ପୂଜାପଣ୍ଡା ସାମନ୍ତମାନେ ଏହି  ପିଢ଼ାରେ ବସି ଶ୍ରୀବିଗ୍ରହଙ୍କୁ ଭୋଗ ଲଗାଇବେ ।  ଦୋଳବେଦି ପରିସରରେ ଏହାର ନିର୍ମାଣ କରାଯାଉଛି ।  କଚ୍ଛପ ହେଉଛି ଶୁଭ ସଙ୍କେତ । ଠାକୁରେ ମଧ୍ୟ କଛପ  ଅବତାର ଧାରଣ କରିଥିଲେ । ସେଥିପାଇଁ ଉକ୍ତ  ପିଢ଼ାର ନାମ ଏଭଳି ହୋଇଥିବା କୁହାଯାଏ । ଏହାକୁ  କୁରୁମ ପିଢ଼ା ମଧ୍ୟ କୁହାଯାଏ । ଶ୍ରୀମନ୍ଦିରରେ ପ୍ରଚଳିତ  ଉପକରଣ ପ୍ରାୟ ଅନ୍ୟ କେଉଁ ମନ୍ଦିରରେ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.