ଭୁବନେଶ୍ୱର ୦୩/୧୦:ପୂଜା ପୂର୍ବରୁ ଭୁବନେଶ୍ୱରକୁ ମିଳିଲା ନୂଆ ଡିସିପି। ଭୁବନେଶ୍ୱର ଡିସିପି ଭାବେ ପିନାକ ମିଶ୍ରଙ୍କ କାର୍ଯ୍ୟରେ ଯୋଗଦେଇଛନ୍ତି ।ଗୁରୁବାର ଅପରାହ୍ନ ଶ୍ରୀ ମିଶ୍ର ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥଲେ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏବଂ ଅତିରିକ୍ତ କମିଶନ ଡ.ଉମାଶଙ୍କର ଦାସ ନୂଆ ଡିସିପି ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି।
ଭୁବନେଶ୍ୱର ଡିସିପି ଭାବେ ବଦଳି ହୋଇ ଆସୁଥିବା ୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ପିନାକ ମିଶ୍ର ଜଣେ ଦକ୍ଷ ଅଫିର । ବ୍ରହ୍ମପୁରରେ ଥିବା ସମୟରେ ସେ ଏକାଧିକ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିଲେ । ତାଙ୍କ କାର୍ଯ୍ୟଦକ୍ଷତାକୁ ନଜରରେ ରଖି ତାଙ୍କୁ କମିଶନରେଟ୍ ପୁଲିସକୁ ଅଣାଯାଇଛି । କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରି ସଫଳତାର ସହ ଅପରାଧ ଦମନ କରିଥିଲେ । କଟକରୁ ତାଙ୍କର ପୁରୀ ଏସ୍ପି ଭାବେ ବଦଳି ହୋଇଥିଲା । ସେଠାରେ ସାଧାରଣ ନିର୍ବାଚନ ଓ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନା କରିଥିଲେ । ତାଙ୍କ ଦକ୍ଷତାକୁ ନଜରେ ରଖି ସରକାର ଭୁବନେଶ୍ୱର ଡିସିପି ଦାୟିତ୍ୱ ମିଳିଛି।
ଶ୍ରୀ ମିଶ୍ର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲେ । କମିଶନରେଟ୍ ପୁଲିସ୍ ମୁଖ୍ୟାଳୟକୁ ଯାଇ ପୁଲିସ୍ କମିଶନର ଏସ୍. ଦେବଦତ୍ତ ସିଂହଙ୍କୁ ଭେଟିଥିଲେ । ଅପରାହ୍ଣ ସାଢ଼େ ୧ଟା ବେଳେ ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ଡିସିପି ଦାୟିତ୍ୱରେ ଥିବା ସୁରେଶ କୁମାର ପାତ୍ର । ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସେ ତାଙ୍କ ପ୍ରକୋଷ୍ଠକୁ ଯାଇ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଦାୟିତ୍ୱ ନେଲା ପରେ ୨୪ ଥାନାର ଆଇଆଇସି, ଏସିପି, ଅତିରିକ୍ତ ଡିସିପିଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା ।
ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ୍ ହେବ । ପ୍ରଥମେ ମୁଁ ଅଫିସରଙ୍କ ସହ କଥା ହେବି । ତା’ପରେ ବରିଷ୍ଠ ଅଧିକାରୀଙ୍କୁ ଭେଟିବି । ସେମାନଙ୍କ ସହ ମଶି କାମ କରିବି । ସହରବାସୀ ମୋ ଠାରୁ ଯାହା ଆଶା କରୁଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବି । ଭୁବନେଶ୍ୱରରେ ଅପରାଧ ଓ ଅପରାଧୀ ଦମନ, ଆଇନଶୃଙ୍ଖଳା ଉପରେ ମୁଖ୍ୟତଃ ଫୋକସ୍ ରହିବ । କଟକରେ ଡିସିପି ଭାବେ ଯେଉଁ ଅଭିଜ୍ଞତା ଅଛି ସେଥିରେ କାମ କରିବା ସହଜ ହେବ । ତା’ଛଡ଼ା ପୁଲିସ୍ କିଭଳି ସାଧାରଣ ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ । ଥାନାକୁ ଆସୁଥିବା ଲୋକେ ଯେପରି ନିରାଶ ନହେବେ ତାକୁ ଅଧିକ ଗୁରୁତ୍ୱ ଦିଆଯିବ । ଅପରାଧ ଦମନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେବ ବୋଲି ନୂଆ ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଆମ ପାଇଁ ଆହ୍ୱାନ ହେଉଛି ଦୁର୍ଗାପୂଜା । ଲୋକେ କେମିତି କୌଣସି ସମସ୍ୟାରେ ନ ପଡ଼ି ପୂଜାକୁ ଉପଭୋଗ କରିବେ, ସେଥିପ୍ରତି ଅଧିକ ଧ୍ୟାନ ଦେବୁ । ପୂଜା ସମୟରେ ଯେମିତି ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହୁଏ ତାକୁ ଆମେ ଅଧିକ ନଜର ଦେବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସୂଚନା ମୂତାବକ, କମିଶନରେଟ୍ ପୁଲିସ୍ ଗଠନ ହେବା ପରେ ଅମିତାଭ ଠାକୁର ପ୍ରଥମ ଡିସିପି ହୋଇଥିଲେ । ଶ୍ରୀ ଠାକୁର ଏହି ପଦବିରେ ୨୦୦୮ ଜାନୁଆରୀ ୧ରୁ ୨୦୦୮ ଏପ୍ରିଲ ୨୪ ପର୍ଯ୍ୟନ୍ତ ରହିଥିଲେ । ଏହା ପରେ ହିମାଂଶୁ ଲାଲ୍ ୨୦୧୧ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଡିସିପି ରହିଥିଲେ । ପରେ ନୀତିନଜିତ୍ ସିଂ ୨୦୧୧ ଜୁନ୍ ୧ରୁ ୨୦୧୪ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଡିସିପି ଥିଲେ । ୨୦୧୪ ସେପ୍ଟେମ୍ବର ୩ରୁ ୨୦୧୮ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଡିସିପି ଥିଲେ ସତ୍ୟବ୍ରତ ଭୋଇ । ୨୦୧୮ ମାର୍ଚ୍ଚ ୨୭ରୁ ୨୦୨୦ ଜୁଲାଇ ୨୭ ପର୍ଯ୍ୟନ୍ତ ଡିସିପି ଥିଲେ ଅନୁପ ସାହୁ । ୨୦୨୦ ଜୁଲାଇ ୨୭ରୁ ୨୦୨୨ ମେ’ ୩ ତାରିଖ ପର୍ଯ୍ୟନ୍ତ ଡିସିପି ରହିଥିଲେ ଉମାଶଙ୍କର ଦାସ । ୨୦୨୨ ମେ’ ୪ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରତୀକ ସିଂହ ଡିସିପି କାର୍ଯ୍ୟଭାର ତୁଲାଇଥିଲେ । ଅନ୍ୟପକ୍ଷରେ ଆଇପିଏସ ଉମାଶଙ୍କର ଦାସ ମଧ୍ୟ ଆଜି ଅତିରିକ୍ତ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।